ଜୟପୁର,(ବି.ବି.ନୁ୍ୟଜ୍ା): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିରେ ଗଞ୍ଜେଇ ଡେଲିଭରି ଦେଇ ଅଗ୍ରୀମ ଟଙ୍କା ନେଇ ଫେରୁଥିବା ବେଳେ ସଦର ପୁଲିସ ହାତରେ ଧରାପଡିଛନ୍ତି ୩ ମାଫିଆ । ସେମାନେ ହେଲେ ମାଲକାନଗିରି ମୁଦୁଲିପଡା ଥାନା ପିଣ୍ଡାଜଙ୍ଗରର ୨ ଭାଇ ପଦ୍ମନ ଖେମୁଣ୍ଡୁ(୨୧), ସୁଦର୍ଶନ ଖେମୁଣ୍ଡୁ(୨୦) ଏବଂ ଚିତ୍ରକୋଣ୍ଡା ଥାନା ପଣସପୁଟର ନାରାୟଣ ହନ୍ତାଳ(୨୦) । ଭ୍ୟାନ ଡ୍ରାଇଭର ଫେରାର ହେବାରେ ସକ୍ଷମ ହୋଇଛି । ଧରାପଡିଥିବା ମାଫିଆମାନଙ୍କ ପାଖରୁ ଜବତ ହୋଇଛି ନଗଦ ୫ ଲକ୍ଷ ୩୫ ହଜାର ୭୦୦ ଟଙ୍କା । କାରବାରରେ ସାମିଲ ଥିବା ଏକ ଭ୍ୟାନ୍, ବାଇକ ଏବଂ ୨ଟି ମୋବାଇଲ ଜବତ କରାଯାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ ଜି. ବରୁଣ ।
ପୁଲିସ ସୂଚନା ଅନୁଯାୟୀ, ଥାନା ପକ୍ଷରୁ ଗୁରୁବାର ରାତିରେ ପାଟ୍ରୋଲିଂ ଚାଲିଥିଲା । ଏସଆଇ ସଂଗ୍ରାମ କେଶରୀ ସ୍ୱାଇଁ, ଏଏସଆଇ ସପନ କୁମାର ସରକାର ଏବଂ ଅନ୍ୟ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ । ପାହାନ୍ତିଆ ସାଢେ ୪ଟା ବେଳେ ଏକ ଭ୍ୟାନ୍(ଓଡି ୧୦ଏମ-୩୯୮୪) ଦ୍ରୁତ ଗତିରେ ମାଲକାନଗିରି ପଟକୁ ଯାଉଥିବା ଦେଖିବାକୁ ମିଳିଥିଲା । ସନେ୍ଦହ ହେବାରୁ ଟାଙ୍କୁଆ ପାଖରୁ ଭ୍ୟାନର ପିଛା କରାଯାଇଥିଲା । ପୁଲିସ ପିଛା କରୁଥିବା ଦେଖି ପାତ୍ରପୁଟ ପୋଲ ପୂର୍ବରୁ ଭ୍ୟାନ ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଥିଲା । ଗାଡି ଖାନତଲାସୀ ବେଳେ ସେଥିରେ ଉପରୋକ୍ତ ୩ଜଣ ବସିଥିଲେ । ଡାଲାରେ ଏକ ନମ୍ବରବିହୀନ ବାଇକ ରହିଥିଲା । ତଦନ୍ତ ବେଳେ ସେମାନେ ନବରଙ୍ଗପୁରରୁ ମାଲକାନଗିରି ଯାଉଥିବା କହିଥିଲେ । ଗାଡିରେ ଟଙ୍କା ଥିବା ଯାଞ୍ଚ ବେଳେ ଜଣାପଡିଥିଲା । ଅଧିକ ପଚରାଉଚରା ପାଇଁ ସମସ୍ତଙ୍କୁ ଥାନାକୁ ଅଣାଯାଇଥିଲା । ପଚରାଉଚରା ବେଳେ ସେମାନେ ମାଲକାନଗିରିରୁ ଗଞ୍ଜେଇ ନେଇ ପାପଡାହାଣ୍ଡି ଯାଇଥିଲେ । ମାଲ୍ ଅନଲୋଡ ପରେ କୁ୍ୟଣ୍ଟାଲ ପିଛା ଦେଢ ଲକ୍ଷ ହିସାବରେ ପେମେଣ୍ଟ ନେଇଥିଲେ । ବଳକା ଟଙ୍କା ଆଡଭାନ୍ସ ଆକାରରେ ଆଣିଥିଲେ । ଅଗ୍ରୀମ ଆଣିଥିବା ଟଙ୍କାର ଗଞ୍ଜେଇ ସେମାନେ ସୁବିଧା ଦେଖି ପାର୍ଟିକୁ ଯୋଗାଇ ଦେଇଥାନ୍ତେ ବୋଲି କହିଥିଲେ । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଅଧିକ ତଥ୍ୟ ସଂଗ୍ରହ ଲାଗି ଅଭିଯୁକ୍ତଙ୍କୁ ପଚରାଉଚରା ଚାଲିଛି । ଏସଆଇ ମୁକୁନ୍ଦଦେବ ନାୟକ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।
Comments are closed, but trackbacks and pingbacks are open.