ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଗୋଟିଏ ଜାତିର ହୋଇଥିଲେ ମଧ୍ୟ ମିଳିଲାନି ସାମାଜିକ ସ୍ୱୀକୃତି । ତେଣୁ ଦୁହେଁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲେ । ପ୍ରେମିକ ପ୍ରେମିକା ଏକାଠି କୀଟନାଶକ ପିଇଦେଲେ । ଏଥିରେ ପ୍ରେମିକାଙ୍କ ମୃତୁ୍ୟ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ପ୍ରେମିକକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାଇଘର ଥାନା ସାଗରପାରା ଗାଁରେ । ମୃତାଯୁବତୀ ହେଲେ ତୋଳାବାଈ ଗଣ୍ଡ (୨୫) ଓ ଗୁରୁତର ପ୍ରେମିକ ହେଲେ ହଳଦାସ ଗଣ୍ଡ (୨୫) । ରାଇଘର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ହଳଦାସଙ୍କୁ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସ୍ଥିର ଥିବା ବେଳେ ଆଉ ୪୮ଘଣ୍ଟା ପରେ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିବ ନା ନାହିଁ ଜଣାପଡିବ ବୋଲି ଡାକ୍ତର କହିଛନ୍ତି । ପୁଲିସ ଏନେଇ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ରାଇଘର ଥାନା ସାଗରପାରା ଗାଁର ହଳଦାସ ଗଣ୍ଡ ଓ ତୋଳାବାଈ ଗଣ୍ଡ ୨ ବର୍ଷ ହେଲା ପରସ୍ପରକୁ ଭଲ ପାଉଥିଲେ । ଶନିବାର ରାତି ଖାଇସାରି ନାକଟିସିମଡା ମଣ୍ଡେଇଯାତ୍ରା ଦେଖିବାକୁ ଉଭୟ ଯାଇଥିଲେ । ରାତିରେ ଗାଁକୁ ଫେରି ତୋଳାବାଈଙ୍କୁ ତାଙ୍କ ବଡ ଭଉଣୀଙ୍କ ଘରେ ଛାଡି ହଳଦାସ ଗାଁରୁ ୨କିମି ଦୂର ଜଙ୍ଗଲରେ ଶୋଇ ପଡିଥିଲେ । ବିଳମ୍ବିତ ରାତିରେ ସେହିରାସ୍ତାଦେଇ ହଳଦାସଙ୍କ ବଡଭାଇ ସେହି ରାସ୍ତା ଦେଇ ଗାଁକୁ ଫେରୁଥିଲେ । ହଳଦାସ ଜଙ୍ଗଲରେ ଶୋଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ପଡିଥିଲେ । ରାତି ଅଧରେ ଜଙ୍ଗଲରେ ଶୋଇଥିବା ଦେଖି ହଳଦାସଙ୍କୁ ଉଠାଇ ଘରକୁ ନେଇଥିଲେ । ହଳଦାସଙ୍କୁ ସକାଳେ ଉଠାଇବା ବେଳେ ସେ ଉଠି ନଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିବା ପରେ ପରିବାର ଲୋକେ ତୁରନ୍ତ ତାଙ୍କୁ ରାଇଘର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅନ୍ୟପଟେ ସକାଳେ ତୋଳାବାଈଙ୍କ ସ୍ୱାସ୍ଥ୍ୟ ଗୁରୁତର ହୋଇପଡିବାରୁ ପରିବାର ଲୋକ ତାଙ୍କୁ ଡାକ୍ତରଖାନା ନେବା ପାଇଁ ପ୍ରସ୍ତୁତ ହେବା ବେଳେ ଘରେ ତାଙ୍କ ମୃତୁ୍ୟ ଘଟିଥିଲା । ଡାକ୍ତରଖାନାରେ ହଳଦାସ ଏବେ ମୃତୁ୍ୟ ସହ ସଂଘର୍ଷ କରୁଛନ୍ତି । ଏନେଇ ଡାକ୍ତର ରୂପେଶ ଢାଳିଙ୍କୁ ପଚାରିବାରେ ହଳଦାସଙ୍କ ଅବସ୍ଥା ସଂକଟାପନ୍ନ ରହିଛି ବୋଲି କହିଛନ୍ତି । ବର୍ତ୍ତମାନ ଚିକିତ୍ସା ଜାରି ରହିଛି । ଆଉ ୪୮ଘଣ୍ଟା ଅବଜରଭେସନ ପରେ ସ୍ୱାସ୍ଥ୍ୟରେ ଉନ୍ନତି ହେବ କି ନାହିଁ ଜଣାପଡିବ ବୋଲି ସେ କହିଛନ୍ତି । ତେବେ କେଉପ୍ରକାର ବିଷପାନ କରିଥିଲେ ଜଣାପଡି ନଥିଲେ ମଧ୍ୟ ମୁହଁରୁ ବାହାରୁଥିବା ଦୁର୍ଗନ୍ଧରୁ କୌଣସି କୀଟନାଶକ ଖାଇଥିବା ଅନୁମାନ କରାଯାଉଛି ବୋଲି ଡାକ୍ତର କହିଛନ୍ତି । ଏନେଇ ଥାନା ଅଧିକାରୀ ସରିତା ମହାପାତ୍ର କହିଛନ୍ତି ଯେ, ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଛି । ଉଭୟ ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । କିନ୍ତୁ ଉଭୟଙ୍କ ପରିବାର ସ୍ୱୀକୃତି ଦେଇ ନଥିବାରୁ ଏଭଳି ଚରମ ପଦକ୍ଷେପ ନେଇଥିବା ଗ୍ରାମବାସୀଙ୍କଠାରୁ ଜଣାପଡିଥିବା ସେ କହିଛନ୍ତି ।


Comments are closed, but trackbacks and pingbacks are open.