ଚିଲିକାରେ ଡଙ୍ଗା ବୁଡ଼ିଲା: ୭ ଗୁରୁତର

Get real time updates directly on you device, subscribe now.

ଚିଲିକା, (ବି.ବି.ନୁ୍ୟଜ୍): ଚିଲିକାରେ ପୁଣି ଡଙ୍ଗାବୁଡ଼ି । ରବିବାର ମା’ କାଳିଜାଈ ଦର୍ଶନ ଓ ବଣଭୋଜି ନିମନ୍ତେ ଯାଇଥିବା ସ୍ଥାନୀୟ ବାସିନ୍ଦାଙ୍କ ଡଙ୍ଗା ଚିଲିକାର ଅତଳ ଜଳରାଶିରେ ବୁଡ଼ି ଯାଇଥିଲା । ଫଳରେ ୭ ଜଣ ଗୁରୁତର ହୋଇଛନ୍ତି । ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି ।
ରବିବାର ସକାଳେ ସୁବୁଦ୍ଧିପାଟଣା, ବଡ଼କୁଳ ଓ ଆଙ୍କୁଲା ଗ୍ରାମର ପ୍ରାୟ ୪୫ଜଣ ଯାତ୍ରୀ ବଣଭୋଜି ନିମନ୍ତେ ମା’ କାଳିଜାଈଙ୍କ ପୀଠକୁ ୩ଟି ଡ଼ଙ୍ଗାରେ ଯାଇଥିଲେ । ସେଠାରେ ଭୋଜି ଖାଇ ସାରିବା ପରେ ୨ଟି ଡଙ୍ଗାରେ ୨୮ ଜଣ ଫେରି ଆସିଥିବା ବେଳେ ଅନ୍ୟମାନେ ରହିଯାଇଥିଲେ । ସନ୍ଧ୍ୟା ପ୍ରାୟ ୫ଟା ୩୦ ମିନିଟ୍ ସମୟରେ ୧୭ଜଣଙ୍କୁ ଧରି ଏହି ଡ଼ଙ୍ଗାଟି ବଡ଼କୁଳ ଜେଟି ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଗଭୀର ଜଳ ଥିବା କାଳିଜାଈ ଗଣ୍ଡଠାରେ ବୁଡ଼ି ଯାଇଥିଲା । ଖବର ପାଇ ୩ଟି ମତ୍ସ୍ୟଜୀବୀ ଓ ଯାତ୍ରୀ ଡ଼ଙ୍ଗା ସେଠାରେ ପହଞ୍ଚି ଲାଇଫ୍ ଜ୍ୟାକେଟ୍ ଦେବା ସହିତ ବୁଡ଼ି ଯାଇଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ।
ଗୁରୁତର ହେଲେ ବୋରିଆ ସାହିର ଅର୍ଜୁନ ବିଶ୍ୱାଳଙ୍କ ପତ୍ନୀ ସତ୍ୟଭାମା ବିଶ୍ୱାଳ (୫୦), ଚନ୍ଦ୍ରାପୁଟ ଗ୍ରାମର ଅଶୋକ ଜେନାଙ୍କ ପତ୍ନୀ ରୀନା ଜାଲି (୩୭), ତୋଟାପଡ଼ା ଗ୍ରାମର ଦେବରାଜ ବିଶୋଇଙ୍କ ପତ୍ନୀ ଭାନୁମତୀ ବିଶୋଇ (୫୦), ନିଆଜ ବିଶୋଇଙ୍କ ପତ୍ନୀ ମଞ୍ଜୁ ବିଶୋଇ (୪୫), ବୁଟୁ ବିଶୋଇଙ୍କ ପତ୍ନୀ ସୁନିତା ବିଶୋଇ (୬୦), ଆଙ୍କୁଲା ଗ୍ରାମର କବିରାଜ ଦଳେଇଙ୍କ ପତ୍ନୀ ଅଗାଡ଼ି ଦଳାଇ (୬୦) ଏବଂ ବଡ଼କୁଳ ଗ୍ରାମର ଇଚ୍ଛା ଦେଇ । ବାଲୁଗାଁ ଡାକ୍ତରଖାନାରେ ସେମାନଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଅଗାଡ଼ି ଦଳାଇ ଓ ରୀନା ଜାଲିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।
ଉକ୍ତ ଡଙ୍ଗାଟି କେବଳ ମାଛଧରା ବ୍ୟବହାର ହେଉଥିବା ଯୋଗୁଁ ଯାତ୍ରୀ ଯିବା ପାଇଁ ଅନୁପଯୁକ୍ତ । ଉକ୍ତ ଡ଼ଙ୍ଗାରେ ମାଛ ମାରିବା ପାଇଁ କିଛି ଜାଲ ମଧ୍ୟ ରହିଥିଲା । ଯାହାଫଳରେ ଅତ୍ୟଧିକ ଓଜନରେ ଡଙ୍ଗାରେ ପାଣି ପଶି ଯିବାରେ ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା ।
ସୂଚନାଯୋଗ୍ୟ ଯେ, ୨୦୧୮ ଜୁନ୍ ମାସରେ ଚିଲିକାରେ କାଳବୈଶାଖୀ ପ୍ରଭାବରେ କାଳିଜାଈ ଗଣ୍ଡରେ ଯାତ୍ରୀବାହୀ ଡ଼ଙ୍ଗା ବୁଡ଼ିଯାଇ ୬ଜଣ ପ୍ରାଣ ହରାଇଥିଲା । ଏହାପରେ ପ୍ରଶାସନ ଡଙ୍ଗା ଯାଞ୍ଚ ଓ ସେଫ୍ଟି ଜ୍ୟାକେଟ୍, ଲାଇସେନ୍ସ ଆଦି ବାବଦରେ ଅଙ୍କୁଶ ଲଗାଇ ପ୍ରାୟ ୪ମାସ ଧରି ଡଙ୍ଗା ଚଳାଚଳ ଚିଲିକାରେ ବନ୍ଦ ରହିଥିଲା । ହେଲେ ଚିଲିକା ଉପରେ ନିର୍ଭର କରୁଥିବା ମତ୍ସ୍ୟ ବ୍ୟବସାୟୀଙ୍କ ଡ଼ଙ୍ଗାକୁ ଅଙ୍କୁଶ ନ ଥିବା ଯୋଗୁ ଏଭଳି ଘଟଣା ଘଟିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons