ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପ୍ରଥମ ଥର ପାଇଁ ଆଇଓସିଏଲ ଏବଂ ରୋଜନେଫ୍ଟ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛି । ନୂଆଦିଲ୍ଲୀଠାରେ ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଜନେଫ୍ଟ ସିଇଓ ଇଗୋର ସଚିନ୍ ଓ ତାଙ୍କର ପ୍ରତିନିଧି ମଣ୍ଡଳି ସହ ଆଲୋଚନା କରିବା ଅବସରରେ ଏହି ଚୁକ୍ତି ସ୍ୱାକ୍ଷର ହୋଇଛି । ଏହି ଚୁକ୍ତି ଫଳରେ ଋଷ ଭାରତକୁ ବାର୍ଷିକ ୨ ଏମ୍ଏମ୍ଟି ଅଶୋଧିତ ତୈଳ ଯୋଗାଇବ ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏ ଚୁକ୍ତି ଦ୍ୱାରା ଅଶୋଧିତ ତୈଳ ଆମଦାନି କ୍ଷେତ୍ରରେ ଭାରତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । ଏହି ଚୁକ୍ତି ଭାରତର ଉର୍ଜ୍ଜା ସୁରକ୍ଷାକୁ ବଢାଇବା ଦିଗରେ ବଡ଼ ପଦକ୍ଷେପ । ଭାରତ ଏବଂ ଋଷ ସମ୍ପର୍କ ମଧ୍ୟରେ ହାଇଡ୍ରୋକାର୍ବନ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ଭାରତର ଉର୍ଜ୍ଜା ସୁରକ୍ଷାରେ ରୋଜନେଫ୍ଟ ଏକ ଭଲ ସହଯୋଗୀ କମ୍ପାନି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଭାରତୀୟ ତୈଳ ଏବଂ ଗ୍ୟାସ ପିଏସ୍ୟୁ ଏବଂ ରୋଜନେଫ୍ଟ ମଧ୍ୟରେ ଚାଲୁଥିବା ଦ୍ୱିପାକ୍ଷିକ ପୁଞ୍ଜିନିବେଶ ଉପରେ କେନ୍ଦ୍ରମନ୍ତ୍ରୀ ଓ ରୋଜନେଫ୍ଟ ସିଇଓ ସମୀକ୍ଷା କରିଥିଲେ । ଦ୍ୱିପାକ୍ଷିକ ଉର୍ଜା ସହଯୋଗକୁ ବଢାଇବା ଓ ପ୍ରାକୃତିକ ଗ୍ୟାସ ଏବଂ ଅଶୋଧିତ ତୈଳରେ ପୁଞ୍ଜିନିବେଶ ମାଧ୍ୟମରେ ହାଇଡ୍ରୋକାର୍ବନ କ୍ଷେତ୍ରକୁ ମଜବୁତ୍ କରିବା ଉପରେ ଉଭୟ ଆଲୋଚନା କରିଥିଲେ ।
ଉଲ୍ଲେଖଯୋଗ୍ୟ,ଆଜିର ବୈଠକରେ ଋଷର ଭୋଷ୍ଟକ ପ୍ରକଳ୍ପରେ ଭାରତର ପୁଞ୍ଜିନିବେଶର ରୋଡମ୍ୟାପ୍ ସମେତ ଗତବର୍ଷ ସେପ୍ଟେମ୍ବରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଋଷ ଗସ୍ତ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା । ଆଜି ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତିକୁ ଆଗକୁ ନେବା ନେଇ ଉଭୟ ସମ୍ମତି ପ୍ରକାଶ କରିଥିଲେ ।
Comments are closed, but trackbacks and pingbacks are open.