ଉମରକୋଟ, (ବି.ବି.ନୁ୍ୟଜ୍): ରାଇଘର ଥାନା ପଖନାଗୁଡା ଗାଁରୁ ଦୁଇଦିନ ତଳେ ନିଖୋଜ ହୋଇଥିବା ଦୁଇ ନାବାଳିକା ଭଉଣୀଙ୍କ ଶବ ଗାଁର ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରାଯାଇଛି । ତେବେ ପାଣିରେ ବୁଡି ଦୁଇଉଭଣୀଙ୍କ ମୃତୁ୍ୟ ହୋଇଥିବା କଥାକୁ ପରିବାର ଓ ଗ୍ରାମବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି । କେହି ହତ୍ୟାକରି ଫିଙ୍ଗି ଦେଇଥିବା ଓ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଅପରାହ୍ନରେ କୋରାପୁଟ ଏସପି ମୁକେଶକୁମାର ଭାମୁ ସେଠାରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ଉପଯୁକ୍ତ ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସନ୍ଧ୍ୟାରେ ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯାଇଥିଲା ।
ସୂଚନା ଯୋଗ୍ୟ ଯେ, ଗୋନା ଗାଁର ପ୍ରକାଶ ପାଣ୍ଡେଙ୍କ ଝିଅ ଲକ୍ଷ୍ମୀ(୭)ଗତ ମଙ୍ଗଳବାର ପରିବାର ସହ କସକଙ୍ଗା ପଞ୍ଚାୟତ ପଖନାଗୁଡା ଗାଁର ମାମୁଁ ସିଜେନ ତିୱାରୀଙ୍କ ଘରକୁ ଯାଇଥିଲେ । ଅପରାହ୍ନରେ ସିଜେନଙ୍କ ଝିଅ ପଞ୍ଚବତୀ(୮)ଙ୍କ ସହ ଲକ୍ଷ୍ମୀ ଘର ନିକଟରେ ଖେଳୁଥିଲେ । ଉଭୟ ଖେଳୁଥିବା ଗ୍ରାମବାସୀ ଦେଖିଥିଲେ । କିନ୍ତୁ କିଛି ସମୟ ପରେ ଉଭୟଙ୍କ ଦେଖା ମିଳି ନଥିଲା । ପରିବାର ଲୋକେ ଖୋଜାଖୋଜି କରି ନିରାଶ ହେବା ପରେ କୁନେ୍ଦଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଗତକାଲି ସନ୍ଧ୍ୟାରେ ଦୁଇ ନାବାଳିକାଙ୍କ ଶବ ଗାଁ ନିକଟ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରାଯାଇଥିଲା । ରାଇଘର ଥାନା ଅଧିକାରୀ, ଫରେନ୍ସିକ ଟିମ୍ଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗ କୂଅରୁ ଶବ ଉଦ୍ଧାର କରିଥିଲା । ଶବ ମିଳିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଥିଲା । କାନ୍ଦବୋବାଳିରେ ଗାଁଦାଣ୍ଡ ଫାଟି ପଡିଥିଲା । କେହି ବଳି ଦେବା ପାଇଁ କିମ୍ବା ମାନବ ଚାଲାଣ ଉଦେ୍ଧଶ୍ୟରେ ଅପରହଣ କରି ନେଇଥିବା ଭଳି ଗାଁରେ ଗୁଜବ ସୃଷ୍ଟି ହୋଇଥିଲା । କିନ୍ତୁ ଶବ ମିଳିବା ପରେ ଏହି ଗୁଜବର ଅବସାନ ଘଟିଥିଲା । ପ୍ରାଥମିକ ତଦନ୍ତ ପରେ କୌଣସି କାରଣବଶତଃ କୂଅରେ ଉଭୟ ଖସି ପଡିଥିବାରୁ ମୃତୁ୍ୟ ଘଟିଥିବା ପୁଲିସ କହିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଅତିରିକ୍ତ ତହିସିଲଦାର ମନୋଜକୁମାର ପାଣିଗ୍ରାହୀ କହିଛନ୍ତି । ଉଭୟ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରୁ ୨ହଜାର ଲେଖାଏଁ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଉମରକୋଟ ଆଇଆଇସି ଉମେଶ ସାହୁ ଘଟଣାର ତଦନ୍ତ କରୁଛନ୍ତି ।
Comments are closed, but trackbacks and pingbacks are open.