ଦିଲ୍ଲୀରେ ୫୮ ପ୍ରତିଶତ ମତଦାନ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ମତଦାନ ଶେଷ ହୋଇଛି । ସର୍ବଶେଷ ଖବର ଅନୁସାରେ ମତଦାନ ହାର ୫୮ ପ୍ରତିଶତ ଥିବା ଜଣାପଡିଛି । ନିର୍ବାଚନରେ ୭୯ ମହିଳାଙ୍କ ସମେତ ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଯାଇଛି । ଆସନ୍ତା ୧୧ ତାରିଖ (ମଙ୍ଗଳବାର) ଭୋଟ ଗଣତି କରାଯିବା ସହ ଫଳାଫଳ ପ୍ରକାଶ ପାଇବ । ବିଧାନସଭାର ୭୦ ଆସନ ପାଇଁ ଶନିବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା । ପ୍ରାରମ୍ଭରେ ମତଦାନ ହାର ବହୁତ କମ୍ ରହିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପୋଲିଂବୁଥରେ ଭୋଟରଙ୍କ ଲମ୍ବାଧାଡି ଦେଖିବାକୁ ମିଳିଥିଲା । ଏପରିକି ସମୟ ଶେଷ ହେବା ପରେ ମଧ୍ୟ କେତେକ ବୁଥରେ ଲୋକମାନେ ମତଦାନ କରିବାକୁ ଧାଡିରେ ଠିଆ ହୋଇଥିବା ଦେଖାଯାଇଥିଲା । ମତଦାନ ପାଇଁ ସହରର ୨,୬୮୯ ପୋଲିଂ ଷ୍ଟେସନରେ ପ୍ରାୟ ୧୩,୭୫୦ ବୁଥ ପ୍ରତିÂା କରାଯାଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲାଗି ଦିଲ୍ଲୀ ପୁଲିସ ସମେତ କେନ୍ଦ୍ରୀୟ ପୁଲିସ ବାହିନୀ ଓ ଗୃହରକ୍ଷୀ ବାହିନୀ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପତ୍ନୀଙ୍କ ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପରିବାର ସଦସ୍ୟଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ, ଦିଲ୍ଲୀ ବିଜେପି ଶାଖା ମୁଖ୍ୟ ମନୋଜ ତିୱାରୀ ପ୍ରମୁଖ ନେତାମାନେ ସଅଳ ଭୋଟ ଦେଇଥିଲେ । ଏହି ନିର୍ବାଚନରେ ଆପ୍, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେ଼ଇ ଦେଖିବାକୁ ମିଳିଛି । ୨୦୧୫ ନିର୍ବାଚନରେ ୬୭.୪୭ ପ୍ରତିଶତ ମତଦାନ ହୋଇଥିଲା । ଏଥିରେ ୭୦ ଆସନରୁ ଆପ୍ ୬୭ଟି ଆସନ ପାଇଥିଲା ବେଳେ ବିଜେପିକୁ ୩ଟି ଆସନ ମିଳିଥିଲା । କଂଗ୍ରେସ ଖାତା ଖୋଲିପାରିନଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons