ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜ୍ୟ ସରକାର ସର୍ବଦା ମିଛ ତଥ୍ୟ ଓ ବିଜ୍ଞାପନ ମାଧ୍ୟମରେ ନିରୀହ ଗରିବ ହିତାଧିକାରୀଙ୍କୁ ବିଭ୍ରାନ୍ତ କରିବା ସହ ତାଙ୍କୁ ସେମାନଙ୍କୁ ହକ୍ ପାଇବାରୁ ବଞ୍ଚିତ କରୁଛନ୍ତି । ଗରିବ ବାସହୀନଙ୍କୁ ଗୋଟିଏ ପରେ ଗୋଟିଏ ଦିବା ସ୍ୱପ୍ନ ଦେଖାଇ ବିଜେଡି ସରକାର ପ୍ରତାରଣା କରୁଛନ୍ତିି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ସେ ଅଭିଯୋଗ କରିଛନ୍ତି, ଏ ପର୍ଯ୍ୟନ୍ତ ରାଜ୍ୟ ସରକାର କେତୋଟି ପରିବାର ପକ୍କା ଘର ପାଇବାକୁ ଯୋଗ୍ୟ ସେ ତାଲିକା ପ୍ରସ୍ତୁତ କରିନାହାନ୍ତି । ରାଜ୍ୟ ସରକାର ପ୍ରଥମେ ୨୭ ଲକ୍ଷ ୪୯ ହଜାର ୬୧୭ ହିତାଧିକାରୀଙ୍କ ତାଲିକା ଘୋଷଣା କରିଥିଲେ । ପ୍ରମୁଖ ବିରୋଧୀ ଦଳ ଭାବେ ବିଜେପି ଦଳୀୟ ଭିତିରେ ପ୍ରସ୍ତୁତ ହୋଇଥିବା ଏହି ତାଲିକାକୁ ବିରୋଧ କରିଥିଲା । ଚାପରେ ରାଜ୍ୟ ସରକାର ଏହାର ତଦନ୍ତ କରିବା ପରେ ଏହି ତାଲିକାରେ ବହୁ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଥିବା ସ୍ପଷ୍ଟ ହୋଇଥିଲା । ପୁନଃ ତାଲିକା ପ୍ରସ୍ତୁତ କରିବେ ବୋଲି କହି ସରକାର ଏଯାଏ ତାଲିକା ପ୍ରସ୍ତୁତ କରିନାହାନ୍ତି । ଏପରିକି ରାଜ୍ୟରେ ୪୩ହଜାର ଭୂମିହୀନଙ୍କୁ ଘରଡିହ ପ୍ରଦାନ କରାଯାଇ ନାହିଁ । ଅନ୍ୟପଟେ ରାଜ୍ୟ ସରକାର ଆଗାମୀ ୩ ବର୍ଷରେ ରାଜ୍ୟରେ ୨୦ଲକ୍ଷ ବିଜୁ ପକ୍କା ଘର ଯୋଗାଇ ଦେବାର ଘୋଷଣା କରି ରାଜ୍ୟବାସୀଙ୍କୁ ପୁଣି ଥରେ ବିଭ୍ରାନ୍ତ କରିବାର ଅପଚେଷ୍ଟା କରିଛନ୍ତି । ନବୀନ ସରକାର କିପରି ୨୦ ଲକ୍ଷ ପକ୍କା ଘର ଆବଶ୍ୟକ ଥିବା ଜାଣିଲେ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିବା ସହ ଏହା ଖରାବେଳେ ଲଣ୍ଠନ ଦେଖାଇବା ସଦୃଶ ବୋଲି ଅଭିଯୋଗ କରିଛନ୍ତି ।
ଶ୍ରୀ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାର ଘୋଷଣା କରିଥିବା ୨୦ ଲକ୍ଷର ହିତାଧିକାରୀ ତାଲିକାକୁ ତୁରନ୍ତ ସାର୍ବଜନୀନ କରିବା ସହ କେଉଁ ଯୋଜନାରେ କେତେ ସଂଖ୍ୟାରେ ପକ୍କା ଘର ନିର୍ମାଣ କରିବେ, ତାହା ସ୍ପଷ୍ଟ କରନ୍ତୁ । ସେଥିରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା, ଖଣିଜ ପାଣ୍ଠି ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରେ ଥିବା ବାସଗୃହ ସଂଖ୍ୟାର ତାଲିକା ପୃଥକ ପୃଥକ ପ୍ରକାଶ କରନ୍ତୁ । ଜିଲ୍ଲାୱାରି ସଠିକ୍ ତାଲିକା ପ୍ରସ୍ତୁତ କରାଯାଇ ହିତାଧିକାରୀଙ୍କ ନାମ ପ୍ରତି ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରକାଶ କରାଯାଉ । ଯେପରି ଜଣେ ସୁଦ୍ଧା ଯୋଗ୍ୟ ହିତାଧିକାରୀ ଏହି ଚୂଡ଼ାନ୍ତ ତାଲିକାରୁ ବାଦ୍ ନପଡନ୍ତି ସେଥିପାଇଁ ଗୁରୁତର ସହ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି । ଏଥିପାଇଁ ୪୦ହଜାର କୋଟି ଟଙ୍କାର ବଜେଟ ବ୍ୟୟବରାଦ ଘୋଷଣା କରିବାକୁ ସରକାରଙ୍କୁ ଶ୍ରୀ ହରିଚନ୍ଦନ ଆହ୍ୱାନ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ପ୍ରଧାନ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.