ନୂଆଦିଲ୍ଲୀ/ବେଜିଂ: ରବିବାର ଚୀନ୍ ପାଇଁ ଆଉ ଏକ ଖରାପ ଦିନ ସାବ୍ୟସ୍ତ ହୋଇଛି । ଗୋଟିଏ ଦିନରେ ଚୀନ୍ରେ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ୯୭ ଜଣ ପ୍ରାଣ ହରାଇଛନ୍ତି । ଏହାଯୋଗୁ ସମଗ୍ର ବିଶ୍ୱରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୯୧୦କୁ ବୃଦ୍ଧି ପାଇଛି । ୪୦,୬୧୮ ଜଣ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଥିବା ସରକାରୀ ଭାବେ କୁହାଯାଇଛି । ଅପରପକ୍ଷରେ, ଆମେରିକାରେ ନିର୍ବାସିତ ଜୀବନ ବିତାଉଥିବା ଚୀନ୍ର ଜଣେ ବ୍ୟବସାୟୀ ଗୁଓ ୱେନଗୁଇ ଦାବି କରିଛନ୍ତି ଯେ ଏହି ଭାଇରସ ଯୋଗୁ କେବଳ ୱୁହାନରେ ପ୍ରାୟ ୫୦,୦୦୦ ଲୋକ ପ୍ରାଣ ହରାଇଲେଣି । ପ୍ରାୟ ଦେଢ଼ କୋଟି ଲୋକ ଆକ୍ରାନ୍ତ ହୋଇଛନ୍ତି । ୱୁହାନ ସହରର ବିଭିନ୍ନ ଶବଦାହ ଗୃହରୁ ସଂଗୃହୀତ ତଥ୍ୟକୁ ଭିତ୍ତି କରି ସେ ଏହି ସୂଚନା ଦେଇଥିବା କହିଛନ୍ତି । ତାଙ୍କ ଅନୁସାରେ, ଶବଦାହଗୃହ ଗୁଡିକ ଦିନରାତି ୨୪ ଘଣ୍ଟା କାମ କରୁଛି ଏବଂ ସେଠାରେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ତଥ୍ୟ ତୁଳନାରେ ଅଧିକ ଲୋକଙ୍କ ଶବ ପୋଡ଼ା ଯାଉଛି ।
ପାଶ୍ଚାତ୍ୟ ଦେଶର ଆଉ ଜଣେ ସଂକ୍ରାମକ ରୋଗ ବିଶେଷଜ୍ଞ ନୀଲ ଫରଗୁସନ କହିଛନ୍ତି ଯେ ଚୀନ୍ରେ ଏବେ ପ୍ରତିଦିନ ପ୍ରାୟ ୫୦ ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହେଉଛନ୍ତି ଏବଂ ପ୍ରତି ୫ ଦିନରେ ଏହା ଦୁଇଗୁଣ ହେଉଛି । ସେ ଏକ କମ୍ପୁ୍ୟଟର ମଡେଲ ମାଧ୍ୟମରେ ଏହି ଆକଳନ କରିଛନ୍ତି । ତାଙ୍କ ଅନୁସାରେ, ଚୀନ୍ ଗୋଟିଏ ସପ୍ତାହ ଯାଏଁ ପ୍ରତିଦିନ ପ୍ରାୟ ୩୦୦୦ ଲୋକ ଏଥିରେ ଆକ୍ରାନ୍ତ ହେଉଥିବାର ଦେଖାଉଥିଲା । ଏବେ କିନ୍ତୁ ଏହାକୁ କମ୍ କରି ଦେଖାଉଛି । ଯଦି ଚୀନ୍ ଦ୍ୱାରା ପ୍ରତିଦିନ ୩୦୦୦ ଲୋକ କରୋନାରେ ଆକ୍ରାନ୍ତ ହେଉଥିବାର ଦାବିକୁ ଠିକ୍ ବୋଲି ଧରାଯାଏ, ତାହାହେଲେ ସେଠାକାର ସରକାର ଦେଶର ୨୧ଟି ସହରକୁ ଅଚଳ କରି ରଖିବାର କାରଣ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ମଧ୍ୟ ଦାବି କରିଛନ୍ତି ଯେ କରୋନା ଚିହ୍ନଟ ପାଇଁ ଆବଶ୍ୟକ ଉପକରଣର ଅଭାବ ଯୋଗୁ ଚୀନ୍ କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରୁ ମାତ୍ର ୧୦ଧ ଲୋକଙ୍କୁ ଚିହ୍ନଟ କରିପାରୁଛି । ତେଣୁ ସେ ଭାବୁଛନ୍ତି କି ଆକ୍ରାନ୍ତଙ୍କ ସଂଖ୍ୟା ପ୍ରକୃତରେ ବହୁତ ଅଧିକ । ଚୀନ୍ର କିଛି ସରକାରୀ ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ସୂଚନାର ବିଶ୍ଲେଷଣ କଲେ ତାହା ପ୍ରଫେସର ନୀଲ ଫରଗୁସନଙ୍କ ମତ ସହିତ ମେଳ ଖାଉଛି ବୋଲି ମନେ ହେଉଛି । ଗତ ସପ୍ତାହରେ ଚୀନ୍ ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଥିଲେ ଯେ କରୋନା ଚିହ୍ନଟ କରିବା ପାଇଁ ହୁବେଇ ପ୍ରଦେଶରେ ମାତ୍ର ୫୦ ହଜାର କିଟ୍ ଉପଲବ୍ଧ ଅଛି । କିନ୍ତୁ କରୋନା ଯେଉଁଭଳି ବ୍ୟାପୁଛି, ତାହାକୁ ଦେଖିଲେ ଏତିକି କିଟ୍ ଯଥେଷ୍ଟ ନୁହେଁ । ତାଙ୍କ ସୂଚନାରୁ ଚୀନ୍ ସବୁ ରୋଗୀଙ୍କୁ ଚିହ୍ନଟ କରିବାରେ ଅସମର୍ଥ ବୋଲି ସ୍ପଷ୍ଟ ହେଉଛି ।
ଚୀନ୍ର ୱୁହାନ ସହରରେ ସବୁଠାରୁ ଅଧିକ ଲୋକ କରୋନା ଯୋଗୁ ପ୍ରାଣ ହରାଇଥିଲାବେଳେ ସେଠାକାର ପ୍ରଶାସନ ଏସମ୍ପର୍କିତ ତଥ୍ୟ ଲୁଚାଉଛି ଏବଂ ଶବଗୁଡ଼ିକୁ ଗୋପନୀୟ ଭାବେ ପୋଡି ଦେଉଛି ବୋଲି ଗତ କିଛି ଦିନ ହେଲା ଅଭିଯୋଗ କରାଯାଉଥିଲା । ଏବେ ଉପଗ୍ରହ ଚିତ୍ରରୁ ଏପ୍ରକାର ଅଭିଯୋଗରେ ସତ୍ୟତା ରହିଛି ବୋଲି ଜଣାପଡ଼ିଛି । ଉପଗ୍ରହ ଚିତ୍ରରୁ ଚୀନ୍ର ଦୁଇଟି ସହର ୱୁହାନ ଏବଂ ଚୋଙ୍ଗକିଙ୍ଗ ଉପରେ ବ୍ୟାପକ ମାତ୍ରାରେ ସଲଫର ଡାଇଅକ୍ସାଇଡ୍ ଥିବାର ସ୍ପଷ୍ଟ ହେଉଛି । ମଣିଷର ଶବ ପୋଡାଗଲେ ସେଥିରୁ ସଲଫର ଡାଇଅକ୍ସାଇଡ ବାହାରୁଥିବାରୁ ଚୀନ୍ର ଉକ୍ତ ଦୁଇଟି ସହରରେ ଏହାର ମାତ୍ରା ବଢ଼ିଯିବାର କାରଣ ସହ ତାହାର ଲିଙ୍କ୍ ଥିବାର ମନେ କରାଯାଉଛି । ଏହି ଆଧାରରେ କୁହାଯାଉଛି କି ଉକ୍ତ ଦୁଇଟି ସହରରେ ବ୍ୟାପକ ମାତ୍ରାରେ ଶବ ପୋଡ଼ା ଯାଉଛି ।
ଚେକ୍ ରିପବ୍ଲିକ୍ ସ୍ଥିତ ପାଣିପାଗ ସୂଚନାପ୍ରଦାନକାରୀ ସଂସ୍ଥା ୱିଣ୍ଡି.କମ୍ ଏହି ଉପଗ୍ରହ ଚିତ୍ରକୁ ସାର୍ବଜନୀନ କରିଛି । ଏଥିରେ ଦେଖାଯାଉଛି କି ୱୁହାନ ସହର ଉପରେ ସଲଫର ଡାଇଅକ୍ସାଇଡର ପରିମାଣ ପୂର୍ବାପେକ୍ଷା ଯଥେଷ୍ଟ ବଢ଼ିଯାଇଛି । ଏବେ ୱୁହାନ ସହର ଉପରିସ୍ଥ ବାୟୁମଣ୍ଡଳରେ ପ୍ରତି ଘନମିଟରରେ ୧୩୫୦ ମାଇକ୍ରୋଗ୍ରାମ୍ ସଲଫର ଡାଇଅକ୍ସାଇଡ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ପ୍ରତି ଘନ ମିଟର ପିଛା ୫୦୦ ମାଇକ୍ରୋଗ୍ରାମ ସଲଫର ଡାଇଅକ୍ସାଇଡ ୧୦ ମିନିଟରୁ ଅଧିକ ସମୟ ରହିଲେ ତାହା ମଣିଷର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ସେହିପରି ବ୍ରିଟେନ ସରକାରଙ୍କ ନିଦେ୍ର୍ଧଶାବଳୀ ଅନୁସାରେ, ପ୍ରତି ଘନମିଟର ପିଛା ୫୩୩ ମାଇକ୍ରୋଗ୍ରାମର ସଲଫର ଡାଇଅକ୍ସାଇଡ ୧୫ ମିନିଟରୁ ଅଧିକ ରହିଲେ ତାହାକୁ ମାତ୍ରାଧିକ ବୋଲି ମନେ କରାଯିବ । ତେଣୁ ୱୁହାନ ସହର ଉପରେ ପ୍ରତି ଘନମିଟର ପିଛା ୧୩୫୦ ମାଇକ୍ରୋଗ୍ରାମ ସଲଫର ଡାଇଅକ୍ସାଇଡ ମିଳିବାକୁ ଅସ୍ୱାଭାବିକ ବୋଲି ମନେ କରାଯାଉଛି । ମଣିଷର ଶବ ପୋଡାଗଲେ ସଲଫର ଡାଇଅକ୍ସାଇଡ ଏବଂ ନାଇଟ୍ରୋଜେନ ଅକ୍ସାଇଡ ପରି ବିଷାକ୍ତ ପଦାର୍ଥ ସୃଷ୍ଟି ହୋଇଥାଏ । ଉକ୍ତ ଉପଗ୍ରହ ଫଟୋକୁ ଦେଖି ସୋସିଆଲ ମିଡିଆରେ କିଛି ଲୋକ ଦାବି କରିଛନ୍ତି ଯେ ୱୁହାନ ସହର ଉପକଣ୍ଠରେ ଚୀନ୍ ସରକାର ଏଭଳି ସାମୂହିକ ଶବଦାହ କରୁଛନ୍ତି । କରୋନାରେ ଆକ୍ରାନ୍ତ ହୋଇ କେହି ପ୍ରାଣ ହରାଇଲେ ତାହାର ଶବକୁ ତୁରନ୍ତ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ଥାନରେ ପୋଡ଼ିଦେବା ଏବଂ ଅନ୍ତିମ ସଂସ୍କାର ସମୟରେ ଅଧିକ ଲୋକ ଏକଜୁଟ ନକରିବା ପାଇଁ ଚୀନ୍ରେ ନିଦେ୍ର୍ଧଶ ଜାରି କରାଯାଇଛି ।
ତେବେ ଚୀନ୍ର ଦାବି ଯେ, ୮.୨ଧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଗଲେଣି ଏବଂ ସେମାନଙ୍କ ଦେହରେ ଏହି ଭାଇରସର ଆଉ ଲକ୍ଷଣ ନାହିଁ । ୱୁହାନ ସହରରେ ଏହି ହାର ଏବେ ୬.୧ଧ ରହିଛି । ଚୀନର କେତେକ ଗବେଷକ ମଧ୍ୟ ଦାବି କରିଛନ୍ତି ଯେ କରୋନା ଭାଇରସ ୧୪ ଦିନ ନୁହେଁ, ବରଂ ୨୪ ଦିନ ଯାଏଁ ତିÂି ରହିପାରେ । ଅର୍ଥାତ୍ ଜଣକ ଦେହରେ ପ୍ରବେଶ କରିବାର ୨୪ ଦିନ ଭିତରେ ଏସମ୍ପର୍କିତ ଲକ୍ଷଣ ପ୍ରକାଶ ପାଇପାରେ । ଆଗରୁ ୧୪ ଦିନ ଭିତରେ ଏଭଳି ଲକ୍ଷଣ ଦେଖାଯାଇଥାଏ ବୋଲି ମନେ କରାଯାଉଥିଲା । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ସୋମବାର ବେଜିଂ ସ୍ଥିତ କରୋନା ରୋଗୀଙ୍କ ଏକ କ୍ୟାମ୍ପ ପରିଦର୍ଶନ କରିଛନ୍ତି । ପୂର୍ବରୁ ସେ ପରଦା ଆଢୁଆଳରେ ରହି କରୋନା ରୋଗ ନିୟନ୍ତ୍ରଣ ପାଇଁ ନିଆଯାଉଥିବା ପଦକ୍ଷେପର ତତ୍ତ୍ୱାବଧାନ କରୁଥିଲେ ବୋଲି କୁହାଯାଉଥିଲା । ଚୀନ୍ ଆଜି ରାଷ୍ଟ୍ରପତି ଜିନପିଙ୍ଗଙ୍କ ନିକଟକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଥିବା ପତ୍ରର ପ୍ରଂଶସା କରିଛି । ମୋଦି ଉକ୍ତ ପତ୍ରରେ କରୋନା ଭାଇରସ ବିରୋଧରେ ଚାଲିଥିବା ଲଢେ଼ଇରେ ଚୀନ୍ର ରାଷ୍ଟ୍ରପତି ଏବଂ ଜନସାଧାରଣଙ୍କୁ ଭାରତ ସମର୍ଥନ କରିବା ସହିତ ଏଥିରେ ସହଯୋଗ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।
ଚୀନ୍ ବ୍ୟତୀତ ୨୯ଟି ଦେଶରେ ବି କରୋନା ଭାଇରସ ନିଜର କାୟା ବିସ୍ତାର କରିଛି । ବ୍ରିଟେନରେ ଏଭଳି ରୋଗୀଙ୍କ ସଂଖ୍ୟା ୮ରେ ପହଞ୍ଚôଛି । ହଂକଂରେ କରୋନା ରୋଗୀଙ୍କ ସଂଖ୍ୟା ୩୮ରେ ପହଞ୍ଚôଛି । ଜାପାନର ୟାକୋହାମା ତଟ ନିକଟରେ ଅଟକ ରଖାଯାଇଥିବା ପର୍ଯ୍ୟଟକଙ୍କ ଜାହାଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୬କୁ ବୃଦ୍ଧି ପାଇଛି । ଗତକାଲି ଜାହାଜର ଆଉ ୭୦ ଜଣ ଏଥିରେ ଆକ୍ରାନ୍ତ ହୋଇଥିବାର ଜଣାପଡ଼ିବା ପରେ ଏହି ସଂଖ୍ୟା ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ଆମେରିକାର ୧୧ ଜଣ ନାଗରିକ ଅଛନ୍ତି । ଉକ୍ତ ଜାହାଜରେ ୧୩୮ ଜଣ ଭାରତୀୟ ନାଗରିକଙ୍କ ସମେତ ସମୁଦାୟ ୩,୭୦୦ ଜଣ ପର୍ଯ୍ୟଟକ ଅଛନ୍ତି ।
କରୋନା ସଂକ୍ରମଣ ଯୋଗୁ ସିଙ୍ଗାପୁରରେ ଚଳିତ ମାସ ୨୭ରେ ଆରମ୍ଭ ହେବାକୁ ଥିବା ଏଚଏସବିସି ୱିମେନସ ଗଲଫ ଚାମ୍ପିୟନସିପ୍କୁ ରଦ୍ଧ କରିଦିଆଯାଇଛି । ସେହିପରି ଚୀନ୍ରୁ ବିଭିନ୍ନ ଯନ୍ତ୍ରାଂଶର ଯୋଗାଣ ବନ୍ଦ ହୋଇଯାଇଥିବାରୁ କାର୍ ନିର୍ମାଣକାରୀ କଂପାନି କିୟା ମୋଟର୍ସ ଦକ୍ଷିଣ କୋରିଆରେ ଥିବା ନିଜର ତିନୋଟି ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି । କରୋନା ସଂକ୍ରମଣ ଯୋଗୁ ଯାନବାହନ ନିର୍ମାଣକାରୀ କଂପାନିଗୁଡ଼ିକ ଚୀନ୍ରେ ଥିବା ନିଜର ପ୍ଲାଣ୍ଟଗୁଡ଼ିକୁ ସାମୟିକ ବନ୍ଦ କରିଥିଲାବେଳେ ବିଶ୍ୱର ଅନ୍ୟ ଭାଗରେ ଥିବା କଂପାନିଗୁଡ଼ିକ ବି ଏହାଯୋଗୁ ପ୍ରଭାବିତ ହେବାର ଆଶଙ୍କା ରହିଛି । କାରଣ ଯାନବାହନ ନିର୍ମାଣରେ ବ୍ୟବହୃତ ଯନ୍ତ୍ରାଂଶ ଯୋଗାଣରେ ଚୀନ୍ର ଏକ ବଡ଼ ଭୂମିକା ରହିଛି । ଏକ ରିପୋର୍ଟ ଅନୁଯାୟୀ, କେବଳ ୨୦୧୮ରେ ଚୀନ୍ ୩୫ ବିଲିୟନ ଡଲାର ମୂଲ୍ୟର ଏଭଳି ଯନ୍ତ୍ରାଂଶ ରପ୍ତାନୀ କରିଥିଲା । ତେଣୁ ବିଶ୍ୱର ଅଧିକାଂଶ ଗାଡ଼ି ନିର୍ମାଣକାରୀ କଂପାନି ଯନ୍ତ୍ରାଂଶ ପାଇଁ ଚୀନ୍ ଉପରେ ନିର୍ଭରଶୀଳ । ଏଭଳି ସ୍ଥିତିରେ ଚୀନ୍ରୁ ଯୋଗାଣ ବ୍ୟାହତ ହେବା ଯୋଗୁ ଏସବୁ କଂପାନିଗୁଡ଼ିକର କାମ ବି ପ୍ରଭାବିତ ହୋଇପାରେ ।
ଅନ୍ୟପଟରେ, ଭାରତର କେରଳ ରାଜ୍ୟରେ ପ୍ରଥମେ ଜଣେ ମେଡିକାଲ ଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବାର କୁହାଯାଇଥିଲା । ଏବେ କିନ୍ତୁ ସେ ସୁସ୍ଥ ହୋଇଯାଇଥିବାର ଏବଂ ତାଙ୍କର ରକ୍ତ ନମୁନାର ପରୀକ୍ଷଣରୁ ତାଙ୍କ ଦେହରେ କରୋନା ଭାଇରସ ନଥିବାର ସ୍ପଷ୍ଟ ହୋଇଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ଆଲାପୁଜା ସ୍ଥିତ ଏକ ଲାବ୍ରେ ତାଙ୍କର ରକ୍ତ ନମୁନା କରୋନା ନେଗେଟିଭ୍ ଥିବାର ଜଣାପଡ଼ିଛି । ତେବେ ପୁନେ ସ୍ଥିତ ନ୍ୟାସନାଲ ଇନଷ୍ଟିଚୁ୍ୟଟ୍ ଅଫ ଭାଇରୋଲୋଜିକୁ ପଠାଯାଇଥିବା ତାଙ୍କର ରକ୍ତ ନମୁନାର ପରୀକ୍ଷଣ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଭାରତରେ କରୋନାରେ ଆକ୍ରାନ୍ତ ହେବାର ୩ଟି ମାମଲା ସାମ୍ନାକୁ ଆସିଥିଲା ଏବଂ ତିନି ଜଣ ଯାକ କେରଳର ବାସିନ୍ଦା ଥିଲେ ।
Comments are closed, but trackbacks and pingbacks are open.