ଗୁପ୍ତେଶ୍ୱରରେ ଲକ୍ଷାଧିକ ଭକ୍ତ

Get real time updates directly on you device, subscribe now.

ବୈପାରିଗୁଡା,(ବି.ବି.ନୁ୍ୟଜ୍): ପବିତ୍ର ଶିବରାତ୍ରୀ ଅବସରରେ ଆଜି ଲୋକାରଣ୍ୟ ହୋଇ ଉଠିଛି ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର । ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଓଡ଼ିଶା ସମେତ ପଡେ଼ାଶୀ ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଛୁଟି ଆସିଛନ୍ତି ଭକ୍ତ । ୪ରୁ ୫ ଘଣ୍ଟା ପର୍ଯ୍ୟନ୍ତ ଲମ୍ବା ଲାଇନ୍ରେ ଠିଆ ହୋଇ ପ୍ରଭୁ ଗୁପ୍ତେଶ୍ୱରଙ୍କ ଦର୍ଶନ କରିଛନ୍ତି । ଗୁମ୍ଫା ଭିତରେ ବିରାଜମାନ ବାବା ଗୁପ୍ତେଶ୍ୱରଙ୍କ ବିଶାଳକାୟ ଲିଙ୍ଗ ଦର୍ଶନ କରି ନେତ୍ର ପବିତ୍ର କରିଛନ୍ତି । ହରିହର ଭେଟ ପରେ ରାତି ପ୍ରାୟ ୩ଟା ବେଳେ ଉଠିଛି ମହାଦୀପ ।
ପ୍ରତିବର୍ଷ କୋରାପୁଟର ଶାବର ଶ୍ରୀକ୍ଷେତ୍ରରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତୀକ (ହରିଙ୍କୁ) ଧରି ଏକ ସ୍ୱତନ୍ତ୍ର ଗାଡିରେ ସେବାୟତମାନେ ବାବା ଗୁପ୍ତେଶ୍ୱରଙ୍କ ପୀଠରେ ପହଞ୍ଚିଥାନ୍ତି । ବିଳମ୍ବିତ ରାତିରେ ହରିହର ଭେଟ ହୁଏ । କିନ୍ତୁ ଚଳିତ ବର୍ଷ କୋରାପୁଟରୁ ଜଗନ୍ନାଥଙ୍କ ପ୍ରତିମା ଅଣାଯାଇନି । ଗୁପ୍ତେଶ୍ୱର ପୀଠରେ ଗତବର୍ଷରୁ ଅସ୍ଥାୟୀ ମନ୍ଦିରରେ ପୂଜା ପାଉଥିବା ହରିଙ୍କୁ ଅଣାଯାଇଥିଲା । ହରିହର ଭେଟ ବେଳେ ସୃଷ୍ଟି ହୋଇଥିଲା ଏକ ଭାବବିହ୍ୱଳ ପରିବେଶ । ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଆଖିରେ ରଖି ଏବର୍ଷ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସ୍ୱତନ୍ତ୍ର ବ୍ୟାରିକେଡ୍ ତିଆରି ହୋଇଥିଲା । ନିଜେ ଜିଲ୍ଲାପାଳ ପୀଠରେ ଉପସ୍ଥିତ ରହି ସୁରକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥାର ତଦାରଖ କରିଥିଲେ ।
ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହୋଇଥିଲା । ପୀଠର ନାଟ ମଣ୍ଡପରେ ଏବର୍ଷ ପରିବେଷିତ ହୋଇଥିଲା ପାରମ୍ପରିକ ଦୁରୁଆ ନୃତ୍ୟ ସହ ଜୟପୁର କଳାକାରଙ୍କ ଓଡ଼ିଶୀ ନୃତ୍ୟ । ଭଜନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା । ରାମଗିରି, ପେନ୍ଦାପଡା, ଦଣ୍ଡାବାଡି, ଗୁପ୍ତେଶ୍ୱର (ହଳଦୀକୁଣ୍ଡ), ବାଲିଗାଁ ଓ ଚେରକା ପଞ୍ଚାୟତର ପ୍ରାୟ ୧୫୦ ଜଣ ଯୁବକ ସ୍ୱେଚ୍ଛାକୃତଭାବେ ପୀଠରେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ । ଦର୍ଶନ ବେଳେ ଶ୍ରଦ୍ଧାଳୁମାନେ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନହେବେ, ସେଥିଲାଗି ସହାୟତା କରିଥିଲେ । ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ପୁଲିସ କର୍ମଚାରୀମାନେ ସାଦା ପୋଷାକରେ ରହି ଆଇନଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର ରଖିଥିଲେ । ରାମଗିରିରେ ଥିବା ସୀମା ସୁରକ୍ଷା ବାହିନୀର ଯବାନମାନଙ୍କ ପକ୍ଷରୁ ପୀଠର ପାଖଆଖ ଅଞ୍ଚଳରେ କମ୍ବିଂ କରାଯାଇଥିଲା । ଜରୁରି ପରିସ୍ଥିତିକୁ ଆଖିରେ ରଖି ପୀଠ ନିକଟରେ ଦମକଳ ବାହିନୀ ଏବଂ ଓଡ୍ରାଫ ଟିମ୍ ସଜାଗ ରହିଥିଲେ । ଆଶୁ ଚିକିତ୍ସା ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିରର ମଧ୍ୟ ଆୟୋଜନ କରା ଯାଇଥିଲା । ହୋମିଓପାଥି ଇଣ୍ଟରନ୍ୟାସନାଲ କୋରାପୁଟ ଶାଖା ପକ୍ଷରୁ ମାଗଣାରେ ଦାତବ୍ୟ ହୋମିଓ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା । ସେହିପରି ରାଜ୍ୟ ଖାଦ୍ୟ ନିଗମ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଦୋକାନ ଖୋଲାଯାଇ ସୁଲଭ ମୂଲ୍ୟରେ ଲୋକଙ୍କୁ ଚାଉଳ, ଚିନି, କିରାସିନି ସହ ନଡ଼ିଆ, ଧୂପ, ଦୀପ, କର୍ପୂର ଆଦି ପୂଜା ସାମଗ୍ରୀ ଯୋଗାଇ ଦିଆ ଯାଇଥିଲା । ଶ୍ରଦ୍ଧାଳୁଙ୍କୁ ମାଗଣାରେ ପାଣି ପ୍ୟାକେଟ, ୧୦ ଟଙ୍କା ମୂଲ୍ୟରେ ୧ ଲିଟର ବିଶିଷ୍ଟ ପାଣି ବୋତଲ, ବିସ୍କୁଟ, ଦହି ସର୍ବତ, ରନ୍ଧା ଖାଦ୍ୟ ଆଦି ଯୋଗାଇବା ବ୍ୟବସ୍ଥା କରାଯାଇଥିଲା ।
ପୀଠରେ ପାନୀୟ ଜଳ ଯୋଗାଣ ନିୟମିତ ସମସ୍ୟା ହୋଇଥିବା ବେଳେ ଜାଗର ପାଇଁ ଦିବାରାତ୍ର ପାଇପ ପାଣି ଯୋଗାଣ ବ୍ୟବସ୍ଥା ହୋଇଥିଲା । ଦୂରଦୂରାନ୍ତରୁ ଆସୁଥିବା ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ୨୦ରୁ ଅଧିକ ସରକାରୀ ଓ ବେସରକାରୀ ବସ୍ ଚଳାଚଳ ବ୍ୟବସ୍ଥା କରାଯାଇଥିଲା । ପୀଠରେ ଭକ୍ତଙ୍କ ପାଇଁ ପ୍ରଶାସନ ପକ୍ଷରୁ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ସୁବିଧା ସଂପର୍କରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ତଦାରଖ କରିଥିଲେ । ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ସହ ବୈପାରିଗୁଡା ବିଡିଓ ରଜନୀକାନ୍ତ ଦାସ, ତହସିଲଦାର ସଞ୍ଜୀବ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons