ନବୀନ ଖେଳିବେ ‘ମହିଳା କାର୍ଡ’

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଉକ୍ରଣ୍ଠା ଯେତିକି, ବ୍ୟଗ୍ରତା ସେତିକି । ଆସନ ମାତ୍ର ୪, ଆଶାୟୀଙ୍କ ସଂଖ୍ୟା କିନ୍ତୁ ଟପିଲାଣି ଶହେ । ରାଜ୍ୟସଭା ପଗଡ଼ି ପିନ୍ଧିବାକୁ ସଭିଏଁ ବ୍ୟାକୁଳ । ବିଜେଡିରେ ଲବି ରାଜନୀତି ବି ଜୋର୍ ଧରିଛି । ନବୀନଙ୍କ କରୁଣାଦୃଷ୍ଟି କିନ୍ତୁ କାହା ଉପରେ କିଛି ବି ଚିତ୍ର ସ୍ପଷ୍ଟ ହେଉନି । ସମସ୍ତଙ୍କୁ ସସ୍ପେନ୍ସରେ ରଖିଛନ୍ତି ନବୀନ । ଆଶା ଓ ଆଶଙ୍କାରେ ଦଳର ନେତାମାନଙ୍କୁ ସେ ଝୁଲାଇ ରଖିଛନ୍ତି । ଲୋକସଭା ଭଳି ବିଜେଡି ସୁପ୍ରିମୋ ଆସନ୍ତା ରାଜ୍ୟସଭା ଭୋଟରେ ‘ମହିଳା କାର୍ଡ’ ଖେଳିପାରନ୍ତି ବୋଲି ବିଜେଡି ମହଲରୁ ସୂଚନା ମିଳିଛି ।
ଆସନ୍ତା ଏପ୍ରିଲରେ ସାଂସଦ ନରେନ୍ଦ୍ର ସ୍ୱାଇଁ, ସରୋଜିନୀ ହେମ୍ବ୍ରମ ଓ ରଂଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ପୂରିବ । ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ଲୋକସଭାକୁ ଯାଇଥିବା ସାଂସଦ ଅନୁଭବ ମହାନ୍ତିଙ୍କ ଆସନ ମଧ୍ୟ ଖାଲି ପଡ଼ିଛି । ଏ ୪ ରାଜ୍ୟସଭା ଆସନକୁ ନେଇ ବିଜେଡିରେ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି । ବିଜୁ ଜନତା ଦଳରୁ କିଏ ଯିବେ ରାଜ୍ୟସଭା? ଏ ପ୍ରଶ୍ନ ଏବେ ରାଜ୍ୟ ରାଜନୈତିକ ମହଲରେ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି । ଆଶାୟୀଙ୍କ ତାଲିକାରେ ବହୁ ନେତା ଥଲା ବେଳେ ନବୀନ କାହା ମୁଣ୍ଡରେ ସୁନା କଳସ ଢାଳିବେ ତାହା କାହାକୁ ବି ଜଣାନାହିଁ । ମାତ୍ର ଏ ନେଇ ଭିତରେ ଭିତରେ ବିଜେଡି ମୁଖିଆ କସରତ ଆରମ୍ଭ କରିଛନ୍ତି ।
ବିଧାନସଭାରେ ନିଜ ସଂଖ୍ୟାବଳରେ ବିଜେଡି ଖାତାକୁ ୪ଟି ଆସନରୁ ୩ଟି ଯିବା ନିଶ୍ଚିତ । ୪ର୍ଥ ଆସନ ଜିତିବାକୁ ବିଜେଡିକୁ ୭ ଜଣ ସଭ୍ୟଙ୍କ ସମର୍ଥନ ଆବଶ୍ୟକ ଜରୁରି । ସେହିଭଳି ୨୩ ବିଧାୟକ ଥିବା ବିଜେପିକୁ ମଧ୍ୟ ଗୋଟିଏ ଆସନ ଜିତିବାକୁ ୭ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । କଂଗ୍ରେସ ହାତରେ ପ୍ରାର୍ଥୀ ଛିଡ଼ା କରାଇବାକୁ ମଧ୍ୟ ସଂଖ୍ୟା ନାହିଁ । ଏମିତି ପରିସ୍ଥିତିରେ ୪ର୍ଥ ଆସନଟି କାହା ଖାତାକୁ ଯିବ ତାହା ଅସ୍ପଷ୍ଟ । ବିଜେପି ଗତ ଥର ଭଳି ଏଥର ମଧ୍ୟ ଗୋଟିଏ ଆସନ ପାଇଁ ବିଜେଡିି ସହ ଆଲୋଚନା କରିପାରେ ବୋଲି ରାଜନୈତିକ ମହଲ ଅନୁମାନ କରୁଛି । ମାତ୍ର ପରିବର୍ତ୍ତିତ ପରିସ୍ଥିତିରେ ନବୀନ ବିଜେପିକୁ ୪ର୍ଥ ଆସନ ପାଇଁ ସମର୍ଥନ ଦେବେ ନା କଳେ ବଳେ କୌଶଳେ ନିଜେ କରାୟତ୍ତ କରିବେ ତାହା କେହି ଠଉରାଇ ପାରୁନାହାନ୍ତି ।
ନିର୍ବାଚନ ସମୟରେ ଭୁବନେଶ୍ୱର ସାଂସଦ ଟିକେଟରୁ ବଞ୍ଚିତ ପ୍ରସନ୍ନ ପାଟ୍ଟଶାଣୀ ଏବଂ ବ୍ରହ୍ମପୁର ବିଧାନସଭାରୁ ଟିକେଟ ପାଇନଥିବା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ରାଜ୍ୟସଭା ଯିବେ ବୋଲି ଆଶା ବାନ୍ଧିଛନ୍ତି । ରାଜ୍ୟସଭା ଯିବାକୁ କଳିକେଶ ସିଂହଦେଓଙ୍କଠାରୁ ଆରମ୍ଭ କରି ପ୍ରଫୁଲ୍ଲ ଘଡ଼ାଇ, ଭୋଟରେ ପରାଜୟ ବରଣ କରିଥିବା ସଂଜୟ କୁମାର ଦାସବର୍ମା, ପୁଷ୍ପେନ୍ଦ୍ର ସିଂହଦେଓଙ୍କ ନାମ ଆଲୋଚନା ହେଉଛି । ମାତ୍ର ସାଂପ୍ରତିକ ରାଜନୈତିକ ପାଣିପାଗକୁ ଦେଖି ନବୀନ ଯେ ବେଶ୍ ମାପିଚୁପି ନିଷ୍ପତ୍ତି ନେବେ ତାହା ସ୍ପଷ୍ଟ । ଦଳର ଯଦି ଗୋଟିଏ ମହଲର ଯୁକ୍ତିକୁ ଗ୍ରହଣ କରାଯାଏ, ୪ଟି ସିଟରୁ ନବୀନ ୨ଟି ସିଟ୍ ମହିଳାଙ୍କୁ ଟେକି ଦେଇପାରନ୍ତି । ସଂସଦ ଓ ବିଧାନସଭାରେ ଏକ ତୃତୀୟାଂଶ ମହିଳା ଆସନ ସଂରକ୍ଷଣ ପାଇଁ ଗତ ନିର୍ବାଚନ ପୂର୍ବରୁ ବିଜେଡି ମୁଖିଆ ଅଭିଯାନ ଆରମ୍ଭ କରିଥିଲେ । ଏପରିକି ଲୋକସଭା ଆସନରେ ଏକ ତୃତୀୟାଂଶ ଆସନରେ ମହିଳାଙ୍କୁ ଟିକେଟ ମଧ୍ୟ ଦେଇଥିଲେ । ତେଣୁ ରାଜ୍ୟସଭା ପାଇଁ ଖାଲି ହେଉଥିବା ୪ଟି ଆସନରୁ ଗୋଟିଏ କିମ୍ବା ଦୁଇଟି ଆସନ ମହିଳାଙ୍କ ଖାତାକୁ ଯାଇପାରେ ବୋଲି କୁହାଯାଉଛି ।
ସରୋଜିନୀ ହେମ୍ବ୍ରମ୍ଙ୍କ କାର୍ଯ୍ୟକାଳ ସରିବା ପରେ ରାଜ୍ୟସଭାରେ ବିଜେଡିର ଆଉ କେହି ମହିଳା ସାଂସଦ ନାହାନ୍ତି । ତେଣୁ ଗତ ନିର୍ବାଚନରେ ମହିଳା ଭୋଟବ୍ୟାଙ୍କକୁ ଧରି ବିପୁଳ ବିଜୟ ହାସଲ କରିଥିବା ନବୀନ ପୁଣି ରାଜ୍ୟସଭା ଭୋଟରେ ଟ୍ରମ୍ପକାର୍ଡ ଭାବେ ମହିଳା ପ୍ରାର୍ଥୀ ଦେଇପାରନ୍ତି । କେଉଁ ମହିଳା ପ୍ରାର୍ଥୀଙ୍କୁ ବିଜେଡି ଭରସା କରିବ? ଏ ପ୍ରଶ୍ନ ଏବେ ଅଛିଣ୍ଡା ଅଙ୍କ । ରାଜ୍ୟରେ ପଛୁଆବର୍ଗ ରାଜନୀତି ମଧ୍ୟ ଏବେ ଉଷ୍ମତା ଭରିଛି । ଏ ନେଇ ବିଧାନସଭାରେ ବିଲ୍ ସଂଶୋଧନ ହେବା ସହ ସଂକଳ୍ପ ପାରିତ ହୋଇଯାଇଛି । ତେଣୁ ପଛୁଆବର୍ଗରୁ କାହାକୁ ମଧ୍ୟ ବିଜେଡି ମୁଖିଆ ଦିଲ୍ଲୀ ଟିକେଟ ଦେଇପାରନ୍ତି ବୋଲି ଦଳରେ ଆଲୋଚନା ହେଉଛି ।
ଜିଲ୍ଲା ସଭାପତି ଘୋଷଣା ପରେ ଏବେ ରାଜ୍ୟସଭା ପ୍ରାର୍ଥୀ ଚୟନ ଦଳରେ ବଡ଼ ଆହ୍ୱାନ ଛିଡ଼ା କରାଇଛି । ସବୁବେଳେ ରାଜ୍ୟସଭା ନିର୍ବାଚନ ବେଳେ ସମସ୍ତ କଳ୍ପନା ଜଳ୍ପନାକୁ ଓଲଟପାଲଟ କରି ନୂଆ ପ୍ରାର୍ଥୀ ଦେଉଥିବା ନବୀନ ସାଂପ୍ରତିକ ରାଜନୈତିକ ପରିସ୍ଥିତିରେ କାହାକୁ ଯୋଗ୍ୟ ମଣିବେ ତାହା ଉପରେ ଏବେ ବିଜେଡି କ୍ୟାମ୍ପର ଆଖି । ଏହାଛଡ଼ା ଏଥର ଯିଏ ସାଂସଦ ହେବେ ସେ ପୂର୍ଣ୍ଣ ୬ ବର୍ଷ କାଳ ସାଂସଦ ଭାବେ କ୍ଷମତା ଉପଭୋଗ କରିବେ । ତେଣୁ ବିଜେଡି ଟିକଟ ପାଇଁ ଲବି ଜୋରଦାର ଧରିଛି । ମାତ୍ର ନବୀନ କାହାକୁ ଭରସା କରି ରାଜ୍ୟସଭା ପଠାଇବେ ତାହା ଏଯାଏ ଅସ୍ପଷ୍ଟ । ବିଜେଡି ମଙ୍ଗୁଆଳ ଅଣରାଜନେତାଙ୍କ ମୁଣ୍ଡରେ ରାଜ୍ୟସଭା କଳସ ଯେ ନ ଢାଳିବେ ତାହା କିଏ କହିବ?

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons