ଓଡ଼ିଶାରେ ୪ ଆସନ ପାଇଁ ହେବ ମତଦାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବାଜିଛି ରାଜ୍ୟସଭା ବିଗୁଲ୍ । ଖାଲି ପଡ଼ିଥିବା ଏବଂ ହେବାକୁ ଥିବା ରାଜ୍ୟସଭା ଆସନ ପାଇଁ ଆସନ୍ତା ମାର୍ଚ୍ଚ ୨୬ରେ ହେବ ଭୋଟ୍ । ଏଥିପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଦେଶର ୧୭ ରାଜ୍ୟର ୫୫ଟି ଆସନ ପାଇଁ ଏ ଭୋଟ୍ ହେବ । ଓଡ଼ିଶାରୁ ୪ ରାଜ୍ୟସଭା ସାଂସଦ ପଦବି ପାଇଁ ମଧ୍ୟ ଭୋଟ ଗ୍ରହଣ କରାଯିବ । ରାଜ୍ୟସଭା ବିଗୁଲ୍ ବାଜିବା ପରେ ରାଜ୍ୟ ରାଜନୀତି ପାଣିପାଗ ଏବେ ଚଳଚଞ୍ଚଳ ହୋଇପଡ଼ିଛି ।
ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ ଆସନ୍ତା ୬ରେ ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି ହେବ । ୧୩ ସୁଦ୍ଧା ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ । ୧୬ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ୧୮ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିହେବ । ଯଦି ଭୋଟ ଗ୍ରହଣର ଆବଶ୍ୟକତା ପଡ଼ିବ ତେବେ ୨୬ରେ ମତଦାନ ନିଆଯିବ । ସକାଳ ୯ଟା ରୁ ଅପରାହ୍ନ ୪ଟା ଯାଏ ଭୋଟ ଗ୍ରହଣ ସହ ୫ଟାରେ ଗଣତି କରାଯିବ ।
ଆସନ୍ତା ଏପ୍ରିଲରେ ସାଂସଦ ନରେନ୍ଦ୍ର ସ୍ୱାଇଁ, ସରୋଜିନୀ ହେମ୍ବ୍ରମ ଓ ରଂଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ପୂରିବ । ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ଲୋକସଭାକୁ ଯାଇଥିବା ସାଂସଦ ଅନୁଭବ ମହାନ୍ତିଙ୍କ ଆସନ ମଧ୍ୟ ଖାଲି ପଡ଼ିଛି । ଏ ୪ ଟି ରାଜ୍ୟସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ରାଜ୍ୟସଭା ଗଣିତ ଅନୁସାରେ ଜଣେ ରାଜ୍ୟସଭାକୁ ଯିବା ପାଇଁ ୩୦ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ଶାସକ ବିଜେଡି ନିଜ ସଂଖ୍ୟା (୧୧୩) ବଳରେ ୩ ଜଣଙ୍କୁ ରାଜ୍ୟସଭା ପଠାଇପାରିବ । ଆଉ ଗୋଟିଏ ଆସନ ପାଇଁ ଦଳକୁ ଆଉ ୭ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ସେହିଭଳି ବିଜେପିକୁ ଗୋଟିଏ ଆସନରେ ଜିତିବାକୁ ନିଜ ସଂଖ୍ୟା ବଳ (୨୩)କୁ ଛାଡ଼ି ୭ ଜଣ ବିଧାୟକଙ୍କ ସମର୍ଥନ ଲୋଡ଼ା । ଏମିତି ପରିସ୍ଥିତିରେ ରାଜ୍ୟସଭା ନିର୍ବାଚନରେ ୪ର୍ଥ ଆସନ କାହା ଆଡ଼କୁ ଯିବ ତାହା ଅସ୍ପଷ୍ଟ ରହିଛି । ଏ ସିଟ୍କୁ ନେଇ ରାଜନୀତି ଯେ ବେଶ ଛକାପଞ୍ଝା ଧରିବ ଏବେ ଠୁ ଜଳଜଳ ।
ତେବେ ରାଜନୈତିକ ମହଲର ଯୁକ୍ତି ହେଉଛି, ଗତଥର ଭଳି ଏଥର ମଧ୍ୟ ରାଜ୍ୟସଭା ଆସନ ନେଇ ବିଜେଡି-ବିଜେପି ମଧ୍ୟରେ ଡିଲ୍ ହୋଇପାରେ । ବିଜେଡି ବଡ଼ ସର୍ତ୍ତ ରଖି ବିଜେପିକୁ ଗୋଟିଏ କିମ୍ବା ଦୁଇଟି ଆସନ ଛାଡ଼ି ଦେଇପାରେ ବୋଲି ପାୱାର କରିଡରରେ ଚର୍ଚ୍ଚା । ମାତ୍ର ଅନ୍ୟପଟେ ଯୁକ୍ତି କରାଯାଉଛି, ବିଜେଡି ନିଜ ଦ୍ୱିତୀୟ ପସନ୍ଦ ଭୋଟ ଗଣିତକୁ ମଧ୍ୟ ଆଖିରେ ରଖିଛି । ଏପରିକି ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ଏବଂ ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଭୋଟକୁ ବ୍ୟବହାର କରିବାକୁ ଦଳ ପୂର୍ବରୁ ଜାଲ ବିଛାଇ ସାରିଛି । କଂଗ୍ରେସ ଭୋଟ ଉପରେ ମଧ୍ୟ ବିଜେଡି ଏବଂ ବିଜେପିର ନଜର ରହିଛି । ମାତ୍ର ରାଜନୈତିକ ମହଲର ଆକଳନ କେତେ ସତ କେତେ ମିଛ ତାହା ଜାଣିବାକୁ ଆହୁରି ପ୍ରାୟ ୧ ସପ୍ତାହ ଅପେକ୍ଷା କରିବାକୁ ପଡ଼ିବ । ବିଜେଡି-ବିଜେପିର ଗୋଟି ଚାଳନା ଉପରେ ସବୁକିଛି ନିର୍ଭର କରୁଛି ।
ତେବେ ଏ ସଂପର୍କରେ ପ୍ରଶ୍ନ କରିବାରୁ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ବିଜେଡି ସମସ୍ତ ୪ଟି ଆସନରେ ପ୍ରାର୍ଥୀ ଦେବ ଏବଂ ଜିତିବ । ପ୍ରାର୍ଥୀ କିଏ ହେବ ସେ ନିଷ୍ପତ୍ତି କିନ୍ତୁ ଦଳର ସୁପ୍ରିମୋ ନେବେ । ଆମର କାହା ସହ କିଛି ଡିଲ୍ ହେବାର ନାହିଁ । ବିଜେପି ବିଧାୟକ ବିଷ୍ଣୁ ସେଠୀ କହିଛନ୍ତି ଗୋଟିଏ ଆସନରେ ପ୍ରାର୍ଥୀ ଦେଇ ଜିତାଇବାକୁ ଆମେ ଉଦ୍ୟମ କରିବୁ । ରାଜ୍ୟସଭାକୁ ଯିବା ହେଉଛି ପଶାପାଲି ଖେଳ । ତେଣୁ ଏ ରେସ୍ରେ କିଏ ଜିତିବ ତାହା ଏବେଠୁ ପୂର୍ବାନୁମାନ କରିବା କଷ୍ଟକର । ଏହା ହେଉଛି ଅଦୃଶ୍ୟ ଖେଳ । ଠିକଣା ସମୟରେ ଦଳ ଠିକ୍ ନିଷ୍ପତ୍ତି ନେବ ।
ଉଲ୍ଳେଖଯୋଗ୍ୟ, ଓଡ଼ିଶା ପାଇଁ ରାଜ୍ୟସଭାରେ ଖାଲି ଥିବା ୩ଟି ଆସନ ପାଇଁ ଭୋଟ କରିବାକୁ ଗତ ଜୁନ୍ରେ ନିର୍ବାଚନ କମିଶନ ଘୋଷଣା କରିଥିଲେ । ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ୩ଟି ଯାକ ଆସନ ବିଜେଡି ଖାତାକୁ ଯିବା ନିଶ୍ଚିତ ଥିଲା । ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ବିଜେଡି ସୁପ୍ରିମୋ ଡ. ଅମର ପ;ନାୟକ ଓ ଡ. ସସ୍ମିତ ପାତ୍ରଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଛିଡ଼ା କରାଇ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜୁ ଜନତା ଦଳ ସମର୍ଥନ କରିବ ବୋଲି ଘୋଷଣା କରିଥିଲେ । କେଉଁ କାରଣରୁ ନବୀନ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେଲେ ତାହା ଅବଗତ କରାଇ ସ୍ପଷ୍ଟ କରିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହଙ୍କ ସହ ଆଲୋଚନା ପରେ ଦଳ ଅଶ୍ୱିନୀଙ୍କୁ ସମର୍ଥନ କରିବାକୁ ସ୍ଥିର କରିଛି । ତେବେ ଚଳିତ ଥର ନବୀନ ବୈଷ୍ଣବ ଫର୍ମୁଲା ଧରି ବିିଜେପିକୁ ସିଟ୍ ଛାଡ଼ିବେ ନା ଆଉ କିଛି ସରପ୍ରାଇଜ୍ ଦେବେ ତାହାକୁ ନେଇ ଏବେ ନାନା ଚର୍ଚ୍ଚା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons