ଭିଜିଲାନ୍ସ ଯନ୍ତାରେ ବ୍ରହ୍ମଗିରି ଆର୍ଆଇ, ପିଅନ

Get real time updates directly on you device, subscribe now.

ବ୍ରହ୍ମଗିରି,(ବି.ବି.ନୁ୍ୟଜ୍): ଜାଗାବାଡ଼ି ପଟ୍ଟା ପ୍ରସ୍ତୁତ ନିମନ୍ତେ ମୁ୍ୟଟେସନ୍ କରିବା ପାଇଁ ସରକାରୀ ନିର୍ଦ୍ଧାରିତ ଅର୍ଥ ବାଦ୍ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ବ୍ରହ୍ମଗିରି ରାଜସ୍ୱ ନିରୀକ୍ଷକ ବିଚିତ୍ର ମୋହନ ମିଶ୍ର ଓ ପିଅନ କବିତା ବେହେରା । ସାନବନ୍ଧକେରା ଗ୍ରାମର ଅଶ୍ୱିନୀ ନାୟକଙ୍କ ଅଭିଯୋଗକ୍ରମେ ଭିଜିଲାନ୍ସ ଡିଏସ୍ପି ହରନାରାୟଣ ପତିି ସଦଳବଳେ ପହଞ୍ଚି ଲାଞ୍ଚ ବାବଦ ଟଙ୍କା ଜବତ କରିବା ସହିତ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଛନ୍ତି ।
ଭିଜିଲାନ୍ସ ଡିଏସ୍ପି ଶ୍ରୀ ପତି କହିଛନ୍ତି ଯେ, ସାନବନ୍ଧକେରା ଗ୍ରାମର ଅଶ୍ୱିନୀ ନାୟକ ନିଜ ଜମି ପଟ୍ଟା ପ୍ରସ୍ତୁତ ନିମନ୍ତେ ମୁ୍ୟଟେସନ୍ ପାଇଁ ଆବେଦନ କରିଥିଲେ । ସେହି କେସ୍ର ଶୁଣାଣି ଗତ ୨୪ ତାରିଖରେ ଥିଲା । ଏ ନେଇ ଅଶ୍ୱିନୀ ବ୍ରହ୍ମଗିରି ରାଜସ୍ୱ ନିରୀକ୍ଷକ ବିଚିତ୍ର ମୋହନ ମିଶ୍ରଙ୍କୁ ସାକ୍ଷାତ କରିଥିଲେ । ବିଚିତ୍ର ମୁ୍ୟଟେସନ୍ କେଶ୍ ୧୫୩ /୨୦୨୦ ବାବଦ ୧୦୦ ଟଙ୍କା ଏବଂ ୫୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ଅଶ୍ୱିନୀ ଲାଞ୍ଚ କାହିଁକି ଦେବେ ବୋଲି ଯୁକ୍ତି କରିବାରୁ ବିଚିତ୍ର ରାଗି ଯାଇଥିଲେ । ଶେଷରେ ଅଶ୍ୱିନୀ ବାଧ୍ୟ ହୋଇ ଟଙ୍କା ଦେବାକୁ ରାଜି ହୋଇ ସେଠାରୁ ଫେରି ଆସିବା ପରେ ଭିଜିଲାନ୍ସ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ । ପୂର୍ବ ଯୋଜନା ମୁତାବକ ଆଜି ମଧ୍ୟାହ୍ନରେ ଭିଜିଲାନ୍ସ ଡିଏସ୍ପି ଶ୍ରୀ ପତିଙ୍କ ନେତୃତ୍ୱରେ ଏକ ଟିମ୍ ସାଦା ପୋଷାକରେ ଘଟଣା ସ୍ଥଳରେ ପହଞ୍ଚି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚôଥିଲେ । ତାଙ୍କ ପରାମର୍ଶରେ ଅଶ୍ୱିନୀ କେମିକାଲ ବୋଳା ହୋଇଥିବା ୬ ଶହ ଟଙ୍କା ରାଜସ୍ୱ ନିରୀକ୍ଷକଙ୍କୁ ଦେଇଥିଲେ । ମାତ୍ର ରାଜସ୍ୱ ନିରୀକ୍ଷକ ଚତୁରତାର ସହ ହାତରେ ଟଙ୍କା ଗ୍ରହଣ ନକରି କାର୍ଯ୍ୟାଳୟରେ କାମ କରୁଥିବା ମହିଳା ପିଅନ କବିତା ବେହେରାଙ୍କ ହାତକୁ ଦେବାକୁ କହିଥିଲେ । କବିତା ଅଶ୍ୱିନୀଙ୍କ ଠାରୁ ୬ଶହ ଟଙ୍କା ଗ୍ରହଣ କରି ରାଜସ୍ୱ ନିରୀକ୍ଷକଙ୍କ ଟେବୁଲ ଉପରେ ରଖି ଦେଇଥିଲେ । ପରେ ରାଜସ୍ୱ ନିରୀକ୍ଷକ ଶ୍ରୀ ମିଶ୍ର ଟଙ୍କାକୁ ଟେବୁଲ ଡ୍ର ମଧ୍ୟରେ ନେଇ ରଖିଥିଲେ । ସେଠାରେ ଛପି ରହିଥିବା ସାଦା ପୋଷାକଧାରୀ ଭିଜିଲାନ୍ସ ଅଧିକାରୀମାନେ ଟଙ୍କା ଦେଣନେଣର ଦୃଶ୍ୟ ରେକର୍ଡ କରିବା ପରେ ଉଭୟଙ୍କୁ ଗିରଫ କରିବା ସହ ଟଙ୍କା ଜବତ କରିଥିଲେ । ଏ ସମ୍ପର୍କରେ ରାଜସ୍ୱ ନିରୀକ୍ଷକ ଶ୍ରୀ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆମେ ଟଙ୍କା ମାଗିନଥିଲୁ । ଅଶ୍ୱିନୀ ତାଙ୍କର କାମ ହୋଇଥିବା ଜାଣି ୬ଶହ ଟଙ୍କା ଆଣି ଟେବୁଲ ଉପରେ ରଖିଥିଲେ । ଆମେ ମନା କରିବା ସତ୍ତେ୍ୱ ମଧ୍ୟ ସେ ଟଙ୍କା ଉଠାଇ ନଥିଲେ । ଆମେ ହାତରେ ସେ ଟଙ୍କା ଠେଲି ଦେବା ବେଳେ ଭିଜିଲାନ୍ସ ପକ୍ଷରୁ ଟଙ୍କାରେ ବୋଳା ଯାଇଥିବା କେମିକାଲ୍ ଆମ ହାତରେ ଲାଗିଯାଇଥିଲା । ତେବେ ଭିଜିଲାନ୍ସ ଡିଏସ୍ପି ଶ୍ରୀ ପତି କହିଛନ୍ତି ଯେ, ପୂର୍ବରୁ ଅଶ୍ୱିନୀଙ୍କୁ ରାଜସ୍ୱ ନିରୀକ୍ଷକ ଲାଞ୍ଚ ମାଗିବା ନେଇ ପ୍ରମାଣ ରହିଥିବା ବେଳେ ଆଜି ଲାଞ୍ଚ ନେବା ବେଳେ ଅଭିଯୁକ୍ତ ଦ୍ୱୟଙ୍କୁ ଘଟଣା ସ୍ଥଳରେ ଧରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons