ମୋହନା,(ବି.ବି.ନୁ୍ୟଜ୍): ଅଡ଼ବା ଥାନା ଚୁଡ଼ଙ୍ଗପୁର ନିକଟରେ ପୁଲିସ ଚଢ଼ଉ କରି ଏକ କାର୍ରୁ ୭୬ କିଲୋ ଗଞ୍ଜେଇ ଜବତ କରିଛି । ଏହାସହ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ, ଚୁଡ଼ଙ୍ଗପୁର ଗ୍ରାମର କିଶୋର କୁମାର ପରିଚ୍ଛା(୪୫), ସଞ୍ଜିବ କୁମାର ପରିଚ୍ଛା(୨୭) ଓ ରାୟଗଡ଼ର ମନନୀତ ମାଳୀ(୨୯) ବୋଳି ଆର୍.ଉଦୟଗିରି ଏସ୍ଡିପିଓ ଅଶୋକ କୁମାର ମହାନ୍ତି ସୂଚନା ଦେଇଛନ୍ତି ।
ପୁଲିସ ସୂଚନା ଅନୁସାରେ, ସୋମବାର ସକାଳେ ଅନ୍ତରବା-ଚୁଡ଼ଙ୍ଗପୁର ରାସ୍ତାରେ ପୁଲିସ ପାଟ୍ରୋଲିଂ କରୁଥିଲା । ଏ ସମୟରେ ଏକ କାର(ଓଡି ୨୦-୮୧୪୧) ସେହି ରାସ୍ତା ଦେଇ ଯିବା ସମୟରେ ତାକୁ ଅଟକାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ସେଥିରୁ ୭୬ କିଲେ ୨୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଚୁଡ଼ଙ୍ଗପୁର ଅଞ୍ଚଳରୁ ଭୁବନେଶ୍ୱର ଚାଲାଣ ହେଉଥିବା ଜଣାପଡ଼ିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଏସ୍ଡିପିଓ କହିଛନ୍ତି । ଏ ନେଇ ଅଡ଼ବା ପୁଲିସ ୧୬/୨୦୨୦ରେ ଏକ ମାମଲା ରୁଜୁ କରିଛି । ଏହାସହ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚଲାଣ କରିଛି । ଏ ନେଇ ମୋହନା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ସୂଚନା ଦେଇଛନ୍ତି । ଏ ସମୟରେ ମୋହନା ଥାନାଧିକାରୀ ସୁଜିତ ନାୟକ ଓ ଅଡ଼ବା ଥାନାଧିକାରୀ ଆଲୋକ ରଞ୍ଜନ ଜଗଦଲା ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.