ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନବୀନ ନିବାସରେ ଆଜି ଦେଖିବାକୁ ମିଳିଥିଲା ଏକ ବିରଳ ଦୃଶ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏକାଠି ଗୋଟିଏ ଡାଇନିଂ ଟେବୁଲ୍ରେ ମଧ୍ୟାହ୍ନ ଭୋଜନ (ଲଞ୍ଚ୍) କରିଥିଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତୀୟ ରାଜନୀତିର ୫ ବିଶିଷ୍ଟ ଜନନେତା ଗୋଟିଏ ଟେବୁଲରେ ଏକାଠି ଲଞ୍ଚ୍ କରିବା ରାଜନୈତିକ ଚର୍ଚ୍ଚାକୁ ବଢ଼ାଇଛି ।
ଲୋକସେବା ଭବନରେ ଆଜି ପୂର୍ବାଞ୍ଚଳ ପରିଷଦ ବୈଠକ ବସିଥିଲା । ଏଥିରେ ଯୋଗ ଦେବା ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶାହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା, ବିହାର ମୁଖ୍ୟମନ୍ତ୍ରୀ ନୀତିଶ ଓଡ଼ିଶା ଆସିଥିଲେ । ଏହି ଅବସରରେ ନବୀନ ସେମାନଙ୍କୁ ନିଜ ବାସଭବନରେ ମଧ୍ୟାହ୍ନଭୋଜନ କରିବା ପାଇଁ ନିମନ୍ତ୍ରଣ କରିଥିଲେ । ନବୀନଙ୍କଠାରୁ ନିମନ୍ତ୍ରଣ ପାଇବା ପରେ ଏହି ନେତାମାନେ ଲୋକସେବା ଭବନ ବୈଠକ ପରେ ସିଧା ନବୀନଙ୍କ ସହ ପହଞ୍ଚିଥିଲେ ନବୀନ ନିବାସରେ । ଏହି ଖାସ୍ ମଧ୍ୟାହ୍ନଭୋଜନ ନିମନ୍ତ୍ରଣ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ବି ପହଞ୍ଚିଥିଲେ । ଏହା ପରେ ନବୀନ ନିବାସର ଡାଇନିଂ ଟେବୁଲରେ ପରଷା ଯାଇଥିଲା ସ୍ୱତନ୍ତ୍ର ଖାଦ୍ୟ । ଖାସ୍ ଅତିଥିଙ୍କ ପାଇଁ ପାରମ୍ପରିକ ଓଡ଼ିଆ ଛୁଙ୍କରେ ପ୍ରସ୍ତୁତ ହୋଇଥିଲା ସମସ୍ତ ଖାଦ୍ୟ । ତାଲିକା ବେଶ୍ ଲମ୍ବା । ବାସୁମତୀ ଅରୁଆ ଭାତ ସାଙ୍ଗକୁ ରୁଟି ବି ଥିଲା । ବାଇଗଣ ଭଜା ସହ ପୂରା ଓଡ଼ିଆ ଶୈଳୀରେ ତିଆରି ହୋଇଥିଲା ଆଳୁ ମଟର ମସଲା । ସଭିଙ୍କ ମନକୁ ଛୁଇଁଥିଲା ଗୁଚି ପନିର । ଚଟ୍ପଟି ଟମାଟୋ ଚଟଣି ସହ ବୁନ୍ଦି ରାଇତା ପରଷା ଯାଇଥିଲା । ଆମିଷରେ ମାଛ ବି ଥିଲା । ପୂରା ଓଡ଼ିଆ ଘରର ପାରମ୍ପରିକ ବେସର ବଟା ମସଲାରେ ମାଛ ତରକାରୀ ହୋଇଥିଲା । ପାମ୍ପଡ଼ ବି ଥିଲା ଥାଳିରେ । ଏସବୁ ପରେ ମିଠାରେ ପ୍ରସିଦ୍ଧ ଛେନାପୋଡ଼ ଓ ରସମଲେଇ ଖାଇଥିଲେ ଅତିଥି । ନବୀନଙ୍କ ଆତିଥ୍ୟରେ ଖୁସ୍ ହୋଇଥିଲେ ସମସ୍ତେ ।
ନିଜେ ନବୀନ ଏହି ଚର୍ଚ୍ଚିତ ଲଞ୍ଚ୍ର ଫଟୋ ଟ୍ୱିଟର ପେଜ୍ରେ ପୋଷ୍ଟ୍ କରିଛନ୍ତି । ନବୀନ କହିଛନ୍ତି, ସମସ୍ତେ ଏକାଠି ବସି ଖାଇବା ବେଶ୍ ଖୁସିର ମୁହୂର୍ତ୍ତ ଥିଲା । ଓଡ଼ିଆ ଘର ତିଆରି ଖାଦ୍ୟ ଖାଇବାବେଳେ କିଛି ସମୟ ପରସ୍ପର ସହ ଭଲ କଥାବାର୍ତ୍ତା ହୋଇଥିଲୁ ।
ନବୀନଙ୍କ ଏହି ଟ୍ୱିଟ୍ର ପ୍ରତିକ୍ରିୟାରେ ଧର୍ମେନ୍ଦ୍ର ଟ୍ୱିଟ୍ ମାଧ୍ୟମରେ କହିଛନ୍ତି, ଏହି ମନଲୋଭା ଓଡ଼ିଆ ଖାଦ୍ୟ ଖାଇବାବେଳେ ପୂର୍ବ ଭାରତର ଆର୍ଥିକ ବିକାଶ ନେଇ ଆଲୋଚନା କରିଥିଲୁ । ଏଭଳି ଆତିଥ୍ୟ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Comments are closed, but trackbacks and pingbacks are open.