ଭୁବନେଶ୍ୱର,(ବି.ବି.ବୁ୍ୟରୋ): ୨୪ତମ ପୂର୍ବାଞ୍ଚଳ ପରିଷଦ ବୈଠକରେ ଉଠିଛି ଦିଲ୍ଲୀ ହିଂସା ପ୍ରସଙ୍ଗ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ପ୍ରସଙ୍ଗ ଉଠାଇଛନ୍ତି ।
ବୈଠକରୁ ଫେରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ମମତା କହିଛନ୍ତି, ଦିଲ୍ଲୀରେ ଯାହା କିଛି ଘଟିଛି ତାହା ଦୁଃଖର ବିଷୟ । ଦିଲ୍ଲୀ ସ୍ଥିତିକୁ ତୁରନ୍ତ ସ୍ୱାଭାବିକ ଅବସ୍ଥାକୁ ଅଣାଯିବା ଉଚିତ । ଏହାଛଡ଼ା ଏହାର ଶିକାର ହୋଇଥିବା ବ୍ୟକ୍ତିବିଶେଷ ଓ ସେମାନଙ୍କ ପରିବାରକୁ ସହାୟତାର ହାତ ବଢ଼ାଇବା ଉଚିତ ।
ସେ କହିଛନ୍ତି, ଏହି ହିଂସାକାଣ୍ଡରେ ଜଣେ ପୁଲିସ କନଷ୍ଟେବଲ ଓ ଗୁଇନ୍ଦା କର୍ମଚାରୀ ସମେତ ବହୁ ଲୋକଙ୍କର ମୃତୁ୍ୟ ହୋଇଛି । ଯଦି ଦେଶର କୌଣସି ଗୋଟିଏ ଅଂଶରେ ସମସ୍ୟା ଦେଖାଦେଉଛି, ତାହା ଅନ୍ୟ ଅଂଶକୁ ମଧ୍ୟ ସମ୍ପ୍ରସାରଣ କରିପାରେ । ଏଭଳି ସ୍ଥିତିରେ କେନ୍ଦ୍ର ସରକାର ସାରା ଦେଶରେ ଶାନ୍ତି ଓ ସୌହାର୍ଦ୍ଧ୍ୟକୁ ସୁନିଶ୍ଚିତ କରିବା ନିହାତି ଜରୁରି ହୋଇପଡ଼ିଛି ।
ପୂର୍ବାଞ୍ଚଳ ପରିଷଦ ବୈଠକର ଏଜେଣ୍ଡାରେ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି), ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା (ଏନ୍ପିଆର୍) ଓ ନାଗରିକତା ସଂଶୋଧନ ଆଇନ (ସିଏଏ) ପ୍ରସଙ୍ଗ ନ ଥିଲା । ଏଣୁ ଏହା ଉପରେ କୌଣସି ଆଲୋଚନା ହୋଇନାହିଁ । ସେହିଭଳି ଆଇନ ଶୃଙ୍ଖଳା ଉପରେ ମଧ୍ୟ କୌଣସି ଆଲୋଚନା ହୋଇନି ବୋଲି ମମତା କହିଛନ୍ତି ।
ଏହାବ୍ୟତୀତ ପୂର୍ବାଞ୍ଚଳ ପରିଷଦ ବୈଠକରେ ମମତା ପଶ୍ଚିମବଙ୍ଗ ସହ ଜଡ଼ିତ କେତେକ ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ, ଜିଏସ୍ଟି ରାଜସ୍ୱ ବକେୟାକୁ ୨ ମାସ ମଧ୍ୟରେ ରାଜ୍ୟଗୁଡ଼ିକୁ ପ୍ରଦାନ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ହୋଇଥିଲେ । କିନ୍ତୁ ୬ ମାସ ପରେ ମଧ୍ୟ ଜିଏସ୍ଟି ବକେୟା ମିଳୁନାହିଁ, ଯାହାକି ରାଜ୍ୟରେ ଆର୍ଥିକ ସଙ୍କଟକୁ ବଢ଼ାଉଛି ।
କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ହସ୍ତାନ୍ତର ପାଣ୍ଠି ବଢ଼ାନ୍ତୁ ବୋଲି ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ । ଅପରପକ୍ଷରେ ବାତ୍ୟା ଫୋନି ଓ ବୁଲ୍ବୁଲ୍ ବେଳେ କେନ୍ଦ୍ର ସରକାର ପଶ୍ଚିମବଙ୍ଗକୁ କୌଣସି ସହାୟତା ଯୋଗାଇ ନ ଥିବାରୁ ମମତା କ୍ଷୋଭ ପ୍ରକାଶ କରିଥିଲେ ।
Comments are closed, but trackbacks and pingbacks are open.