କଟକ,(ବି.ବି.ବୁ୍ୟରୋ): ଚଳିତ ବର୍ଷର ହାଇସ୍କୁଲ୍ ସାର୍ଟିଫିକେଟ୍ ବାର୍ଷିକ ପରୀକ୍ଷା ବା ମାଟ୍ରିକ୍ ପରୀକ୍ଷା ଆଜି ଶେଷ ହୋଇଛି । ଆସନ୍ତା ୧୮ ତାରିଖରୁ ମୂଲ୍ୟାୟନ ଆରମ୍ଭ ହୋଇ ଏପ୍ରିଲ ୧୦ ତାରିଖରେ ଶେଷ ହେବ । ଯଦି ଏହି ୨୩ ଦିନ ଭିତରେ ଖାତା ଦେଖା ନସରେ ତେବେ ଆବଶ୍ୟକ ପଡ଼ିଲେ ଆଉ ୨ରୁ ୩ ଦିନ ପର୍ଯ୍ୟନ୍ତ ମୂଲ୍ୟାୟନ ସମୟ ବଢ଼ାଯିବ ବୋଲି ପରୀକ୍ଷା ପରିଚାଳନାକାରୀ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି ।
ବୋର୍ଡ ଦେଇଥିବା ସୂଚନା ମୁତାବକ, ଖାତା ଦେଖା ପାଇଁ ଏଥର ରାଜ୍ୟରେ ୬୧ଟି ମୂଲ୍ୟାୟନ କେନ୍ଦ୍ର ହୋଇଥିବା ବେଳେ ଏ ପ୍ରକ୍ରିୟାରେ ପାଖାପାଖି ୧୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାମିଲ କରାଯାଇଛି । ମୂଲ୍ୟାୟନକୁ ନିର୍ଭୁଲ ଓ ତ୍ରୁଟିଶୂନ୍ୟ କରିବା ପାଇଁ ସବୁ ବ୍ୟବସ୍ଥା କରାଯାଇଛି । ପ୍ରଥମେ ଅବ୍ଜେକ୍ଟିଭ୍ ଖାତା ଦେଖାଯିବ ଓ ପରେ ସବ୍ଜେକ୍ଟିଭ୍ ଖାତା ଦେଖାଯିବ ବୋଲି ସ୍ଥିର ହୋଇଛି । ଉତ୍ତରଖାତାର ନମ୍ବର କଂପୁ୍ୟଟର୍ରେ ତକ୍ରାଳ ଏଣ୍ଟ୍ରି କରାଇବା ସକାଶେ ପ୍ରତ୍ୟେକ ମୂଲ୍ୟାୟନ କେନ୍ଦ୍ରରେ ଜଣେ ଲେଖାଏଁ ଚେକର୍ ଓ ମେକର୍ ରହିବେ । ଏହି ପ୍ରକ୍ରିୟାରେ ଡାଟା ଏଣ୍ଟ୍ରି ନିମନ୍ତେ ରାଜ୍ୟର ୬୧ ମୂଲ୍ୟାୟନ କେନ୍ଦ୍ରରେ ୧୨୨ ଜଣ ଚେକର୍, ମେକର୍ଙ୍କୁ ନିୟୋଜିତ କରାଯାଇଛି ବୋଲି ବୋର୍ଡର ସଭାପତି ରାମାଶିଷ ହାଜରା କହିଛନ୍ତି ।
ଏବର୍ଷ ପରୀକ୍ଷାର ପ୍ରଥମ ଦିନ ଓଡ଼ିଆ ପ୍ରଶ୍ନପତ୍ର ଲିକ୍ ତଥା ଭାଇରାଲ୍ ହେବା ଘଟଣାକୁ ନେଇ ବୋର୍ଡ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଥିଲେ । ପରବର୍ତ୍ତୀ ପରୀକ୍ଷାଗୁଡ଼ିକୁ କେମିତି ତ୍ରୁଟିଶୂନ୍ୟ ଭାବେ ପରିଚାଳନା କରିବେ ସେନେଇ ଘନଘନ ବୈଠକ କରିଥିଲେ । ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, କେନ୍ଦ୍ର ଅଧୀକ୍ଷକ, ଅବ୍ଜରଭର୍ ଓ ନୋଡାଲ ଅଧିକାରୀଙ୍କୁ ନେଇ ଭିଡିଓ କନ୍ଫରେନ୍ସ କରି ପରିଚାଳନାକୁ କଡ଼ାକଡ଼ି କରିବା ପାଇଁ ପଦକ୍ଷେପ ନେଇଥିଲେ । ଆଜି ମାଟ୍ରିକ୍ ସମେତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ (ଏସ୍ଓଏସ୍ସି) ଓ ସଂସ୍କୃତ ମଧ୍ୟମାର ସମସ୍ତ ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଛି । ଚଳିତ ବର୍ଷ ମୋଟ ୨୮୮୮ କେନ୍ଦ୍ରରେ ୫ ଲକ୍ଷ ୬୦ ହଜାର ୯୦୫ ଜଣ ପରୀକ୍ଷା ଦେଇଥିଲେ । ପ୍ରଶ୍ନପତ୍ର ସୁରକ୍ଷିତ ରଖିବା ପାଇଁ ୩୦୭ଟି ନୋଡାଲ ସେଣ୍ଟର କରାଯାଇଥିବା ବେଳେ, କପି ରୋକିବାକୁ ୬୯ଟି ଫ୍ଲାଇଂ ସ୍କ୍ୱାଡ୍, ୩୪ଟି ସ୍ୱତନ୍ତ୍ର ସ୍କ୍ୱାଡ୍ ଗଢାଯାଇଥିଲା । ୧୦୦୦ଟି କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା । ଆଜି ଶେଷ ଦିନ ସାମାଜିକ ବିଜ୍ଞାନ ପରୀକ୍ଷାରେ ୧୪୯ ଜଣ ପରୀକ୍ଷାର୍ଥୀ କପି କରୁଥିବା ବେଳେ ସ୍କ୍ୱାଡ୍ ହାତରେ ଧରାପଡ଼ି ମାଲପ୍ରାକ୍ଟିସ୍ (ଏମ୍ପି) ଅଭିଯୋଗରେ ବୁକ୍ ହୋଇ ପରୀକ୍ଷାରୁ ବାଦ୍ ପଡ଼ିଛନ୍ତି । ସେହିପରି ଏସ୍ଓଏସ୍ସିର ଓଡ଼ିଆ/ତେଲୁଗୁ/ହିନ୍ଦୀ/ସଂସ୍କୃତ ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀ ଏମ୍ପିରେ ବୁକ୍ ହୋଇ ପରୀକ୍ଷାରୁ ବାଦ୍ ପଡ଼ିଛନ୍ତି । ଆଜିକାର ଦୁଇଟି ପରୀକ୍ଷାରେ ମୋଟ ୧୫୦ ଜଣ ପରୀକ୍ଷାର୍ଥୀ ଏମ୍ପିରେ ବୁକ୍ ହୋଇଥିବା ବେଳେ ଚଳିତ ବର୍ଷ ମୋଟ ୯୪୭ ଜଣ ପରୀକ୍ଷାର୍ଥୀ ଏମ୍ପି ହୋଇଛନ୍ତି । ମାଟ୍ରିକ୍ରେ ୮୨୯ ଜଣ, ଏସ୍ଓଏସ୍ସିରେ ୧୧୩ ଜଣ ଓ ସଂସ୍କୃତ ମଧ୍ୟମାରେ ୫ ଜଣ ପରୀକ୍ଷାର୍ଥୀ ଏମ୍ପିରେ ବୁକ୍ ହୋଇଥିବା ଜଣାପଡ଼ିଛି ।
ଚଳିତ ବର୍ଷ ମୂଲ୍ୟାୟନକୁ ତ୍ରୁଟିଶୂନ୍ୟ କରିବା ପାଇଁ ଅବ୍ଜେକ୍ଟିଭ୍ ଓ ସବ୍ଜେକ୍ଟିଭ୍ ଉତ୍ତରଖାତାର ମୂଲ୍ୟାୟନ ଅଲଗା ଅଲଗା କେନ୍ଦ୍ରରେ କରାଯିବ । ଏଥିପାଇଁ ପ୍ରଥମେ ଅବ୍ଜେକ୍ଟିଭ୍ ଖାତା ଦେଖାଯିବ ଓ ପରେ ସବ୍ଜେକ୍ଟିଭ୍ ଖାତା ଦେଖାଯିବ । ପ୍ରତ୍ୟେକ ଦିନ ଖାତାଦେଖା ସରିବା ପରେ ପରୀକ୍ଷାର୍ଥୀମାନେ ରଖିଥିବା ନମ୍ବରକୁ କେନ୍ଦ୍ରରେ ନିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟର୍ ବା ମେକର୍ ବୋର୍ଡ ଲିଙ୍କ୍ରେ ଅନ୍ଲାଇନ୍ରେ ପଠାଇବେ । ପଠାଇବା ପୂର୍ବରୁ ବୋର୍ଡ ପକ୍ଷରୁ ନିଯୁକ୍ତ ସ୍ୱତନ୍ତ୍ର ଚେକର୍ ବା ଯାଞ୍ଚକାରୀ ଉତ୍ତରଖାତା ଓ କମ୍ପୁ୍ୟଟରରେ ଟାଇପ୍ ହୋଇଥିବା ନମ୍ବରକୁ ମିଳାଇ ଯାଞ୍ଚ କରିବେ । ଯାହାଫଳରେ ନମ୍ବର ପଠାଇବାରେ ଭୁଲ ହେବ ନାହିଁ । ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ଫେବ୍ରୁଆରୀ ୨୮ ତାରିଖରେ ଗଣଶିକ୍ଷା ବିଭାଗର ନିଦେ୍ର୍ଧଶକଙ୍କୁ ଚିଠି କରାଯାଇଥିଲା । ଖାତା ଦେଖାରେ ନିୟୋଜିତ ହେବାକୁ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଲିକା ପ୍ରସ୍ତୁତ କରି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଅବଗତ କରିବାକୁ ଉକ୍ତ ଚିଠିରେ କୁହାଯାଇଥିଲା । ମୂଲ୍ୟାୟନ କେନ୍ଦ୍ରରେ ପୁଲିସ ଓ ସିସିଟିଭି ଲଗାଇବାକୁ କୁହାଯାଇଥିଲା । ଏହାସହ ପ୍ରତ୍ୟେକ କେନ୍ଦ୍ରରେ ୧ରୁ ୩ଟି ୟୁନିଟ୍ ଖାତା ଦେଖିବାର ବ୍ୟବସ୍ଥା କରିବାକୁ କୁହାଯାଇଥିଲା । ଗୋଟିଏ ୟୁନିଟ୍ରେ ୧୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିବାର ବ୍ୟବସ୍ଥା ହେଉଥିବା ବେଳେ ପ୍ରତ୍ୟେକ ଦିନ ଜଣେ ଶିକ୍ଷକ ୩୦ରୁ ୩୫ଟି ଖାତା ଦେଖିପାରିବେ ବୋଲି ନିୟମ ସ୍ଥିର କରାଯାଇଛି । ଏପ୍ରିଲ ୧୦ରେ ମୂଲ୍ୟାୟନ ସରିବା ପରେ ଯେତେ ଶୀଘ୍ର ସମ୍ଭବ ଫଳ ପ୍ରକାଶ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।
Comments are closed, but trackbacks and pingbacks are open.