ଟ୍ରାଫିକ୍ ଯାଞ୍ଚକୁ ନେଇ ଜନତା ପୁଲିସ୍ ମୁହାଁମୁହିଁ

Get real time updates directly on you device, subscribe now.

ସମ୍ବଲପୁର,(ବି.ବି.ନୁ୍ୟଜ୍): ଆଜି ତୃତୀୟ ଦିନରେ ମଧ୍ୟ ପୁଲିସ ସହରା ସାରା ଏକପ୍ରକାର ନାକାବନ୍ଦୀ ଭଳି ଟ୍ରାଫିକ୍ ଧରପଗଡ ଚଲାଇଥିଲା । ଟ୍ରାଫିକ୍ ଯାଞ୍ଚକୁ ନେଇ ଆଜି ସମ୍ବଲପୁର ଲକ୍ଷ୍ମୀଟକିଜ୍ ଛକ ନିକଟରେ ତାତିଛନ୍ତି ସାଧାରଣ ଲୋକେ । ଜଣେ ନିୟମ ଖିଲାପକାରୀ ବାଇକ୍ ଚାଳକଙ୍କ ପାଖରୁ ଫାଇନ୍ ଆଦାୟକୁ ନେଇ ପୁଲିସ୍ ଏବଂ ଜନତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଏପରିକି ଜଣେ ପୁଲିସ୍ ଅଧିକାରୀ ବାଇକ୍ ଚାଳକଙ୍କ କଲର୍ ଧରି ଫାଇନ୍ ଦେବା ପାଇଁ କହିଥିଲେ । ଯାହାକୁ ନେଇ ସେଠାରେ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଘଟଣାସ୍ଥଳରେ ସାଧାରଣ ଲୋକେ ଏକତ୍ରୀତ ହେବା ସହ ପୁଲିସ୍ ଟ୍ରାଫିକ ଯାଞ୍ଚ ବେଳେ ନାଲି ଆଖି ଦେଖାଉଥିବା ନେଇ ଅଭିଯୋଗ କରିଥିଲେ । ପରେ ପୁଲିସ୍ ବିରୋଧରେ ଲୋକେ ନାରାବାଜି ଦେବା ସହ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ । ପୁଲିସ୍ ନିୟମ ଖିଲାପକାରୀ ବାଇକ୍ ଚାଳକ ତପନ ପଟ୍ଟନାୟକଙ୍କୁ ଘଟଣା ସ୍ଥଳରୁ ଧମକ ଦେଇ ଟେକି ନେଇଥିଲା । ପରେ ସେଠାରେ ଟ୍ରାଫିକ ଯାଞ୍ଚ ସ୍ଥଗିତ ହୋଇ ପରିସ୍ଥିତି ଶାନ୍ତପଡିଥିଲା । ଟ୍ରାଫିକ୍ ଧରପଗଡ ନାଁରେ ପୁଲିସର ଦବଙ୍ଗଗିରିକୁ ନେଇ ଆଜି ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେପଟେ, ଆଜି ସମ୍ବଲପୁର ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ୪୯୫ଟି ଗାଡିରୁ ମୋଟ୍ ୩ ଲକ୍ଷ ୪୪ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ଏଥିରେ ମାଲବାହୀ ଅଟୋକୁ ୩୦ ହଜାର ଫାଇନ ସହ ଡିଜେ ଗାଡିକୁ ୪୦ ହଜାର ଟଙ୍କାର ଫାଇନ୍ କରାଯାଇଛି ।
ସୂଚନା ଅନୁସାରେ, ଆଜି ମଧ୍ୟ ତୃତୀୟ ଦିନରେ ପୁଲିସ ପକ୍ଷରୁ ଟ୍ରାଫିକ୍ ଧରପଗଡ ଜୋରଦାର ହୋଇଥିଲା । ବ୍ୟସ୍ତବହୁଳ ଲକ୍ଷ୍ମୀ ଟକିଜ ଛକରେ ଯାଞ୍ଚ ଚାଲିଥିବା ବେଳେ ତପନ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ଆଜି ମଧ୍ୟାହ୍ନରେ ତାଙ୍କର ଦୁଇ ଜଣ ସାଥୀଙ୍କ ସହ ଏକ ସ୍କୁଟି(ଓଡି-୧୫ଏନ୍-୩୫୩୨)ରେ ଲକ୍ଷ୍ମୀଟକିଜ ନିକଟକୁ ଆସୁଥିବା ବେଳେ ଟ୍ରାଫିକ୍ ପୁଲିସ ହାବୁଡରେ ପଡିଥିଲେ । ଏନେଇ ଡୁ୍ୟଟିରେ ଥିବା ଜଣେ କନଷ୍ଟେବଲ୍ ତାଙ୍କୁ ଅଟକାଇବା ସହ ଫାଇନ୍ ଦେବା ପାଇଁ ବାବୁଙ୍କ ପାଖକୁ ଯିିବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ଏନେଇ ବାଇକ୍ ଚାଳକ ଜଣଙ୍କ ଗତକାଲି ୪୦ ହଜାର ଟଙ୍କା ଫାଇନ୍ ଦେଇଥିବାରୁ ଆଜି ଫାଇନ ଦେବେ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଥିଲେ । ଯାହାକୁ ନେଇ କନଷ୍ଟେବଲ୍ ଏବଂ ତପନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ ରାଗିଯାଇ ସଂପୃକ୍ତ କନଷ୍ଟେବଲ୍ ଜଣକ ତପନଙ୍କୁ ଧକ୍କା ମାରିବା ସହ ତାଙ୍କ ଘଣ୍ଟା ଛିଣ୍ଡାଇ ଦେଇଥିବା ନେଇ ଅଭିଯୋଗ କରିଛନ୍ତି ତପନ । ଘଟଣାକୁ ନେଇ ସେଠାରେ ସାଧାରଣ ଲୋକେ ଏକତ୍ରୀତ ହୋଇଥିଲେ । ପରେ ଟ୍ରାଫିକ୍ ଯାଞ୍ଚ ବେଳେ ପୁଲିସର ଆଚରଣକୁ ନେଇ ତାତିଥିଲେ ସାଧାରଣ ଲୋକେ ।
ବହୁ ସଂଖ୍ୟାରେ ଲୋକେ ଏକାଠି ହୋଇ ପୁଲିସ୍କୁ ବିରୋଧ କରିବା ସହ ସହର ମଧ୍ୟରେ ସାଧାରଣ ଲୋକଙ୍କୁ ପୁଲିସ୍ ଜାଣିଶୁଣି ହଇରାଣ କରୁଥିବା ନେଇ ଅଭିଯୋଗ କରିଥିଲେ । ପରେ ଲୋକେ ଲକ୍ଷ୍ମୀଟକିଜ ଛକରେ ରାସ୍ତା ରୋକ୍ କରିଥିଲେ । ଯାହାକୁ ନେଇ ସେଠାରେ କିଛି ସମୟ ଧରି ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା । ଘଟଣାସ୍ଥଳରେ ଟ୍ରାଫିକ୍ ଡିଏସ୍ପି ହିମାଂଶୁ ବେହେରା ଏବଂ ଟାଉନ ଥାନା ଆଇଆଇସି ରମେଶ ଦୋରା ପହଞ୍ଚି ଉତ୍ୟକ୍ତ ଜନତାଙ୍କୁ ବୁଝାସୁଝା କରିଥିଲେ । ସ୍ଥିତି ଅଣାୟତଃ ହେବାରୁ ପୁଲିସ୍ ଲୋକଙ୍କୁ ବୁଝାସୁଝା କରିବା ପରିବର୍ତ୍ତେ ନାଲି ଆଖି ଦେଖାଇବା ସହ ବାଇକ୍ ଚାଳକଙ୍କୁ ସେଠାରୁ ଜୋରଜବରଦସ୍ତ ଉଠାଇ ନେଇଥିଲା । ଏପରିକି ତପନ ଗଣମାଧ୍ୟମ ସାମ୍ନାରେ ଟାଉନ ଥାନା ଅଧିକାରୀ ରମେଶ ଦୋରାଙ୍କ ପାଦ ଧରି କ୍ଷମା ମାଗିବା ପରେ ବି ପୁଲିସ ଔଦ୍ଧତ୍ୟ ଦେଖାଇ ତାଙ୍କୁ ବଳପୂର୍ବକ ଟେକିନେଇଥିଲା । ଏତିକି ବେଳେ ଖୋଦ ଆଇଆଇସି ଶ୍ରୀ ଦୋରା ମଧ୍ୟ ଧମକ ଦେବା ସହ ଉଠାଇ ନେବା ପାଇଁ କହିଥିବା ନେଇ ଅଭିଯୋଗ ହୋଇଛି । ତାଙ୍କର ଧମକ ଦେଉଥିବା ଭିଡିଓ ବି ଭାଇରାଲ ହୋଇଥିବା ବେଳେ ପୁଲିସକୁ ବିଷୋଦଗାରର ସମ୍ମୁଖୀନ ହେବାକୁ ପଡିଛି । ଗୋଟିଏ ପଟେ ସରକାର ଗାଡି ଚାଳକଙ୍କୁ ଉତ୍ତମ ବ୍ୟବହାର ପାଇଁ ନିଦେ୍ଧର୍ଶ ଦେଇଥିବା ବେଳେ ପୁଲିସର ଏଭଳି ଆଚରଣ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି କରିଛି ।
ଅପରପକ୍ଷେ, ଆଜି ସହରର ବିଭିନ୍ନ ସ୍ଥାନ ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ମୋଟ୍ ୪୯୫ଟି ଗାଡିକୁ ପୁଲିସ ଅଟକାଇ ମୋଟ୍ ୩ ଲକ୍ଷ ୪୪ ହଜାର ଟଙ୍କାର ଜୋରିମାନା ଆଦାୟ କରିଛି । ଏଥିରୁ ଟ୍ରାଫିକ୍ ପୁଲିସ ୧ ଲକ୍ଷ ୪୪ ହଜାର ଟଙ୍କା ଆଦାୟ କରିଥିବା ବେଳେ ପରିବହନ ବିଭାଗ ୨ ଲକ୍ଷ ଟଙ୍କା ଆଦାୟ କରିଛି । ଆଜିର ଧରପଗଡ ବେଳେ ସମ୍ବଲପୁର ସହରରେ ଏକ ଅଟୋକୁ ୩୦ ହଜାର ଟଙ୍କାର ଫାଇନ୍ ଆଦାୟ ହୋଇଥିବା ବେଳେ ମାଲବାହୀ ଅଟୋ ଏବଂ ଏକ ଡିଜେ ଗାଡିକୁ ୪୦ ହଜାର ଟଙ୍କାର ଜୋରିମାନା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons