କେନ୍ଦୁଝର,(ବି.ବି.ନୁ୍ୟଜ୍): ଅଣ୍ଡାମାନରେ ସିଆଇଏସ୍ଏଫ କର୍ମଚାରୀ ଭାବେ କାର୍ଯ୍ୟରତ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ କରୋନା ଆକ୍ରାନ୍ତ ସନେ୍ଦହରେ ବୁଧବାର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି । ଖୋଦ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ଏପରିକି କେନ୍ଦୁଝର ଜିଲ୍ଲାରେ ଏହାକୁ ନେଇ ଭୟର ବାତାବରଣ ଖେଳିଯାଇଛି । ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନୋଭେଲ କରୋନା ଭାଇରସ ନିମନ୍ତେ ଖୋଲାଯାଇଥିବା ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଛି । ଭେଷଜ ବିଭାଗ ବିଶେଷଜ୍ଞ ଏବଂ ଫୁସ୍ଫୁସ୍ ବିଭାଗ ବିଶେଷଜ୍ଞଙ୍କୁ ନେଇ ଏକ ଡାକ୍ତରୀ ଟିମ୍ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପରୀକ୍ଷା କରିଥିଲେ । ତେବେ ସେ କରୋନାରେ ଆକ୍ରାନ୍ତ ହୋଇ ନଥିବା ସୂଚନା ଦେଇଛନ୍ତି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ଅଶୋକ ଦାସ ।
ହରିଚନ୍ଦନପୁର ଅଞ୍ଚଳର ବ୍ୟକ୍ତି ଜଣକ ଆଣ୍ଡାମାନରେ ସିଆଇଏସ୍ଏଫ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବାବେଳେ ଗତ ୨୫ ତାରିଖରେ ଫ୍ଲାଇଟ ଯୋଗେ ଚେନ୍ନାଇ ଦେଇ ନିଜ ଘରକୁ ଆସିଥିଲେ । ମଙ୍ଗଳବାର ତାଙ୍କୁ କାଶ ଏବଂ ଛାତି ଯନ୍ତ୍ରଣା ହେବାରୁ ସେ ହରିଚନ୍ଦନପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କ ଲକ୍ଷଣ ଅନୁଧ୍ୟାନ କରି କରୋନାରେ ଆକ୍ରାନ୍ତ ଥିବା ସନେ୍ଦହରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ବୁଧବାର ପୂର୍ବାହ୍ନରେ ବ୍ୟକ୍ତି ଜଣକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ତାଙ୍କୁ କରୋନା ଲାଗି ଖୋଲା ଯାଇଥିବା ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା । ତେବେ ପରୀକ୍ଷା ନିରୀକ୍ଷା ପରେ ବ୍ୟକ୍ତି ଜଣକ ପୁରୁଣା ଶ୍ୱାସ ଏବଂ ଉଚ୍ଚ ରକ୍ତଚାପ ଜନିତ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନିଜେ ଉପସ୍ଥିତ ରହି ଡାକ୍ତରଙ୍କ ମାଧ୍ୟମରେ ଅନୁଧ୍ୟାନ କରିବା ପରେ ବ୍ୟକ୍ତି ଜଣକୁ ଘରକୁ ପଠାଇ ଦେଇଛନ୍ତି ।
ଗାଇଡ ଲାଇନ ମୁତାବକ ୨୮ ଦିନ ପର୍ଯ୍ୟନ୍ତ ତାଙ୍କୁ ସ୍ୱତନ୍ତ୍ର ଅନୁଧ୍ୟାନରେ ରଖାଯିବାର ପ୍ରାବଧାନ ରହିଥିବାବେଳେ ଘର ଲୋକଙ୍କ ସହ ମିଳାମିଶା ନ କରିବା ସହିତ ଘରୁ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ସେ ନିୟମିତ ଭାବେ ଡାକ୍ତରଙ୍କ ସହ ଯୋଗାଯୋଗରେ ରହିବେ ଏବଂ ଯଦି ସେଭଳି କିଛି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଅନୁଭବ କରନ୍ତି ତୁରନ୍ତ ଡାକ୍ତରୀ ସେବା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ଦାସ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.