ଖଟିଆରେ ୭କିମି ବୁହାହେଲେ ରୋଗୀ

Get real time updates directly on you device, subscribe now.

ମୈଦଲପୁର,(ବି.ବି.ନୁ୍ୟଜ୍): ଦେଖନ୍ତୁ ଏହି ଅଭାବନୀୟ ଦୃଶ୍ୟ । ଘଞ୍ଚ ଜଙ୍ଗଲ ଭିତରେ କିଭଳି ଆବଡାଖାବଡା ପାହାଡ଼ିଆ ରାସ୍ତା ଦେଇ ବୁହାଯାଉଛି ଜଣେ ରୋଗୀଙ୍କୁ । ପାଦେ ପାଦେ ଜଙ୍ଗଲି ଜନ୍ତୁଙ୍କ ଭୟ ରହିଛି । ତଥାପି ମୁମୂର୍ଷୁ ଅବସ୍ଥାରେ ଥିବା ଜଣେ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ଲାଗି ପରିବାର ଓ ଗ୍ରାମବାସୀଙ୍କ ଚାଲିଛି ଆପ୍ରାଣ ଉଦ୍ୟମ । ରୋଗୀଙ୍କୁ ଦୀର୍ଘ ୭କିମି ଖଟିଆରେ ବୋହିଛନ୍ତି ଲୋକେ । ତା ପରେ ଅଟୋ ଭଡ଼ା କରି ଡାକ୍ତରଖାନାରେ ପହଞ୍ଚାଇଛନ୍ତି । ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକମୈଦଲପୁର ପଞ୍ଚାୟତର ଦୁର୍ଗମ କାଦଦରା ଗାଁରେ । ରୋଗରେ ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଥିଲେ ଗାଁର ବେଣୁ ଶବର ।
ସ୍ୱାଦୀନତାର ୭୦ ବର୍ଷ ପରେ ବି ଏହି ଗାଁକୁ ତିଆରି ହୋଇପାରିନି ରାସ୍ତାଟିଏ । ରାସ୍ତା ନଥିବାରୁ ବର୍ଷତମାମ୍ ଗ୍ରାମବାସୀଙ୍କୁ ଏଭଳି ହିନସ୍ତା ଏବଂ ହଟହଟ୍ଟା ହେବାକୁ ପଡୁଛି । ଆମ୍ବୁଲାନ୍ସ ଆସିପାରୁ ନଥିବାରୁ ଲୋକେ ବାଧ୍ୟ ହୋଇ ଖଟିଆରେ ରୋଗୀଙ୍କୁ ବୋହୁଛନ୍ତି । ଜ୍ୱରରେ ଆକ୍ରାନ୍ତ ଥିବା ଗାଁର ବେଣୁ(୫୦)ଙ୍କ ଅବସ୍ଥା ଆଜି ସକାଳେ ହଠାତ୍ ଗୁରୁତର ହୋଇପଡ଼ିଥିଲା । ନିଃଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ପରିବାରେ ଓ ଗାଁ ଲୋକେ ଖଟିଆ ଭାରରେ ଦୀର୍ଘ ୭କିମି ଦୂର ଗୁଜମାପଦର ପର୍ଯ୍ୟନ୍ତ ବୋହିଥିଲେ । ଜଙ୍ଗଲି ଜନ୍ତୁଙ୍କ ଭୟ ଥିବାରୁ କାହା ହାତରେ ଥିଲା ଠେଙ୍ଗା ତ ଆଉ କାହା ହାତରେ ଟାଙ୍ଗିଆ । ଗୁଜମାପଦରରୁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା । ଦୁର୍ଭାଗ୍ୟର ବିଷୟ, ଆମ୍ବୁଲାନ୍ସଟି ସେତେବେଳେ ଅନ୍ୟ ଜଣେ ରୋଗୀଙ୍କୁ ଆଣିବାକୁ ଯାଇଥିଲା । ଗାଁ ଲୋକେ ଅନ୍ୟ ଉପାୟ ନପାଇ ବେଣୁଙ୍କୁ ଏକ ଅଟୋ ସାହାଯ୍ୟରେ ପ୍ରଥମେ ମୈଦଲପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଅବସ୍ଥା ଗୁରୁତର ଥିବାର ସେଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ପାପଡ଼ାହାଣ୍ଡି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ବେଣୁଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲଥିବା ପରିବାର ସହ ଗ୍ରାମବାସୀ କହିଛନ୍ତି ।
ସୂଚନାଥାଉକି, ମୈଦଲପୁରରୁ କାଦଦରା ଗାଁର ଦୂରତା ପ୍ରାୟ ୧୬ କିମି । ଏହି ଗାଁରେ ୭୦ରୁ ଅଧିକ ଲୋକ ବସବାସ କରୁଛନ୍ତି । ଗାଁକୁ ପାଣି କି ରାସ୍ତା ନାହିଁ । କିଛିଦିନ ତଳେ ଡାବୁଗାଁ ବିଧାୟକ ଜଣେ ପ୍ରସୂତିଙ୍କୁ ଭାରରେ ବୋହି ଚର୍ଚ୍ଚାକୁ ଆସିଥିଲେ । ଗାଁ ରାସ୍ତା ଓ ପାଣି ସମସ୍ୟା ଦୂର କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସରକାରଙ୍କ ତରଫରୁ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନି । ଫଳରେ ଗାଁ ଲୋକେ ଜରୁରୀ ସମୟରେ ଜୀବନକୁ ବାଜି ଲଗାଇ ରୋଗୀଙ୍କୁ ଏଭଳି ଅବସ୍ଥାରେ ଡାକ୍ତରଖାନା ବୋହୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons