ଭୁବନେଶ୍ୱର,(ବି.ବି.ବୁ୍ୟରୋ): ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜମା ରଖିବା ପ୍ରସଙ୍ଗକୁ ନେଇ ଆଜି ବିଧାନସଭା କମ୍ପିଥିଲା । କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ । ଏ ପ୍ରସଙ୍ଗରେ ସରକାରଙ୍କୁ କୈଫିୟତ ତଲବ କରିଥିଲେ । ବାଚସ୍ପତି ଯେତେ ବୁଝାଇଲେ ମଧ୍ୟ କଂଗ୍ରେସ ସଭ୍ୟମାନେ ବୁଝିନଥିଲେ । ସେମାନଙ୍କ ପାଟିତୁଣ୍ଡରୁ ଗୃହକୁ ଦୁଇ ଥର ମୁଲତବୀ ରଖିବାକୁ ପଡ଼ିଥିଲା । ଆସନ୍ତାକାଲି ଏହି ପ୍ରସଙ୍ଗରେ ମୁଲତବୀ ଆଲୋଚନା ହେବ ।
ଆଜି ଗୃହ କାର୍ଯ୍ୟ ଆରମ୍ଭରେ ଦିବଂଗତ ପୂର୍ବତନ ସଦସ୍ୟମାନଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ । ଦିବଂଗତ ସଦସ୍ୟମାନଙ୍କ ଉଦେ୍ଧଶ୍ୟରେ ଗୃହ ଶୋକ ବ୍ୟକ୍ତ କରିଥିଲା । ଏହା ପରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଗୃହ ମଧ୍ୟ ଭାଗକୁ ଝପଟି ଆସିଥିଲେ କଂଗ୍ରେସ ସଭ୍ୟମାନେ । ଜଗନ୍ନାଥଙ୍କ ଟଙ୍କା ଖାଇଲା କିଏ… ନାରା ଦେଇ ମାଡ଼ି ଆସିଥିଲେ ବାଚସ୍ପତିଙ୍କ ପୋଡ଼ିୟମ ଆଡ଼କୁ । ବାଚସ୍ପତି ଚାହିଁଲେ ମଧ୍ୟ ପ୍ରଶ୍ନକାଳକୁ ଆଗକୁ ନେଇ ପାରିଲେ ନାହିଁ । ଏହାପରେ ବାଧ୍ୟହୋଇ ବାଚସ୍ପତି ୧୦ଟା ୪୨ ମିନିଟରୁ ସାଢେ଼ ୧୨ ଯାଏ ଗୃହକୁ ମୁଲତବୀ ରଖିଲେ ।
୧୨ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା ।
କଂଗ୍ରେସ ସଭ୍ୟମାନେ ସ୍ଲୋଗାନ ଛାଡ଼ିଲେ, ଜଗନ୍ନାଥଙ୍କ ଟଙ୍କା ଖାଇଛି କିଏ, ବିଜେଡି ସରକାର ଆଉ କିଏ… । ପାଟିତୁଣ୍ଡରେ ଗୃହ ଥରିଥିଲା । ଅନ୍ୟପକ୍ଷେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ତାଙ୍କ ଦଳ ଦେଇଥିବା ମୁଲତବୀ ପ୍ରସ୍ତାବ କାହିଁକି ଗ୍ରହଣ କରାଯାଇନି ବୋଲି ପ୍ରଶ୍ନ କରିଥିଲେ । ସେ କହୁଥିଲା ବେଳେ କଂଗ୍ରେସ ସଭ୍ୟମାନେ ପାଟିତୁଣ୍ଡ କରୁଥିବାରୁ କିଛି ଶୁଭୁନଥିଲା । ମୁଲତବୀ ପ୍ରସ୍ତାବକୁ ଆସନ୍ତାକାଲି ପାଇଁ ରଖାଯାଇଥିବା ନେଇ ବାଚସ୍ପତି ଜଣାଇଥିଲେ । କଂଗ୍ରେସ ସଭ୍ୟମାନଙ୍କ ହଣ୍ଟଗୋଳ ଜାରି ରହିଥିବାରୁ ମାତ୍ର ମିନିଟକ ମଧ୍ୟରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ।
ଅପରାହ୍ନ ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାବେଳକୁ ସ୍ଥିତି ବଦଳିଯାଇଥିଲା । ଆଉ ହୋହଲ୍ଲା ନଥିଲା । ପୂର୍ବଭଳି ସଦସ୍ୟମାନେ ନାରାବାଜି ଦେଉନଥିଲେ କିମ୍ବା ଗୃହ ମଧ୍ୟ ଭାଗକୁ କେହି ଆସିନଥିଲେ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପୁଣି ଥରେ ଜଗନ୍ନାଥଙ୍କ ଟଙ୍କା ପ୍ରସଙ୍ଗ ଉଠାଇଥିଲେ । ପଏଣ୍ଟ ଅଫ୍ ଅର୍ଡରରେ ସାଲୁଜା କହିଲେ, ଜଗନ୍ନାଥ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କାକୁ ରାଜ୍ୟ ସରକାର କୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନ ରଖି କାହିଁକ ପ୍ରାଇଭେଟ ବ୍ୟାଙ୍କରେ ରଖୁଥିଲେ? ଏବେ ସେ ବ୍ୟାଙ୍କ ବୁଡ଼ିବା ଉପରେ । ୫୪୫ କୋଟି ଟଙ୍କା ମଧ୍ୟ ବୁଡ଼ିବାକୁ ଯାଉଛି । ଏ ରାଜ୍ୟରେ ଜଗନ୍ନାଥଙ୍କ ମହାପ୍ରଭୁଙ୍କ ଟଙ୍କା ସୁରକ୍ଷିତ ନାହିଁ । ଏହି ଘଟଣାରେ ଆଇନକୁ ଉଲ୍ଲଘଂନ କରାଯାଇଛି । ଜଗନ୍ନାଥଙ୍କ ଟଙ୍କା କେବେ ଆସିବ? ଗୃହରେ ସରକାର ଏହାର ଉତ୍ତର ଦିଅନ୍ତୁ ବୋଲି ସେ ଦାବି କରିଥିଲେ ।
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଲେ, ଏହା ଏକ ଉଦ୍ବେଗଜନକ ବିଷୟ । ଏ ବିଷୟରେ ଆଲୋଚନା ନ କରି ଗୃହକୁ ବନ୍ଦ କରାଗଲା କାହିଁକି? ବିଧି ବ୍ୟବସ୍ଥା ଅନୁଯାୟୀ ଜାତୀୟ ସମ୍ପତ୍ତି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କାହିଁକି ରଖାଗଲାନି? ଏ ଷଡ଼ଯନ୍ତ୍ରରେ କିଏ ସଂପୃକ୍ତ? ସେହିପରି ଇଡ୍କୋ ଟଙ୍କା ପ୍ରାଇଭେଟ ବ୍ୟାଙ୍କରେ ରଖାଯିବା ପ୍ରସଙ୍ଗ ମଧ୍ୟ ସେ ଉଠାଇଥିଲେ ।
Comments are closed, but trackbacks and pingbacks are open.