ଭାରତରେ ଦ୍ୱିତୀୟ କରୋନା ମୃତୁ୍ୟ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କରୋନା ଭାଇରସ୍ (କୋଭିଡ-୧୯) ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଶୁକ୍ରବାର ଆଉ ୭ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୮୧କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୬୪ ଜଣ ଭାରତୀୟ ଓ ୧୭ ଜଣ ହେଉଛନ୍ତି ବିଦେଶୀ । ବିଦେଶୀଙ୍କ ମଧ୍ୟରେ ୧୬ ଜଣ ଇଟାଲୀ ନାଗରିକ ହୋଇଥିଲା ବେଳେ ଜଣେ କାନାଡା ନାଗରିକ । ଶୁକ୍ରବାର ମଧ୍ୟ ଭାରତରେ ଆଉ ଜଣେ ବ୍ୟକ୍ତି କରୋନା ଯୋଗୁ ପ୍ରାଣ ହରାଇଛନ୍ତି । ୬୯ ବର୍ଷୀୟା ମହିଳା ରୋଗୀ ଜଣକ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହା ପୂର୍ବରୁ ମଙ୍ଗଳବାର କର୍ଣ୍ଣାଟକରେ ଜଣେ ୭୬ ବର୍ଷୀୟ ବ୍ୟକ୍ତିଙ୍କର କରୋନାରେ ମୃତୁ୍ୟ ଘଟିଥିଲା । ଏହା ଦେଶରେ ପ୍ରଥମ କରୋନା ଭାଇରସ୍ ସଂକ୍ରମଣ ଜନିତ ମୃତୁ୍ୟ ଥିଲା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ।
ନୂଆଦିଲ୍ଲୀରେ ସାମ୍ବାଦିକଙ୍କୁ ସୂଚନା ଦେଇ ଅଗ୍ରୱାଲ କହିଛନ୍ତି ଯେ ଭାରତରେ କରୋନା ଭାଇରସ୍କୁ ମହାମାରୀ ଭାବେ ଗ୍ରହଣ କରାଯାଇନାହିଁ । ଦେଶରେ ସେଭଳି ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି ହୋଇନାହିଁ । ତେଣୁ ଲେକାମାନେ ଆଦୌ ଭୟଭୀତ କିମ୍ବା ଆତଙ୍କିତ ହେବା ଉଚିତ ନୁହେଁ । କରୋନା ସଂକ୍ରମିତ ଦେଶରେ ଫସି ରହିଥିବା ୧,୦୩୧ ଜଣଙ୍କୁ ଭାରତ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ନାଗରିକ ହୋଇଥିଲା ବେଳେ କିଛି ମାଳଦ୍ୱୀପ, ଚୀନ୍, ଆମେରିକା ଓ ମାଡାଗସ୍କର ନାଗରିକ ଅଛନ୍ତି । ଇରାନରେ ଥିବା ନାଗରିକଙ୍କୁ ଆଣିବା ଲାଗି ଶନିବାର ଏକ ବିମାନ ସେଠାକୁ ପଠାଯିବ । ସେହିଭଳି ଇଟାଲୀରେ ଫସି ରହିଥିବା ଭାରତୀୟଙ୍କୁ ଆଣିବା ଲାଗି ଶନିବାର ଏୟାର ଇଣ୍ଡିଆ ବିମାନ ମିଲାନକୁ ଯିବ । ସେମାନଙ୍କୁ ସେଠାରୁ ଧରି ବିମାନଟି ରବିବାର ଦିଲ୍ଲୀରେ ପହଞ୍ଚôବ । ଶୁକ୍ରବାର ସୁଦ୍ଧା ପ୍ରାୟ ୪୨ ହଜାର ଲୋକଙ୍କୁ ବିଭିନ୍ନ ସ୍ଥାନରେ କ୍ୱାରେଣ୍ଟାଇନରେ ରଖାଯାଇଛି । ସେମାନଙ୍କ ଉପରେ ନଜର ରଖାଯିବା ସହ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ।
ଅଗ୍ରୱାଲ କହିଛନ୍ତି ଯେ ଦିଲ୍ଲୀ, କର୍ଣ୍ଣାଟକ, କେରଳ ଓ ମହାରାଷ୍ଟ୍ର ସମେତ ୧୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । କର୍ଣ୍ଣାଟକ, ଓଡ଼ିଶା, ଦିଲ୍ଲୀ, ପଞ୍ଜାବ ଓ ବିହାର ଭଳି କେତେକ ରାଜ୍ୟରେ ଶିକ୍ଷାନୁÂାନ ସମେତ ପାର୍କ, ମଲ୍, ସିନେମା ହଲ୍, ଜିମ୍, ସୁଇମିଂ ପୁଲ୍ ଓ ଚିଡ଼ିଆଖାନା ଭଳି ସର୍ବସାଧାରଣ ସ୍ଥାନକୁ ବନ୍ଦ ରଖାଯାଇଛି । ବହୁସଂଖ୍ୟକ ଲୋକ ଏକାଠି ହେବାକୁ ଥିବା ସଭା, ସମିତି ଓ ସମାବେଶକୁ ବାତିଲ କରାଯାଇଛି । ସେହିଭଳି ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି ଯେ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଚଳିତ ମାସ ୨୯ ତାରିଖରେ ହେବାକୁ ଥିବା ଆଇପିଏଲ୍ ମ୍ୟାଚ୍କୁ ଏପ୍ରିଲ ୧୫କୁ ଘୁଞ୍ଚାଇ ଦିଆଯାଇଛି । କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଭାବେ ବାତିଲ କରାଯାଇନାହିଁ । ତାଙ୍କ ବୟାନରୁ ସ୍ପଷ୍ଟ ଜଣାପଡୁଛି ଯେ ଏପ୍ରିଲ ୧୫ ପରେ ମ୍ୟାଚ୍ ହେବା ନେଇ ସନେ୍ଦହ ପ୍ରକାଶ ପାଇଛି । ଯଦିଓ ମ୍ୟାଚ କରାଯିବ ତେବେ ବିନା ଦର୍ଶକରେ ହେବାର ସମ୍ଭାବନା ରହିଛି ।
ଇତିମଧ୍ୟରେ ଜାପାନରୁ ଆସିଥିବା ୧୨୪ ଓ ଚୀନ୍ରୁ ଆସିଥିବା ୧୧୨ ଜଣଙ୍କୁ କ୍ୱାରେଣ୍ଟାଇନ କରାଯାଇ ସେମାନଙ୍କ ସ୍ୱାବ ନମୁନା ପରୀକ୍ଷା ଲାଗି ପଠାଯାଇଥିଲା । ପରୀକ୍ଷାରୁ ସେମାନେ କରୋନା ଭାଇରସ୍ରେ ସଂକ୍ରମିତ ହୋଇ ନଥିବା ଜଣାପଡିଛି । ତେଣୁ ସେମାନଙ୍କୁ ନିଜ ଘରକୁ ଯିବା ଲାଗି ଅନୁମତି ଦିଆଯାଇଛି । ଭାରତ ଆସୁଥିବା ସବୁ ବିମାନଯାତ୍ରୀଙ୍କୁ ସ୍କ୍ରିନିଂ କରାଯିବା ସହିତ ସେମାନଙ୍କ ଯାତ୍ରାକାଳୀନ ତଥ୍ୟ ଓ ପରିଚୟ ସଂଗ୍ରହ କରି ରଖାଯାଉଛି । ସେହିଭଳି କରୋନା ଭାଇରସ୍ ସଂକ୍ରମଣ ରୋକିବା ଲାଗି ଜଳପଥରେ ଆସୁଥିବା ଯାତ୍ରୀଙ୍କୁ ଏବଂ ବିମାନବନ୍ଦର ତଥା ଭୂଭାଗ ଦେଇ ଆସୁଥିବା ଯାତ୍ରୀଙ୍କୁ ବିଭିନ୍ନ ଚେକ୍ପୋଷ୍ଟରେ ଯାଞ୍ଚ କରାଯାଉଛି । ଦେଶର ବିଭିନ୍ନ ଅନ୍ତର୍ଜାତୀୟ ସୀମାରେ ୩୭ଟି ଚେକ୍ପୋଷ୍ଟ ରହିଛି । ସେଥିରୁ ୧୯ଟି ଦେଇ ଯାତ୍ରୀମାନେ ଭାରତ ଆସୁଛନ୍ତି । ସେହିଭଳି ଭାରତ ଓ ବାଂଲାଦେଶ ମଧ୍ୟରେ ଚଳାଚଳ କରୁଥିବା ଟ୍ରେନ ଓ ବସ୍ ସେବାକୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । କିନ୍ତୁ ଭୁଟାନ ଓ ନେପାଳ ନାଗରିକଙ୍କୁ ଭିସାମୁକ୍ତ ଯାତ୍ରା ଲାଗି ଅନୁମତି ଦିଆଯାଇଥିବା ଜଣାପଡିଛି ।
ସେପଟେ କରୋନା ଭାଇରସ୍ର ମୁକାବିଲା କରିବା ଲାଗି ମିଳିତ ରଣନୀତି ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍କ ଦେଶଗୁଡିକୁ ଅପିଲ କରିଛନ୍ତି । କହିଛନ୍ତି ସାର୍କ ଦେଶର ପ୍ରତ୍ୟେକ ନାଗରିକ ଯେଭଳି ସୁସ୍ଥ ଓ ସୁରକ୍ଷିତ ରହିପାରିବେ ସେଦିଗରେ ଯଥାସମ୍ଭବ ପ୍ରୟାସ କରାଯିବା ଆବଶ୍ୟକ । ଟୁଇଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ଏବେ କରୋନା ଭାଇରସ୍ (କୋଭିଡ-୧୯) ସହ ଲଢ଼ୁଛି । ଏହାର ମୁକାବିଲା ପାଇଁ ବିଭିନ୍ନ ସ୍ତରରେ ଓ ବିଭିନ୍ନ ଦେଶ ତଥା ରାଜ୍ୟର ସରକାରମାନେ ପ୍ରୟାସ ଜାରି ରଖିଛନ୍ତି । ବିଶ୍ୱର ବହୁସଂଖ୍ୟକ ଲୋକ ଦକ୍ଷିଣ ଏସିଆରେ ବସବାସ କରୁଛନ୍ତି । ତେଣୁ ଏହି ଅଞ୍ଚଳକୁ କରୋନା କବଳରୁ ମୁକ୍ତ କରିବା ତଥା ଲୋକମାନଙ୍କୁ ସୁସ୍ଥ ରହିବା ଲାଗି ସମସ୍ତଙ୍କ ସହଯୋଗ ଦରକାର । ସାର୍କ ଦେଶଗୁଡ଼ିକ କରୋନା ମୁକାବିଲା ଲାଗି ମିଳିତ ଭାବେ ରଣନୀତି ପ୍ରସ୍ତୁତ କରିବାକୁ ମୋଦି ପ୍ରସ୍ତାବ ଦେଇଛନ୍ତି । କହିଛନ୍ତି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆମେ କରୋନା ନିୟନ୍ତ୍ରଣ ଉପରେ ଆଲୋଚନା କରିପାରିବା ଏବଂ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଇପାରିବା । ଗୁରୁବାର ପ୍ରଧାନମନ୍ତ୍ରୀ ଭୟଭୀତ ନ ହୋଇ ସତର୍କ ରହିବାକୁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ ।
ଅନ୍ୟପକ୍ଷରେ କରୋନା ଭାଇରସ ବିଶ୍ୱର ୧୩୧ଟି ଦେଶକୁ ବ୍ୟାପିସାରିଲାଣି । ଏହାଯୋଗୁ ଏପର୍ଯ୍ୟନ୍ତ ୫୦୮୦ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲା ବେଳେ ୧,୩୭, ୬୭୪ ଜଣ ଆକ୍ରାନ୍ତ ହୋଇଛନ୍ତି । ଇଟାଲୀରେ ମୃତୁ୍ୟ ସଂଖ୍ୟା ୧୦୧୬ରେ ପହଞ୍ଚôଛି ଏବଂ ସମୁଦାୟ ୧୫୧୧୩ ଜଣ ଆକ୍ରାନ୍ତ ହୋଇଛନ୍ତି । ଇରାନରେ ଗତ ୨୪ ଘଣ୍ଟା ଭିତରେ ୧୨୮୯ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଥିଲା ବେଳେ ଆଉ ୮୫ ଜଣ ପ୍ରାଣ ହରାଇଛନ୍ତି । ଏପର୍ଯ୍ୟନ୍ତ ଇରାନରେ ୫୧୪ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୧,୩୬୪ ଜଣ ଆକ୍ରାନ୍ତ ହୋଇଛନ୍ତି । ଦକ୍ଷିଣ କୋରିଆରେ ୭,୯୭୯ ଜଣ ଆକ୍ରାନ୍ତ ହୋଇଥିଲା ବେଳେ ୭୧ ଜଣ ପ୍ରାଣ ହରାଇଛନ୍ତି । ସ୍ପେନରେ ଗୋଟିଏ ଦିନରେ ୭୨୩ଟି ନୂଆ ମାମଲା ସାମ୍ନାକୁ ଆସିବା ପରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮୬୯କୁ ବୃଦ୍ଧି ପାଇଛି । ସ୍ପେନରେ କରୋନା ଯୋଗୁ ଏବେ ସୁଦ୍ଧା ୯୦ ଜଣ ପ୍ରାଣ ହରାଇସାରିଲେଣି । ଜର୍ମାନୀରେ ୩୦୫୯ ଜଣ, ଫ୍ରାନ୍ସରେ ୨୮୭୬ ଜଣ, ଆମେରିକାରେ ୧୭୬୨ ଜଣ, ନରୱେରେ ୮୨୩, ସ୍ୱିଜରଲ୍ୟାଣ୍ଡରେ ୮୬୮, ଡେନମାର୍କରେ ୭୮୫, ସ୍ୱିଡେନରେ ୭୨୭, ନେଦରଲ୍ୟାଣ୍ଡରେ ୬୧୪, ବ୍ରିଟେନରେ ୫୯୦ ଜଣ, ଅଷ୍ଟ୍ରିଆରେ ୪୨୮ ଏବଂ ଅଷ୍ଟେ୍ରଲିଆରେ ୧୯୯ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି । କରୋନା ସଂକ୍ରମଣ ଯୋଗୁ ସ୍ପେନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଆମେରିକାରେ ବି ଏପରି ପଦକ୍ଷେପ ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons