କରୋନା ପାଇଁ କଡ଼ା ସତର୍କତା: ଶ୍ରୀମନ୍ଦିରରେ ଦର୍ଶନ କଟକଣା

Get real time updates directly on you device, subscribe now.

ପୁରୀ, (ବି.ବି.ନୁ୍ୟଜ୍): କରୋନା ସଂକ୍ରମଣ ରୋକିବା ପାଇଁ ଶ୍ରୀମନ୍ଦିରରେ ଦର୍ଶନ କଟକଣା ଲାଗୁ କରାଯାଇଛି । ଦର୍ଶନ ପାଇଁ ଅପେକ୍ଷାରତ ଭକ୍ତମାନେ ଧାଡ଼ିରେ ୧ ମିଟର ବ୍ୟବଧାନରେ ଠିଆ ହେବେ । ମହାପ୍ରଭୁଙ୍କୁ ଦର୍ଶନ ପୂର୍ବରୁ ଭକ୍ତମାନଙ୍କୁ ଏକ ଫର୍ମରେ ବ୍ୟକ୍ତିଗତ ବିବରଣୀ ପୂରଣ କରିବା ବାଧ୍ୟତାମୂଳକ କରାଯାଇଛି ।
ବଡ଼ଦେଉଳରେ ସେବାୟତମାନେ ମାସ୍କ ପିନ୍ଧିବେ । ଶ୍ରଦ୍ଧାଳୁଙ୍କ ପାଇଁ ଭିତର କାଠ ଦର୍ଶନ ବନ୍ଦ ରହିବ । ଭକ୍ତମାନେ ଅରୁଣ ଓ ଗରୁଡ଼ ସ୍ତମ୍ଭ ଛୁଇଁବା ମନା ବୋଲି ରବିବାର ଅନୁÂିତ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଆସନ୍ତା ଏପ୍ରିଲ୍ ୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ରହିବ ।
ଶ୍ରୀମନ୍ଦିର ଭିତରେ ସଂକୀର୍ତ୍ତନ ଜରିଆରେ ପୂଜାପାଠକୁ ବାରଣ କରାଯାଇଛି । ଜ୍ୱର କିମ୍ବା ଥଣ୍ଡା ହୋଇଥିଲେ ଶ୍ରୀମନ୍ଦିର ଆସିବାକୁ ଶ୍ରଦ୍ଧାଳୁମାନଙ୍କୁ ମନା କରାଯାଇଛି । ମହାପ୍ରଭୁଙ୍କୁ ଦର୍ଶନ ପୂର୍ବରୁ ଏକ ଫର୍ମ ପୂରଣ କରିବାକୁ ହେବ । ଦର୍ଶନାର୍ଥୀମାନେ ନିର୍ଦ୍ଧାରିତ ଫର୍ମରେ ନିଜ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀ କେଉଁଠାରୁ ଆସିଛନ୍ତି, ଗତ ୧୫ ଦିନ ମଧ୍ୟରେ କେଉଁ କେଉଁ ସ୍ଥାନ ପରିଦର୍ଶନ କରିଛନ୍ତି, ପରିବାରରେ କେହି ଥଣ୍ଡା, କାଶ, ଜ୍ୱରରେ ଆକ୍ରାନ୍ତ ଅଛନ୍ତି କି ନାହିଁ, ନିଜ ଅଞ୍ଚଳରେ କେହି କରୋନା ଆକ୍ରାନ୍ତ କି ସେ ସମ୍ପର୍କରେ ଉଲ୍ଲେଖ କରିବେ । ପରିବାରର କେହି ବିଦେଶରୁ ଫେରିଥିଲେ ଫର୍ମରେ ସ୍ପଷ୍ଟ କରିବେ । ଶ୍ରୀମନ୍ଦିର ବାହାରେ ହେଲ୍ପ ଡେସ୍କରେ ଏହି ଫର୍ମ ମିଳିବ ।
କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଶ୍ରୀମନ୍ଦିିରରେ କେତେକ ପୂଜାବିଧି ଓ ପରମ୍ପରା ଉପରେ କଟକଣା ଲାଗୁ କରାଯାଇଛି । ପୂଜା ବେଳେ ମୁହଁରେ ମାସ୍କ ପିନ୍ଧିବାକୁ ସେବାୟତମାନଙ୍କୁ ପରାମର୍ଶ ଦିଆଯାଇଛି । ପାଳିଆ ସେବକ ତଥା ସାଧାରଣ ସେବାୟତମାନେ ବି ମୁଖା ପିନ୍ଧିବେ । କିନ୍ତୁ ସେବାପୂଜା ବେଳେ ଏହି ମାସ୍କ ସେବାୟତ ପିନ୍ଧିବେ ନାହିଁ । କାରଣ ପୂଜା ଭୋଗ ତଥା ପାଣି ଆଦି ମାରା ହେବାର ଆଶଙ୍କା ରହିଛି । ସେବକମାନେ ବି ସେମାନଙ୍କ ଯାତ୍ରୀଙ୍କୁ କରୋନା ସଂକ୍ରମଣ ଏବଂ ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଇବେ । ଶ୍ରୀମନ୍ଦିର ଭିତରେ ଗହଳି ନ କରିବାକୁ ଯାତ୍ରୀଙ୍କୁ ମନାଇବେ ।
ଶ୍ରୀମନ୍ଦିର ଭିତରେ ବି ଭକ୍ତମାନେ ୧ ମିଟର ଦୂରତା ରକ୍ଷା କରିବେ । ଭକ୍ତମାନେ ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ, ଦେବାଦେବୀ କିମ୍ବା ଶ୍ରୀମନ୍ଦିରରେ କୌଣସି ବସ୍ତୁକୁ ଛୁଇଁବେ ନାହିଁ । ଜଗମୋହନ ଭିତର ଓ ଅରୁଣ ସ୍ତମ୍ଭ ନିକଟରେ ଭକ୍ତଙ୍କ ଗହଳି ଉପରେ କଟକଣା ଲାଗୁ ହେବ । ସେହିପରି ଆନନ୍ଦବଜାରରେ ଭକ୍ତଙ୍କ ବସିବା ଓ ଭୋଜନ ଉପରେ ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟି ରହିବ ।
ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁÂିତ ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କ୍ରିଷନ୍ କୁମାର, ଏସ୍ପି ଉମାଶଙ୍କର ଦାଶ, ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ, ସିଡିଏମ୍ଓ ଏବଂ ସଦସ୍ୟଙ୍କ ସହ ସମସ୍ତ ନିଯୋଗର ପ୍ରତିନିଧିମାନେ ଯୋଗ ଦେଇଥିଲେ ।
ଶ୍ରୀମନ୍ଦିର ଗହଳିକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ପ୍ରତିକାର ବ୍ୟବସ୍ଥା କରିଛି । ବିଶେଷ କରି ଯାତ୍ରୀ ସମାଗମକୁ ନିୟନ୍ତ୍ରଣ କରିବା ଏବଂ ସେବକଙ୍କ ସୁରକ୍ଷା ଦେବାକୁ ଠୋସ୍ ପଦକ୍ଷେପ ଗ୍ରହଣ କରାଯାଇଛି । ଭିତର ବେଢ଼ାରେ ଗହଳି ନିୟନ୍ତ୍ରଣ, ବ୍ୟାରିକେଡ୍କୁ ବାରମ୍ବାର ସଫା କରିବା, ହାତ ଧୋଇବାକୁ ସଚେତନ କରାଇବା ଦିଗରେ ପ୍ରଶାସନ ଗୁରୁତ୍ୱ ଦେଇଛି ।
ଶ୍ରୀମନ୍ଦିର ଭିତରେ ଗହଳିକୁ ସମ୍ପୂର୍ଣ୍ଣ କମାଇବାକୁ ଆଜି ପଦକ୍ଷେପ ନିଆଯାଇଛି । ଭିତରେ ବେଢ଼ାରେ ବିଭିନ୍ନ ସ୍ଥାନରେ ଦର୍ଶନାର୍ଥୀ ବସି ଗହଳି କରୁଥିଲେ । ଏହାର ପ୍ରତିକାର ପାଇଁ ଆଜି ଭିତରେ ବେଢ଼ା ସାରା ପାଣି ଢ଼ାଳି ଓଦା କରାଯାଉଛି ।
ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ । ଆସନ୍ତା ମାସରେ ପୁଣି ଥରେ ସମୀକ୍ଷା ବୈଠକ ଡାକି ପରିସ୍ଥିତିର ଅନୁଧ୍ୟାନ କରାଯିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି । କରୋନା ନିରାକରଣ ଏବଂ ଜନସଚେତନତା ସୃଷ୍ଟିରେ ସହଯୋଗ କରିବେ ବୋଲି ସେବାୟତମାନେ ପ୍ରତିଶ୍ରୁତି ଦେଇଛନ୍ତି ।
ଶ୍ରୀମନ୍ଦିର ଭିତରେ ରହିଥିବା ପାଣି ଟାଙ୍କିକୁ ନିୟମିତ ସଫା କରାଯିବ । ବଡ଼ଦେଉଳ ଭିତର ଏବଂ ବାହାର ତଥା ଆନନ୍ଦବଜାର, ରୋଷଘର ପରିବେଶକୁ ନିୟମିତ ସଫେଇ କରାଯିବ । ସହରରେ ବି ଅନାବଶ୍ୟକ ଗହଳି ନ କରିବାକୁ ପ୍ରଶାସନ ପରାମର୍ଶ ଦେବା ସହ କରୋନା ନିରାକରଣରେ ସହଯୋଗ କରିବାକୁ ସହରବାସୀଙ୍କୁ ନିବେଦନ କରିଛି ।
ଉଲ୍ଲେଖଯୋଗ୍ୟ ଯେ, ଆଜି ପୁରୀକୁ କୌଣସି ପର୍ଯ୍ୟଟକ ବସ୍ ଗଡ଼ିନାହିଁ । ଏଥିପାଇଁ ଗତକାଲିଠାରୁ କଟକଣା ଲାଗୁ କରାଯାଇଥିଲା । ଏଥିସହ କୋଣାର୍କ, ଚିଲିକା, ସାତପଡ଼ା ଆଦି ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ମଧ୍ୟ ପର୍ଯ୍ୟଟକ ବସ୍ ବୁକିଂ ବାତିଲ କରାଯାଇଛି ।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା କ୍ରମେ ଆସନ୍ତାକାଲି ଠାରୁ କୋଣାର୍କର ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ । ଆଜି ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons