ଧରାକୋଟ, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲା ଧରାକାଟ ବ୍ଲକ୍ କେ.ରାମଚନ୍ଦ୍ରପୁର (କଇଠିରା) ଗ୍ରାମରେ ଅଘଟଣ । ଗାଁରେ ଦୋଳପୂର୍ଣ୍ଣିମା ଯାତ୍ରା ଅବସରରେ ରବିବାର ପୂର୍ବାହ୍ଣ ପ୍ରାୟ ୯ଟାରେ ମହାଭାରତ ନାଟକ ପରିବେଷଣ କରାଯାଉଥିବା ବେଳେ ମଞ୍ଚ ନିକଟରେ ଗଚ୍ଛିତ ରଖାଯାଇଥିବା ବାଣରେ ନିଆଁ ଝୁଲ ପଡ଼ି ବିସ୍ଫୋରଣ ଘଟିଥିଲା । ଫଳରେ ମୋଟ ୮ ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଚାରି ଜଣ ଶିଶୁ, ଦୁଇ ଜଣ ଦର୍ଶକ ଓ ନାଟ୍ୟ ସଂସ୍ଥାର ଦୁଇ କର୍ମଚାରୀ ଅଛନ୍ତି । ଗୁରୁତରମାନେ ହେଲେ ସୁମନ ରେଡ୍ଡି (୭), ଓମ୍ ଗୌଡ଼ (୮), ଚନ୍ଦନ ବିଷୋୟୀ (୮), ରାଜା ଗୌଡ଼ (୧୨)ଙ୍କ ସମେତ ବିଜୟ ଗୌଡ଼ (୪୦, କୁସୁରାବ ଗ୍ରାମ), ବାବୁ ବିଷୋୟୀ (୩୦, ଚାକୁଣ୍ଡା ଗ୍ରାମ), ଅରୁଣ ବିଷୋୟୀ (୧୯, ଚାକୁଣ୍ଡା ଗ୍ରାମ) ଏବଂ ବିଜୟ ରେଡ୍ଡି (୩୦, କଇଠିରା) । ବାବୁ ନାଟ୍ୟ ସଂସ୍ଥାର କର୍ମଚାରୀ ଓ ଅରୁଣ ଜଣେ କଳାକାର ଥିବା ବେଳେ ଅନ୍ୟ ଦୁଇ ଜଣ ଦର୍ଶକ ଅଟନ୍ତି । ଗୁରୁତର ୪ ଶିଶୁଙ୍କ ଘର କଇଠିରା । ଆଉ କିଛି ଦର୍ଶକ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଖବର ମିଳିଛି । ଗୁରୁତରମାନଙ୍କୁ ପ୍ରଥମେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ୪ ଶିଶୁଙ୍କ ସମେତ ଅରୁଣଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।
ଗାଁ ଲୋକଙ୍କ କହିବା ମୁତାବକ ଦୋଳଯାତ୍ରା ଅବସରରେ ପ୍ରତିବର୍ଷ ଗ୍ରାମରେ ପୌରାଣିକ ନାଟକ ମଞ୍ଚସ୍ଥ ହୋଇଆସୁଛି । ଚଳିତ ଥର ମଧ୍ୟ ମହାଭାରତ ନାଟକ (ରକ୍ତରଞ୍ଜିତ କୁରୁକ୍ଷେତ୍ର ବା ଅର୍ଜୁନ ରଥରେ କୃଷ୍ଣ ସାରଥି) ମଞ୍ଚସ୍ଥ ହେଉଥିଲା । ଶନିବାର ସନ୍ଧ୍ୟା ୫ଟାରୁ ନାଟକ ପରିବେଷଣ ଆରମ୍ଭ ହୋଇଥିଲାବେଳେ ରବିବାର ସକାଳେ ଅଭିମନୁ୍ୟ ବଧ ଅଂଶ ମଞ୍ଚସ୍ଥ ହେଉଥିଲା । ଯୁଦ୍ଧ ଦୃଶ୍ୟବେଳେ ବାଣ ଫୁଟାଯାଇ ଲୋକଙ୍କ ମନୋରଞ୍ଜନ କରାଯାଉଥିଲା । ତେବେ ପୂର୍ବାହ୍ଣ ପ୍ରାୟ ୯ଟା ବେଳେ ମଞ୍ଚ ନିକଟରେ ଗଚ୍ଛିତ ବାଣରେ କୌଣସି ପ୍ରକାରେ ନିଆଁ ଝୁଲ ପଡ଼ି ସବୁ ବାଣ ଏକାସାଙ୍ଗରେ ବିସ୍ଫୋରିତ ହୋଇଥିଲା । ନାଟକ ଦେଖିବାକୁ କଇଠିରା ଗ୍ରାମ ସମେତ ଆଖପାଖ ଗାଁରୁ ଲୋକ ଏକାଠି ହୋଇଥିଲେ । ବିସ୍ଫୋରଣରେ ମଞ୍ଚ ପାଖରେ ଥିବା ୪ ଶିଶୁଙ୍କ ସମେତ ୮ ଜଣ ଗୁରୁତର ହୋଇଥିଲେ । ଆସିକା ଡାକ୍ତରଖାନାରେ ଚିକିତ୍ସା ପରେ ୫ ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଓମ୍ ଏବଂ ରାଜାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ । ଧରାକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଥାନାଧିକାରୀ ସହଦେବ ମହାପାତ୍ର, ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଥାନାରେ ପୁଲିସ ନିଜ ଆଡୁ କେସ୍ ନମ୍ବର ୪୦/୨୦୨୦ ରୁଜୁ କରି ତଦନ୍ତ ଚଳାଇଛି । ନାଟକ ସଂସ୍ଥାର ସମ୍ପାଦକକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ପୁଲିସ ।
Comments are closed, but trackbacks and pingbacks are open.