ଧୁମଧାମ୍ରେ ଚାଲିଛି ମାଣିକେଶ୍ୱରୀଙ୍କ ଘଟଯାତ୍ରା

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ୍): ସ୍ଥାନୀୟ ଚନ୍ଦନବାଡରେ ଥିବା ମାଣିକେଶ୍ୱରୀ ମନ୍ଦିରରେ ଧୁମଧାମରେ ଚାଲିଛି ୭ଦିନିଆ ଚଇତି ଘଟଯାତ୍ରା । ଏହା ଆସନ୍ତା ବୁଧବାର ଶେଷ ହେବ । ପ୍ରତିଦିନ ମାଣିକେଶ୍ୱରୀରଙ୍କ ଘଟକୁ ସହର ପରିକ୍ରମା କରାଯାଉଛି । ମନ୍ଦିରରେ ହୋମଯଜ୍ଞ ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ଶେଷ ଦିନରେ ମାନସିକଧାରୀ ଓ ଭକ୍ତମାନେ ନିଆଁରେ ଚାଲିବା ସହ କଣ୍ଟା ଦୋଳିରେ ଝୁଲିବେ । ପୂଜକ ଭୀମ ନାୟକ ଏହି ଯାତ୍ରାର ସମସ୍ତ ଦାୟିତ୍ୱ ନେଇଛନ୍ତି ।
ପୂଜକ ଭୀମ କହିଛନ୍ତି, ପ୍ରଥମେ ତାଙ୍କୁ ମା’ଙ୍କ ସ୍ୱପ୍ନାଦେଶ ହୋଇଥିଲା । ତା ପରେ ଏକ ଛୋଟ କୁଡିଆରେ ମା’ଙ୍କୁ ସ୍ଥାପନା କରି ପୂଜାର୍ଚ୍ଚନା କରୁଥିଲେ । ୨୦୦୦ରୁ ୨୦୦୨ ପର୍ଯ୍ୟନ୍ତ କୁଡିଆରେ ପୂଜା କରିବା ପରେ ଭକ୍ତମାନଙ୍କ ଆର୍ଥିକ ସହାୟତରେ ନୂତନ ମନ୍ଦିର ନିର୍ମାଣ କରିଥିଲେ । ଏହି ମନ୍ଦିରରେ ଏବେ ମା’ଙ୍କୁ ପୂଜା କରାଯାଉଛି । ପ୍ରତିବର୍ଷ ଚଇତ୍ର ମାସରେ ମା’ଙ୍କ ଘଟଯାତ୍ରାର ଆୟୋଜନ କରାଯାଉଛି । ୭ଦିନ ଧରି ଏହି ଯାତ୍ରା ହେଉଛି । ପ୍ରତିଦିନ ମନ୍ଦିରରେ ହୋମଯଜ୍ଞ କରାଯାଉଛି । ସଂଧ୍ୟାରେ ମା’ଙ୍କ ଘଟକୁ ସହର ପରିକ୍ରମା କରାଯାଉଛି । ଏହି ସମୟରେ ୬ ଜଣ ନାବାଳିକା ଓ ୨ ଜଣ ପୁଅ ମା’ଙ୍କ ଚାଙ୍ଗୁଡିକୁ ମୁଣ୍ଡରେ ବୋହି ସହର ପରିକ୍ରମା କରିଥାନ୍ତି । ସାହିର ପ୍ରତ୍ୟେକ ଘର ବୁଲିଥାନ୍ତି ମାଆ । ଭକ୍ତମାନେ ନଡିଆ, କଦଳୀ ଓ ମୁଆଁ ଭୋଗ ଲାଗି କରିଥାନ୍ତି । ବିଳମ୍ବିତ ରାତିରେ ମା’ ମନ୍ଦିରକୁ ଫେରିଥାନ୍ତି । ରାତିରେ ଅନ୍ନଭୋଗ ଲାଗି କରାଯାଇଥାଏ । ଯେଉଁମାନେ ମା’ଙ୍କ ଚାଙ୍ଗୁଡି ଓ ଘଟ ଧରିଥାନ୍ତି, ସେମାନେ ଦିନତମାମ ଉପବାସ କରିଥାନ୍ତି । ରାତିରେ ମା’ଙ୍କ ନିକଟରେ ଲାଗି କରାଯାଇଥିବା ଅନ୍ନ ଭୋଗ ଖାଇ ଉପବାସ ଭାଙ୍ଗିଥାନ୍ତି । ଶେଷ ଦିନରେ ମା’ଙ୍କୁ କେବଳ ଆଖାପାଖ ସାହିରେ ପରିକ୍ରମା କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons