ଦୁର୍ଦ୍ଧାନ୍ତ ମାଓବାଦୀ ସହ ୭ ମିଲିସିଆଙ୍କ ଆତ୍ମସମର୍ପଣ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ମାଲକାନଗିରି ପୁଲିସକୁ ଆଜି ବଡଧରଣର ସଫଳତା ମିଳିଛି । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଏଓବି କ୍ୟାଡର୍ ଦୁର୍ଦ୍ଧାନ୍ତ ମାଓବାଦୀଙ୍କ ସହ ୭ଜଣ ମିଲିସିଆ ଏସପି ରିଶିକେଶ ଡି.ଖିଲାରୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଦୁର୍ଦ୍ଧାନ୍ତ ମାଓବାଦୀଜଣଙ୍କ ହେଲେ ସାମ୍ବା ଖରା ଓରଫ ରଣଦେବ । ତାଙ୍କ ନାଁରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା । ଅନ୍ୟ ଆତ୍ମସମର୍ପଣକାରୀ ମିଲିସିଆମାନେ ହେଲେ ସେମିଳିପଦର ଗାଁର ଭାସ୍କରଯୋଗୀ ଖରା, ତ୍ରିନାଥ ଖିଲ, ରାଧବ ଖିଲ, କାତୁର ହନ୍ତାଳ, ତାରବେଡା ଗାଁର ରଘୁରାମ ହନ୍ତାଳ ଓ ଗୌଡପୁଟ ଗାଁର ନନ୍ଦି ପାଙ୍ଗି । ଆତ୍ମସମର୍ପଣକାରୀ ମାଓବାଦୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିବା ବେଳେ କରୋନା ଭାଇରସ ଯୋଗୁ ସେମାନଙ୍କୁ ମାସ୍କ ପିନ୍ଧାଇ ସଚେତନତାର ବାର୍ତ୍ତା ବଣ୍ଟା ଯାଇଥିଲା । ସରକାରଙ୍କ ଥଇଥାନ ନୀତି ଅନୁଯାୟୀ ସମସ୍ତଙ୍କୁ ସହାୟତା କରାଯିବ ବୋଲି ଏସପି କହିଛନ୍ତି ।
ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଶ୍ରୀ ଖିଲାରୀ ଆତ୍ମସମର୍ପଣକାରୀ ମାଓବାଦୀଙ୍କ ସମ୍ପର୍କରେ ସୂଚନା ଦେଇଥିଲେ । ଦୁର୍ଦ୍ଧାନ୍ତ ମାଓବାଦୀ ସାମ୍ବା ଖରା ଓ ରଣଦେବଙ୍କ ଘର ଚିତ୍ରକୋଣ୍ଡା ତହସିଲ ପାପରମେଟଲା ଥାନା ନିକଟବର୍ତ୍ତୀ ଲୁଚାପାଣି ଗାଁରେ । ୨୦୧୭ ମସିହାରେ ସେ ମାଓସଂଗଠନରେ ଯୋଗଦେଇଥିଲେ । ଅନ୍ଧ୍ର୍ରଓଡିଶା ବୋର୍ଡର ମିଲିଟାରୀ ପ୍ଲାଟୁନ ପେଦାବାଇଲୁ ସ୍ୱାଭିମାନ ଅଞ୍ଚଳରେ ପାର୍ଟି ସଦସ୍ୟ ଭାବେ କାମ କରୁଥିଲେ । ପେଦାବାଇଲୁ ନାନାବାରିଠାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିବା, ୨୦୧୮ରେ କୋରାପୁଟ ଜିଲ୍ଲା ପଟାଙ୍ଗି ଓ ପାପରମେଟଲା ଟିକରପଡାଠାରେ ପୁଲିସ ଉପରକୁ ଗୁଳିଚଳାଇବା, ବୈପାରିଗୁଡା ରାମଗିରିଠାରେ ଲ୍ୟାଣ୍ଡ୍ମାଇନ ବିସ୍ଫୋରଣ କରିବା, ସେହିବର୍ଷ ଜୁନ୍ ୮ରେ ଆନ୍ଧ୍ରର ଦୁନାଗିରିଗୁଡା ଥାନା ଡୁଙ୍ଗୁରିଗୁଡା ଆକୁରଭେଲିଠାରେ ବିଶାଖାପାଟଣା ବିଧାୟକ କେ.ଏସ.ରାଓ, ପୂର୍ବତନ ବିଧାୟକ ସିଭେରୀ ସୋମାଙ୍କୁ ହତ୍ୟାକରିବା, ୨୦୧୯ରେ ଗୋବିନ୍ଦପାଲି ଘଟି ସପ୍ତଧାରା ଡକରିଯୋଡି ଠାରେ ପୁଲିସ ଉପରକୁ ଗୁଳି ଚଳାଇବା, ଗତ ଫେବ୍ରୁୟାରୀ ୧୧ତାରିଖରେ ଚିତ୍ରକୋଣ୍ଡା ଥାନା ତାବେର ଗାଁର ତାଚୁ ମୁଦୁଲି ଓ ଆରତିଙ୍ଗପଡା ଗାଁର ସାଧୁପାଙ୍ଗିଙ୍କୁ ହତ୍ୟା ଘଟଣାରେ ରଣଦେବଙ୍କ ସମ୍ପୃକ୍ତି ରହିଥିଲା । ଫେବ୍ରୁୟାରୀ ୧୫ରେ ପାପରମେଟଲା ଥାନା ବିଦାରପାଖନା ଗାଁ ନିକଟରେ ବିସ୍ଫୋରଣ କରିବା ଘଟଣା ସହିତ ସ୍ୱାଭିମାନ ଅଞ୍ଚଳରେ ବିଭିନ୍ନ ମାଓହିଂସାକାଣ୍ଡରେ ସେ ସାମିଲ ଥିଲେ ବୋଲି ଏସ୍ପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଅନ୍ୟପକ୍ଷେ ଆନ୍ଧ୍ର, ଓଡିଶା ଓ ଛତିଶଗଡ଼ କ୍ୟାଡର୍ଙ୍କ ମଧ୍ୟରେ ଭେଦଭାବ, ଉପରିସ୍ଥ କ୍ୟାଡର୍ଙ୍କ ଜୁଲମ, ଆଦିବାସୀ ଅଞ୍ଚଳରେ ଉନ୍ନୟନକାମକୁ ବନ୍ଦ କରିବା, ପ୍ରଲୋଭନ ଓ ଧମକ ଦେଇ ମହିଳା, ଯୁବତୀ ଓ ସାନପିଲାଙ୍କୁ ସଂଗଠନରେ ମିଶାଉଥିବାରୁ ଏହାକୁ ବିରୋଧ କରି ଦଳ ଛାଡିଥିବା ଆତ୍ମସମର୍ପଣକାରୀ ମାଓବାଦୀମାନେ କହିଛନ୍ତି । ଏଥିସହ ଅବହେଳିତ ବିଚ୍ଛିନ୍ନାଞ୍ଚଳରେ ଉନ୍ନୟନ କାମ ହେଉଥିବାଦେଖି ସେମାନେ ସଂଗଠନ ଛାଡି ସାଧାରଣ ଲୋକଙ୍କ ପରି ବଞ୍ଚିବା ପାଇଁ ଆତ୍ମସମର୍ପଣ କରିଥିବା ପୁଲିସ ନିକଟରେ କହିଛନ୍ତି । ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ଏସପି ଶ୍ରୀ ଖାଲାରୀ ଓ ବିଏସ୍ଏଫ୍ କମାଣ୍ଡେଣ୍ଟ ଏ.କେ. ଆର୍ଯ୍ୟ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ମାଓବାଦୀଙ୍କୁ ମାସ୍କ ପିନ୍ଧାଇ ସଚେତନତାର ବାର୍ତ୍ତା ଦେଇଥିଲେ । ଆତ୍ମସମର୍ପଣକାରୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମାଗଣାରେ ବିଭିନ୍ନ ତାଲିମ ଦିଆଯିବ ବୋଲି ଏସ୍ପି ଶ୍ରୀ ଖିଲାରୀ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons