କେମିତି କଟିଥିଲା ସେଇ ଶେଷ ଅଧ ଘଣ୍ଟା

Get real time updates directly on you device, subscribe now.

ନୂଆଦିଲ୍ଲୀ: ଶେଷରେ ନିର୍ଭୟା ଦୋଷୀଙ୍କୁ ମିଳିଲା ସଜା-ଏ-ମୌତ । ଆଜି ସକାଳେ ନିର୍ଦ୍ଧାରିତ ସମୟରେ ଅର୍ଥାତ୍‌ ସାଢେ ୫ଟା ବେଳେ ୪ ଦୋଷୀ ଫାଶିଖୁଣ୍ଟରେ ଝୁଲିଲେ। ଦୀର୍ଘ ୭ ବର୍ଷ ପରେ ନିର୍ଭୟାକୁ ମିଳିଲା ନ୍ୟାୟ।
ଫାଶିରୁ ବର୍ତ୍ତିବା ପାଇଁ ଅନେକ ଚାଲ ଖେଳିଥିଲେ ଏହି ୪ ଦୋଷୀ ମୁକେଶ, ପବନ, ଅକ୍ଷୟ ଓ ବିନୟ। ଏପରିକି ଶେଷ ମୁହୂର୍ତ୍ତରେ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଫାଶି ତାରିଖ ଘୁଞ୍ଚାଇବା ପାଇଁ ଆବେଦନ କରିଥିଲେ। ହେଲେ କିଛି ଫଳ ମିଳି ନ ଥିଲା। ରାତି ୪ଟାରୁ ଫାଶି ଦେବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଫାଶି ପୂର୍ବରୁ ପ୍ରାୟ ଅଧ ଘଣ୍ଟା ଥିଲା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଏହା ପୂର୍ବରୁ ଦୋଷୀ ପବନ ନିଜକୁ ବଞ୍ଚାଇବା ପାଇଁ ଖୁବ୍‌ ପ୍ରୟାସ କରିଥିଲା। ବହୁତ କାନ୍ଦିଥିଲା, ଫାଶି ଘରେ ଶୋଇ ରହିଲା।
୪ ଦୋଷୀଙ୍କୁ ରାତି ପ୍ରାୟ ୩ଟା ୧୫ ମିନିଟ୍‌ରେ ଉଠାଯାଇଥିଲା। ୪ ଜଣ ଯାକ ରାତି ସାରା ଶୋଇ ନ ଥିଲେ। ଜରୁରୀ ପ୍ରକ୍ରିୟା ପୂରଣ କରିବା ପରେ ସେମାନଙ୍କୁ ଗାଧୋଇବା ପାଇଁ କୁହାଯାଇଥିଲା। ତା’ପରେ ସେମାନଙ୍କ ପାଇଁ ଚା’ ମଗାଯାଇଥିଲା। ହେଲେ କେହି ବି ଚା’ ପିଇ ନ ଥିଲେ। ପରେ ଶେଷ ଇଚ୍ଛା ପଚରା ଯାଇଥିଲା। ତା’ ପରେ ୪ ଜଣଙ୍କୁ ସେଲ ବାହାରକୁ ନିଆଯାଇଥିଲା। ଚାରି ଜଣଙ୍କୁ କଳା କୁର୍ତ୍ତା, ପାଇଜାମା ପିନ୍ଧାଇ ଦିଆଯାଇଥିଲା। ଚାରି ଜଣଙ୍କ ହାତ ପଛରେ ବାନ୍ଧି ଦିଆଯାଇଥିଲା। ଏହି ସମୟରେ ଦୁଇଜଣ ଦୋଷୀ ହାତ ବାନ୍ଧିବାକୁ ମାନ କରିଥିଲେ। ହେଲେ ସେମାନଙ୍କ କଥା ଶୁଣା ଯାଇ ନ ଥିଲା।
ଫାଶି ପୂର୍ବରୁ ବିନୟ ଖୁବ୍‌ କାନ୍ଦିଲା। ଏପରିକି ପୋଷାକ ବଦଳାଇବା ପାଇଁ ମନା କରିଥିଲା।ଏହା ପରେ ଖୁବ୍‌ କାନ୍ଦିଥିଲା ଏବଂ ନିଜ କୃତ କର୍ମ ପାଇଁ କ୍ଷମା ମାଗିଥିଲା। ଶେଷ ମୁହୂର୍ତ୍ତରେ ଯେତେବେଳେ ଦୋଷୀଙ୍କୁ ନିଆଯାଉଥିଲା ଜଣେ ଦୋଷୀ ଖୁବ୍‌ ଡରି ଯାଇଥିଲା। ଫାଶି ଘରେ ସେ ଶୋଇ ପଡ଼ିଲା। ଆଗକୁ ଯିବାକୁ ମାନ କରିଥିଲା। ଅନେକ ଚେଷ୍ଟା କରିବା ପରେ ତାକୁ ଆଗକୁ ନିଆଯାଇଥିଲା।
୪ ଜଣଙ୍କୁ ସେଲରୁ ବାହାରକୁ ଅଣାଯିବା ପରେ ଫାଶି ଘରର ଠିକ୍‌ ପୂର୍ବରୁ ସେମାନଙ୍କ ମୁହଁରେ କଳା କପଡା ବାନ୍ଧି ଦିଆଗଲା। ଶେଷରେ ଫାଶି ଖୁଣ୍ଟରେ ଝୁଲାଇ ଦିଆଗଲା। ଫାଶି ଦିଆଯିବାର ଠିକ୍‌ ଅଧଘଣ୍ଟାଏ ପରେ ୪ ଦୋଷୀଙ୍କୁ ମୃତ ଘୋଷଣା କରାଗଲା।
ଫାଶି ପରେ ତିହାର ଜେଲ୍‌ ବାହାରେ ଯେପରି ଖୁସିର ମାହୋଲ ଦେଖିବାକୁ ମିଳିଥିଲା। ଫାଶି ସମୟରେ ଜେଲ ବାହାରେ ଲୋକ ଭିଡ଼ ଦେଖିବାକୁ ମିଳିଥିଲା। ସମସ୍ତେ ଫାଶିକୁ ଅପେକ୍ଷା କରିଥିଲେ। ଫାଶି ପରେ ଲୋକେ ମିଠା ବାଣ୍ଟିଥିଲେ। ଏପରିକି ଦିଲ୍ଲୀ ପୋଲିସ ମଧ୍ୟ ମିଠା ବାଣ୍ଟିଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons