ପୁରୀ,(ବି.ବି.ନୁ୍ୟଜ୍): କରୋନା ସଂକ୍ରମଣ ନିରାକରଣ ପାଇଁ ପ୍ରଶାସନ ଜାରି କରିଛି ଏକାଧିକ କଟକଣା । ଏହାର ପ୍ରଭାବ ଶୁକ୍ରବାର ଦିନ ସହରରେ ଦେଖିବାକୁ ମିଳିଛି । ପୁରୀକୁ ଆସି ପାରିବ ନାହିଁ ବାହାର ଭକ୍ତଙ୍କ ଯାନବାହନ । ତୀର୍ଥଯାତ୍ରୀ, ଟୁରିଷ୍ଟଙ୍କ ଯାନବାହନ ପୁରୀ ପ୍ରବେଶ ମନା । ଦର୍ଶନାର୍ଥୀଙ୍କ ଶ୍ରୀମନ୍ଦିର ପ୍ରବେଶକୁ ଆଜିଠାରୁ ବାରଣ କରାଯାଇଛି । ଏହା ସହ ଯୋଡି ହୋଇଯାଇଛି ଭକ୍ତଙ୍କ ଧର୍ମ ଭାବନା । ଲୋକ କହୁଛନ୍ତି ଜଗାର ଡୋରି ଛିଣ୍ଡି ଯାଇଛି ।
ଶ୍ରୀମନ୍ଦିରକୁ ଦର୍ଶନାର୍ଥୀଙ୍କ ପ୍ରବେଶ ମନାର ପ୍ରଥମ ଦିନରେ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ଭିତରେ ଦିନତମାମା ସମ୍ପୂର୍ଣ୍ଣ ଫାଙ୍କା ରହିଥିଲା । କେବଳ ମନ୍ଦିର କର୍ମଚାରୀ, ସୁରକ୍ଷା କର୍ମୀ, ସେବାୟତମାନେ ଶ୍ରୀମନ୍ଦିର ପ୍ରବେଶ କରିଛନ୍ତି । ତିନି ଦଫାରେ ଆଠ ଘଣ୍ଟିଆ ଡୁ୍ୟଟି କରିଛନ୍ତି ୨୭୦ କର୍ମଚାରୀ । ଏଥିରେ ରହିଛନ୍ତି ଶ୍ରୀମନ୍ଦିର ଶାଖା ମନ୍ଦିର ଭିତର ଅଫିସ କର୍ମଚାରୀ, ଜେଟିପି, ଜେଟିପିଏସ ଆଦି କର୍ମଚାରୀ । ସେହିଭଳି ୭୧ ଜଣ ସେବକ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବାପୂଜାରେ ନିୟୋଜିତ ହୋଇଛନ୍ତି । ଦର୍ଶନ ବନ୍ଦ ଯୋଗୁ ଶ୍ରୀମନ୍ଦିର ସେବାୟତଙ୍କୁ କ୍ଷତିପୂରଣ ଦେବାକୁ ଛତିଶା ନିଯୋଗ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଛି ।
ତାବ୍ୟତୀତ ରୋଷଘର ସେବା, ଶ୍ରୀମନ୍ଦିର ମାଳି, ବୋଝିଆ, ଯୋଗାଣିଆ ଆଦି ସେବାରେ ନିୟୋଜିତ ଲେକମାନେ ଶ୍ରୀମନ୍ଦିର ପ୍ରବେଶ କରିଛନ୍ତି । ଏହା ବ୍ୟତିତ ଛତିଶା ନିଯୋଗର ନିବେଦନ କ୍ରମେ ଶ୍ରୀମନ୍ଦିର ମଙ୍ଗଳ ଆଳତି ଏବଂ ସନ୍ଧ୍ୟା ଆଳତି ଦର୍ଶନ କରିବାକୁ ସେବାୟତ ପରିବାରର କିଛି ମହିଳାଙ୍କୁ ଶୁକ୍ରବାର ଦିନ ଦେଉଳ ଭିତରକୁ ଛଡା ଯାଇଛି । ସେହଭଳି ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ପୁଲିସ ଯବାନମାନେ ପ୍ରହରୀ ଦେଉଛନ୍ତି । ଶ୍ରୀମନ୍ଦିର ଭିତରେ ସାମାଜିକ ଦୂରତାକୁ କଡାକଡି ଭାବେ ପାଳନ କରାଯାଇଛି ।
ଆନନ୍ଦବଜାର ସମ୍ପୂର୍ଣ୍ଣ ଫାଙ୍କା ଦେଖା ଯାଉଛି । ମହାପ୍ରଭୁଙ୍କ ମହାପ୍ରସାଦ ବାହାରିଛି କିନ୍ତୁ ତାହା କେବଳ ଧୂପ ଏବଂ ବରାଦି ଭୋଗ । ଦର୍ଶନାର୍ଥୀଙ୍କ ସମାଗମକୁ ଦେଖି ଶ୍ରୀମନ୍ଦିରରେ ବିକ୍ରି ଭୋଗ ପ୍ରସ୍ତୁତ ହୋଇଥାଏ । ଦେଉଳରେ ଦର୍ଶନାର୍ଥୀ ନଥିବାରୁ ବିକ୍ରି ଭୋଗକୁ ବନ୍ଦ କରି ଦେଇଛି ସୁପକାର ନିଯୋଗ । ମହାପ୍ରସାଦ ପାଇଁ ବରାଦି ଆସିଲେ ସୁଆର ମହାସୁଆର ନିଯୋଗ ଯୋଗାଇବ ବୋଲି ସୂଚନା ମିଳିଛି । ସେହିଭଳି କେବଳ ମହାପ୍ରଭୁଙ୍କ ନିମନ୍ତେ ଶୁଖିଲା ଭୋଗ ଦେଉଳ ଭିତରେ ପ୍ରସ୍ତୁତ ହୋଇଛି ।
ପୁରୀକୁ ଯାନବାହନ ପ୍ରବେଶ ଏବଂ ଶ୍ରୀମନ୍ଦିରରେ ଦର୍ଶନାର୍ଥୀଙ୍କ ପ୍ରବେଶ ଉପରେ କଟକଣା ପରିବହନ ଶିଳ୍ପ ଏବଂ ହୋଟେଲ ଶିଳ୍ପକୁ ଠପ୍ କରି ଦେଇଛି । ଟାଉନ ବସ ଠାରୁ ଆରମ୍ଭ କରି ଆଟୋ, ଟୁରିଷ୍ଟ କାର, ଟୁରିଷ୍ଟ ବସ ସେବା ବନ୍ଦ ହୋଇ ଯାଇଛି । ଏହା ଦ୍ୱାରା ଯାତ୍ରୀ ବେପାରରେ ମାନ୍ଦାବସ୍ଥା ଲାଗି ରହିଛି । ଉଠାଦୋକାନୀ ତଥା ଛେଟ ବେପାରୀ ଉପାର୍ଜନ ମଧ୍ୟ ହ୍ରାସ ପାଇଛି ।
ସେହିଭଳି ହୋଟେଲ ଶିଳ୍ପକୁ ଫୋନି ପରେ ବଡ ଧକ୍କା ଲାଗିଛି କରୋନା ସଂକ୍ରମଣ ନିରାକରଣର ପ୍ରଭାବ । ଦୁଇ ଶହ ବଡ ହୋଟେଲ ବ୍ୟତୀତ ଆଉ ସାତ ଶହ ଛୋଟ ଛୋଟ ହୋଟେଲ, ଲଜ, ଟୁରିଷ୍ଟ ହୋମ, ଧର୍ମଶାଳା, ମଠ ଭକ୍ତ ନିବାସ ଆଦି ଖାଲି ହୋଇଯାଇଛି । ସହର ଖାଁ ଖାଁ ଲାଗୁଛି ।


Comments are closed, but trackbacks and pingbacks are open.