କରୋନା ମୁକାବିଲା ପାଇଁ ଓଡ଼ିଶା ଏକଜୁଟ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଗରୁ ଏଭଳି କେବେ ଦେଖିବାକୁ ମିଳିନଥିଲା । କିନ୍ତୁ ଆଜି ସମ୍ପୂର୍ଣ୍ଣ ଓଡ଼ିଶା ସ୍ୱତଃପ୍ରବୃତ୍ତ ଠପ୍ ହୋଇଗଲା । ସକାଳୁ ରାତି । ତାଟି କବାଟ ପଡ଼ିଥିଲା । ଲୋକେ ଘରୁ ବାହାରିନଥିଲେ । ସବୁଠି ରାଜୁତି କରୁଥିଲା ନିରବତା । କରୋନା ମୁକାବିଲା ଯୁଦ୍ଧରେ ଓଡ଼ିଶାବାସୀ ସିପାହୀ ସାଜି ପ୍ରଧାନମନ୍ତ୍ରୀଙ୍କ ‘ଜନତା କର୍ଫୁ୍ୟ’କୁ ଆହ୍ୱାନକୁ ସଫଳ କରିଥିଲେ ।
ରାଜଧାନୀରୁ ରାଉରକେଲା । ବାରିପଦାରୁ ବ୍ରହ୍ମପୁର । ପ୍ରମୁଖ ରାସ୍ତାରେ ପ୍ରତିଦିନ ମୋଟର ଗାଡ଼ିର ରେସ୍ ଲାଗୁଥିଲା । ଆଜି ସେହି ବ୍ୟସ୍ତବହୁଳ ରାସ୍ତା ଥିଲା ଶୂନଶାନ୍ । ଖାଲି ସହର ନୁହେଁ, ସହରୀ ଜୀବନଠୁ ବେଶ୍ ଦୂରରେ ଆତଯାତ ହେଉଥିବା ଗାଁ ଲୋକେ ବି ଜନତା କର୍ଫୁ୍ୟରେ ଘରୁ ବାହାରିନଥିଲେ । ସରକାରୀ ଓ ବେସରକାରୀ ପ୍ରତିÂାନ ସବୁ ବନ୍ଦ ରହିଥିଲା ।
ବସ୍ ଓ ରେଳ ଚଳାଚଳ ସହ ଟ୍ରକ୍, ଅଟୋ ଓ ବାଇକ୍ ବି ଗଡୁନଥିଲା । ଦୋକାନ ଓ ବଜାରରେ ତାଲା ପଡ଼ିଥିଲା । ଜରୁରୀକାଳୀନ ସେବା ଭାବେ ଔଷଧ ଦୋକାନ, ପେଟ୍ରୋଲ ପମ୍ପ ଖୋଲା ଥିଲା । କିନ୍ତୁ ସେଠାରେ ବି ଜଣେ ଲୋକ ଦେଖିବାକୁ ମିଳୁନଥିଲା । ସକାଳୁ ଅଳ୍ପ କିଛି ମାଛ ଓ ମାଂସ ଦୋକାନ ଖୋଲା ଥିଲା । ଗ୍ରୋସରୀ ଦୋକାନ କଟକଣାମୁକ୍ତ ରହିବ, ଖୋଲି ପାରିବ ବୋଲି ସରକାର କହିଥିଲେ । କିନ୍ତୁ କାଁ ଭାଁ କେଉଁଠି ଖୋଲା ଥିଲା ।
ଜନତା କର୍ଫୁ୍ୟକୁ ତଦାରଖ ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ନିୟୋଜିତ ହୋଇଥିଲେ । ରାସ୍ତାରେ ଯାଉଥିବା ଲୋକଙ୍କୁ ବାହାରକୁ ଯିବାର କାରଣ ପଚାରି ଛାଡ଼ି ଦେଉଥିଲେ । ଜରୁରି ନଥିଲେ ବାହାରକୁ ନ ଆସିବାକୁ ପରାମର୍ଶ ଦେଉଥିଲେ । ତେବେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳାର ଭିତରେ ଜନତା କର୍ଫୁ୍ୟ ପାଳନ ହୋଇଥିଲା । କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଉପୁଜି ନଥିଲା ।
କୌଣସି ବଡ଼ ବନ୍ଦ ଡାକରା କି ଧର୍ମଘଟ ବେଳେ ବନ୍ଦ ପାଇଁ ରାଜନୈତିକ ଦଳ ନାକେଦମ୍ ହୁଅନ୍ତି । ପିକେଟିଂ କରନ୍ତି । ବଳପ୍ରୟୋଗ କରି ଲୋକଙ୍କୁ ଅଟକାନ୍ତି । ତଥାପି ଲୋକଙ୍କ ଯାତାୟତକୁ ରୋକି ହୁଏନି । ଗାଁ ଗହଳିରେ କୌଣସି ବନ୍ଦ ଡାକରାର ସାମାନ୍ୟତମ ପ୍ରଭାବ ପଡେନି । କିନ୍ତୁ ଆଜିର ଜନତା କର୍ଫୁ୍ୟ ବିରଳ ଥିଲା । ଲୋକେ ସ୍ୱତଃପ୍ରବୃତ୍ତ ଭାବେ ଏଥିରେ ସାମିଲ ହୋଇଥିଲେ ।
ରାଜଧାନୀଠାରୁ ଶହେରୁ ଅଧିକ କିଲୋମିଟର ଦୂରରେ ଥିବା ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ୍ ଶୀତଳବସା ଗାଁରେ ଲୋକେ ଘରୁ ବାହାରିନଥିଲେ । ଗାଁରେ ତାଟିକବାଟ ପଡ଼ିଥିଲା । କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ସହର ଜନଶୂନ୍ୟ ହୋଇ ଯାଇଥିଲା । ଜୟପୁର, ସୁନାବେଡ଼ା, କୋଟପାଡ଼ ସହ ଅନ୍ୟ ଅଞ୍ଚଳ ସବୁ କିଛି ଠପ୍ ହୋଇ ଯାଇଥିଲା ।
ଜନତା କର୍ଫୁ୍ୟ ପାଇଁ କଟକ ଅଟକି ଯାଇଥିଲା । କେବଳ କଟକ ସହର ନୁହେଁ ଗାଁ ଗଣ୍ଡାରେ ଲୋକେ ବାହାରକୁ ବାହାରିନଥିଲେ । ବାଲେଶ୍ୱର ଜିଲ୍ଲାର ବ୍ୟସ୍ତବହୁଳ ଫକୀରମୋହନ ଗୋଲେଇ ଛକ, ମୋତିଗଞ୍ଜ ଛକ, ଆଇଟିଆଇ ଓ ବସ୍ଷ୍ଟାଣ୍ଡ ଶୂନଶାନ୍ ଥିଲା । ଭଦ୍ରକ ଜିଲ୍ଲା ନୂଆବଜାର ଓ ବାଇପାସ୍ ଛକ ସକାଳୁ ସନ୍ଧ୍ୟା ଜନଶୂନ୍ୟ ହୋଇ ଯାଇଥିଲା । ସୁନ୍ଦରଗଡ଼ ଜିଲ୍ଲା ମେଡିକାଲ ଛକ ଓ ବସ୍ଷ୍ଟାଣ୍ଡ ଛକ ସମେତ ଅନ୍ୟ ସ୍ଥାନରେ ବି ଜନତା କର୍ଫୁ୍ୟର ପ୍ରଭାବ ଦେଖିବାକୁ ମିଳିଥିଲା । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ସମେତ ଛତ୍ରପୁର, ଦିଗପହଣ୍ଡି ଅଞ୍ଚଳରେ ଲୋକେ ବାହାରକୁ ବାହାରି ନଥିଲେ ।
ଜଗନ୍ନାଥଧାମ ପୁରୀର ଆଜିର ଚିତ୍ର ଆଗରୁ ଏଭଳି କେବେ ଦେଖା ଯାଇନଥିଲା । ମନ୍ଦିର ଆଖପାଖ ଅଞ୍ଚଳ, ବେଳାଭୂମି ଓ ଅନ୍ୟ ଅଞ୍ଚଳରେ ନିରବତା ଖେଳିଥିଲା । ମୟୂରଭଞ୍ଜ ଜିଲ୍ଲାର ବାରିପଦା, ଉଦଳା, କରଞ୍ଜିଆ ଓ ରାଇରଙ୍ଗପୁର ଭଳି ୪ଟି ସବ୍ଡିଭିଜନରେ ଜନତା କର୍ଫୁ୍ୟକୁ ସମର୍ଥନ ଜଣାଇ ଲୋକେ ଘରୁ ବାହାରିନଥିଲେ ।
ଅପରାହ୍ନ ୫ଟାରେ ଲୋକେ ନିଜ ବାଲ୍କୋନୀ, ଛାତ ଉପର ଓ ଫାଟକ ପାଖକୁ ଆସଥିଲେ । କରୋନା ମୁକାବିଲାରେ ସାମିଲ ସମସ୍ତ ଡାକ୍ତର, ଡାକ୍ତରୀ କର୍ମଚାରୀ, ପୁଲିସ୍, ସାମ୍ବାଦିକ, ଗଣମାଧ୍ୟମ କର୍ମଚାରୀ, ସଫେଇବାଲା ଓ ସମସ୍ତ ଜରୁରୀକାଳୀନ ସେବା ପ୍ରଦାନକାରୀଙ୍କ ଉଦେ୍ଧଶ୍ୟରେ ତାଳି, ଥାଳି ବଜାଇଥିଲେ । ଘଣ୍ଟି ବି ବାଡେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons