ଭାରତ ହାରିଲା: ଇଂଲଣ୍ଡ ୩୧ ରନ୍ରେ ଜିତିଲା

Get real time updates directly on you device, subscribe now.

ବର୍ମିଂହାମ: ବିଶ୍ୱକପ୍ରେ ଭାରତର ଅପରାଜେୟ ଧାରା ଭଙ୍ଗ ହୋଇଛି । ଘରୋଇ ଇଂଲଣ୍ଡ ଉଭୟ ବ୍ୟାଟିଂ ଓ ବୋଲିଂରେ ଉନ୍ନତ ପ୍ରଦର୍ଶନ ସହ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ଭାରତକୁ ୩୧ ରନ୍ରେ ହରାଇ ଦଳ ସେମି ଫାଇନାଲ୍ ଖେଳିବାର ଆଶା ବଳବତ୍ତର ରଖିଛି । ଇଂଲଣ୍ଡ ବିଜୟୀ ହେବା ନେଇ ଭାରତୀୟ ପ୍ରଶଂସକ ଯେତିକି ଦୁଃଖି ନୁହଁନ୍ତି, ତାଠୁ ଅଧିକ ମର୍ମାହତ ହୋଇଛି ପାକିସ୍ତାନ । କାରଣ ଭାରତ ମ୍ୟାଚ୍ ବିଜୟୀ ହୋଇଥିଲେ ପାକିସ୍ତାନର ସେମି ଫାଇନାଲ ଖେଳିବା ଏକ ପ୍ରକାର ସ୍ପଷ୍ଟ ହୋଇପାରିଥାନ୍ତା । ଯାହା ଦଳର ଚିନ୍ତା ବଢ଼ାଇ ଦେଇଛି । ଆଗାମୀ ଇଂଲଣ୍ଡ-ନ୍ୟୁଜିଲାଣ୍ଡ (ଜୁଲାଇ ୩) ମ୍ୟାଚରେ ହିଁ ପାକିସ୍ତାନର ଭାଗ୍ୟ ନିର୍ଦ୍ଧାରଣ ହେବ ।
ଆଜି ପ୍ରଥମେ ବ୍ୟାଟିଂ କରି ଘରୋଇ ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୩୩୭ ରନ୍ କରିଥିଲା । ଜବାବରେ ଭାରତ ୫ ୱିକେଟ୍ ହରାଇ ୩୦୬ ରନ୍ କରିଥିଲା । ଶତକୀୟ ଇନିଂସ ଖେଳିଥିବା ଜନି ବେୟାରଷ୍ଟୋ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ପରାଜିତ ହୋଇଥିଲେ ବି ଏବେବି ଭାରତ ସେମି ଫାଇନାଲ୍ ଦୌଡ଼ରେ ରହିଛି । କାରଣ ଦଳ ଆହୁରି ୨ଟି ମ୍ୟାଚ୍ ଖେଳିବ । ତାହା ପୁଣି ନିଜଠୁ ଅପେକ୍ଷାକୃତ ଦୁର୍ବଳ ଦଳ ବିପକ୍ଷରେ । ସେମିରେ ପ୍ରବେଶ କରିବା ପାଇଁ ଦଳ ଆଉ ଗୋଟିଏ ପଏଣ୍ଟ ଆବଶ୍ୟକ କରୁଛି ।
୩୩୮ ରନ୍ର ବିଜୟ ଲକ୍ଷ୍ୟ ନେଇ ଆରମ୍ଭରୁ ଭାରତ ବିପର୍ଯ୍ୟୟର ଶିକାର ହୋଇଥିଲା । ଓପନର ଲୋକେଶ ରାହୁଲ ଖାତା ଖୋଲି ନପାରି ଆଉଟ ହୋଇଥିଲେ । ପରେ ଟିମ୍ ଇଣ୍ଡିଆ ଘୋର ଚାପର ବଶବର୍ତ୍ତୀ ହୋଇଥିଲା । ଓପନର ରୋହିତ ଶର୍ମା ଓ ଅଧିନାୟକ ବିରାଟ କୋହଲି ଘରୋଇ ବୋଲରଙ୍କ ସାମ୍ନାରେ ସଂଘର୍ଷ କରିଥିଲେ । ତଥାପି ଏହି ଯୋଡ଼ି ଦଳୀୟ ସ୍ଥିତି ଗଢ଼ିବାରେ ସଫଳ ହୋଇଥିଲେ । ଦୁହିଁଙ୍କ ମଧ୍ୟରେ ଏକ ଭଲ ଭାଗିଦାରୀ ଗଢ଼ି ଉଠିଥିଲା । ମାତ୍ର କୋହଲି ଅଧିକ ସମୟ ରହିପାରି ନଥିଲେ । ସେ ୬୬ ରନ୍ କରି ଫେରିଥିଲେ । ପରେ ରୋହିତଙ୍କ ଉପରେ ଦଳର ଦାୟିତ୍ୱ ନ୍ୟସ୍ତ ହୋଇଥିଲା । ୪ ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରିଷଭ ପନ୍ତ କିନ୍ତୁ ଆରମ୍ଭରୁ ଆସି ବାରମ୍ବାର ତ୍ରୁଟି କରି ଆଉଟ୍ ହେବାରୁ ରକ୍ଷା ପାଇଥିଲେ । ରୋହିତ ଆକ୍ରମଣାତ୍ମକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ୧୦୬ଟି ବଲରୁ ଶତକ ପୂରଣ କରିବା ପରେ ସେ ବଡ଼ ଇନିଂସ ଖେଳିବେ ବୋଲି ଆଶା କରାଯାଉଥିଲା । ମାତ୍ର ସେ ଏକ ବଡ଼ ସଟ୍ ଖେଳିବାକୁ ଯାଇ ବିଫଳ ହୋଇଥିଲେ । ୧୦୯ ବଲ୍ ଖେଳି ରୋହିତ ୧୫ଟି ଚୌକା ସହାୟତାରେ ୧୦୨ ରନ୍ କରି ଆଉଟ୍ ହୋଇଥିଲେ ।
ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ଯୋଡ଼ି ଜମୁଥିବାବେଳେ ପନ୍ତ (୩୨) ଏକ ଖରାପ ସଟ୍ ଖେଳି କ୍ୟାଚ୍ ଆଉଟ୍ ହୋଇଥିଲେ । ପାଣ୍ଡ୍ୟା ଓ ମହେନ୍ଦ୍ର ସିଂ ଧୋନିଙ୍କ ଯୋଡ଼ିଙ୍କୁ ନେଇ ଦଳର ବିଜୟ ଆଶା ଉଜ୍ଜୀବିତ ହୋଇଥିଲା । ମାତ୍ର ପାଣ୍ଡ୍ୟା (୪୫) ଦଳକୁ ନିରାଶ କରିଥିଲେ । ପରବର୍ତ୍ତୀ ସମୟରେ ଧୋନି ଓ କେଦାର ଯାଦବ ଯୋଡ଼ି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ବି ଦଳକୁ ଜିତାଇ ପାରି ନଥିଲେ । ଧୋନି ୪୨ ଓ କେଦାର ୧୨ ରନ୍ କରି ଅପରାଜିତ ରହିଥିଲେ । ଲିଆମ ପ୍ଲଙ୍କେଟ୍ ୩ଟି ୱିକେଟ୍ ହାସଲ କରିଥିଲେ ।
ଘରୋଇ ଦଳ ଟସ୍ ଜିତିବା ପରେ ଓପନର ଜାସନ ରୟ ଓ ଜନି ବେୟାରଷ୍ଟୋ ଆଜି ଦମ୍ଦାର ଆରମ୍ଭ କରିଥିଲେ । ଭାରତୀୟ ବୋଲରଙ୍କ ଦୀଶାହୀନ ବୋଲିଂର ଫାଇଦା ଉଠାଇଥିଲେ ଦୁଇ ଘରୋଇ ତାରକା । ପ୍ରତ୍ୟେକ ବୋଲରଙ୍କୁ ନିର୍ଧୂମ ପ୍ରହାର କରିବା ସହ ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ବେୟାରଷ୍ଟୋଙ୍କ ବ୍ୟାଟିଂ ଅତି ଆକର୍ଷଣୀୟ ଥିଲା । ତାଙ୍କ ବ୍ୟାଟରୁ ଛକା, ଚୌକାର ବର୍ଷା ହୋଇଥିଲା । ସେ ୫୬ ବଲ୍ରୁ ୫୦ ରନ୍ ପୂରଣ କରିଥିଲେ । ସେମିତି ରୟ ମଧ୍ୟ ପଛରେ ପଡ଼ିନଥିଲେ । ସେ ୪୧ ବଲ୍ ଖେଳି ଅର୍ଦ୍ଧଶତକ ପୂରା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons