ନୂଆଦିଲ୍ଲୀ: କରୋନା ଭୂତାଣୁ ବିରୋଧରେ ଆଜି ଦେଶବାସୀ ଏକାଠି ହୋଇଛନ୍ତି । କେଉଁଠି ଏକତି୍ରତ ହୋଇ ନୁହେଁ, ବରଂ ଘରେ ରହି କରୋନା ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦିଆଯାଇଥିବା ‘ଜନତା କର୍ଫୁ୍ୟ’ ଆହ୍ୱାନକୁ ସମର୍ଥନ ଜଣାଇ ଦେଶବାସୀ ଏହି ପଦକ୍ଷେପ ନେଇଛନ୍ତି । ସବୁଠି ବଜାର ଏବଂ ରାସ୍ତାଘାଟ ଶୂନ୍ଶାନ ହୋଇପଡ଼ିଛି । ଏହାଛଡ଼ା କରୋନା ସହ ଲଢ଼ିବା ପାଇଁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ଲୋକଙ୍କ ମନୋବଳ ବଢ଼ାଇବା ଲାଗି ଦେଶବାସୀ ଭିନ୍ନ ଢଙ୍ଗରେ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ତାଳି, ଘଣ୍ଟି, ଶଙ୍ଖନାଦ ଦ୍ୱାରା ସେମାନଙ୍କୁ ପ୍ରଶଂସା କରିଛନ୍ତି ।
ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ ଓ କୋଲକାତା ଆଦି ମେଟ୍ରୋ ସହରରେ ଜନତା କର୍ଫୁ୍ୟର ପ୍ରଭାବ ଦେଖିବାକୁ ମିଳିଛି । ରାସ୍ତାଘାଟରେ ଜଣେ ହେଲେ ଗାଡ଼ି କିମ୍ବା ଲୋକଙ୍କୁ ଦେଖିବାକୁ ମିଳିନାହିଁ । ମେଟ୍ରୋ ସହର ବ୍ୟତୀତ ଅନ୍ୟ ରାଜ୍ୟଗୁଡ଼ିକର ସହରରେ ମଧ୍ୟ ଜନତା କର୍ଫୁ୍ୟକୁ ସମର୍ଥନ ଜଣାଇ ଲୋକମାନେ ନିଜକୁ ପାରୁପର୍ଯ୍ୟନ୍ତ ଘରେ ରଖିବାକୁ ଉଚିତ ମଣିଛନ୍ତି ।
କରୋନା ଭୂତାଣୁକୁ ହରାଇବା ପାଇଁ କୌଣସି ଔଷଧ କିମ୍ବା ପ୍ରତିଷେଧକ ଟିକା ବାହାରି ନାହିଁ । ତେଣୁ ଏହାକୁ ହରାଇବାକୁ ହେଲେ ଲୋକମାନେ ନିଜକୁ ସୁରକ୍ଷିତ ଭାବେ ଘର ମଧ୍ୟରେ ଆବଦ୍ଧ ରଖିବା ଆବଶ୍ୟକ ବୋଲି ମୋଦି କହିଥିଲେ । ଏଥିପାଇଁ ଦେଶବାସୀଙ୍କୁ ଜନତା କର୍ଫୁ୍ୟ ପାଳନ ଲାଗି ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ଦେଶବାସୀ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ।
ଜରୁରି ସେବାରେ ବ୍ରତୀ ଥିବା ଲୋକମାନଙ୍କୁ କୃତଜ୍ଞତା ଜଣାଇବା ପାଇଁ ରବିବାର ଅପରାହ୍ନ ୫ଟାରେ ଲୋକମାନେ ତାଳି ଓ ଘଣ୍ଟି ବଜାଇଛନ୍ତି । ଘରର ବାଲକୋନି, ଫାଟକ ସାମ୍ନା ଏବଂ ଛାତ ଉପରକୁ ଚାଲିଆସି ଲୋକମାନେ ବେଶ୍ କିଛି କ୍ଷଣ ତାଳି ମାରି, ଥାଳି ଓ ତାଟିଆରେ ଶବ୍ଦ କରିଛନ୍ତି । ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏଥିପାଇଁ ବ୍ୟଗ୍ର ହୋଇପଡ଼ିଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ମୋଦି ଏଥିପାଇଁ ଆହ୍ୱାନ ଦେଇଥିଲେ ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା, ବରିÂ ବିଜେପି ନେତା ଲାଲକୃଷ୍ଣ ଆଡଭାନି, ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେ଼କରଙ୍କ ଭଳି ଅନେକ ନେତା ନିଜ ବାସଭବନରେ ଥାଳି ବାଡେ଼ଇ ଓ ଶଙ୍ଖ ବଜାଇଛନ୍ତି । ଅଭିନେତା ଅମିତାଭ ବଚ୍ଚନଙ୍କ ସହିତ ଅନେକ ଅଭିନେତା ମଧ୍ୟ ଥାଳି ବାଡେ଼ଇଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନ୍ ମଧ୍ୟ ଥାଳି ବାଡ଼ଉଥିବାର ଚିତ୍ର ସାମ୍ନାକୁ ଆସିଛି ।
ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । କହିଛନ୍ତି, ଦେଶବାସୀଙ୍କୁ ପ୍ରତି ମୁଁ କୃତଜ୍ଞତା ଜଣାଉଛି । ତେବେ କରୋନା ବିରୋଧରେ ଏହି ଲଢେ଼ଇ ଆରମ୍ଭ ମାତ୍ର । ଏହାକୁ ବଡ଼ ସଫଳତା ଭାବେ ଗ୍ରହଣ କରିବା ଉଚିତ ନୁହେଁ । ଏହା ଏକ ଲମ୍ବା ଲଢେ଼ଇର ଆରମ୍ଭ କହିଲେ ଭୁଲ ହେବନାହିଁ । ଏହି ଲମ୍ବା ଲଢେ଼ଇ ଲଢ଼ିବାକୁ ଦେଶବାସୀ ପ୍ରସ୍ତୁତ ଥିବା ଆଜିର ସମର୍ଥନରୁ ସ୍ପଷ୍ଟ ଜଣାପଡୁଛି । ଯେତେ ବଡ଼ ଆହ୍ୱାନ ଆସୁ ପଛେ, ଆମେ ସମସ୍ତେ ଏକାଠି ହୋଇ ଲଢ଼ିବା ବୋଲି ମୋଦି କହିଛନ୍ତି ।


Comments are closed, but trackbacks and pingbacks are open.