ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଲାଗି ପଦକ୍ଷେପ ନିଆଯାଇଛି: ମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ତାଲାବନ୍ଦ (ଲକ୍ଡାଉନ୍) ଜାରି କରାଯାଇଛି । ସେଥିଲାଗି ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଓ ପରିବହନକୁ ସୁଗମ କରିବା ପାଇଁ ବିହିତ ବ୍ୟବସ୍ଥା ଗ୍ରହଣ ନିମନ୍ତେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗକୁ ନିଦେ୍ର୍ଧଶ ଦେଇଛନ୍ତି ।
ପରବର୍ତ୍ତୀ ଦୁଇରୁ ତିନି ସପ୍ତାହ କିମ୍ବା ପରବର୍ତ୍ତୀ ଏକ ମାସ ପର୍ଯ୍ୟନ୍ତ ଓଡ଼ିଶାରେ ଖାଦ୍ୟଶସ୍ୟ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଚାହିଦା ଓ ବର୍ତ୍ତମାନର ମହଜୁଦ ସ୍ଥିତିର ଠିକ୍ ଆକଳନ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଯଦି କୌଣସି କ୍ଷେତ୍ରରେ ନିଅଣ୍ଟ ଥାଏ, ତାହାକୁ ଅବିଳମ୍ବେ ହୋଲ୍ସେଲ୍ରଙ୍କ ମାଧ୍ୟମରେ ଆମଦାନୀ କରିବା ପାଇଁ ଶ୍ରୀ ସ୍ୱାଇଁ ନିଦେ୍ର୍ଧଶ ଦେଇଛନ୍ତି । ଶ୍ରୀ ସ୍ୱାଇଁ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ରନ୍ଧନ ଗ୍ୟାସର କୌଣସି ଅଭାବ ନାହିଁ । ଭବିଷ୍ୟତରେ ରନ୍ଧନ ଗ୍ୟାସର ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ତିନୋଟି ଯାକ ତୈଳ କମ୍ପାନୀ ସହ ନିୟମିତ ଯୋଗାଯୋଗ କରିବା ପାଇଁ କହିଛନ୍ତି । ଆବଶ୍ୟକ ହେଲେ ବିଭାଗ ଦ୍ୱାରା ପ୍ରତ୍ୟେକ ଦିନ ରନ୍ଧନ ଗ୍ୟାସ ଯୋଗାଣର ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଛନ୍ତି ।
ଏଥିସହିତ ଆତଙ୍କିତ ନହୋଇ ଅଧିକ ମାତ୍ରାରେ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ ନ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏହାଦ୍ୱାରା ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଯୋଗାଣ ଉପରେ ଅହେତୁକ ଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ରାଜ୍ୟ ସରକାରଙ୍କ ନିକଟରେ ଯଥେଷ୍ଟ ପରିମାଣରେ ଅତ୍ୟାବଶ୍ୟକ ସାମଗ୍ରୀର ମହଜୁଦ ଅଛି । ତେଣୁ ଜନସାଧାରଣ ବିବ୍ରତ ନ ହେବା ନିମନ୍ତେ ଗଣମାଧ୍ୟମରେ ନିୟମିତ ବିଜ୍ଞାପନ ମାଧ୍ୟମରେ ସଚେତନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons