ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ବାଛବିଚାର କରନି

Get real time updates directly on you device, subscribe now.

ଭୁବନେଶ୍ଵର : କରୋନା ଭାଇରସର ପ୍ରତିରୋଧ ଲାଗି ଆଜିଠୁ ଦେଶରେ ୨୧ ଦିନିଆ ଲକଡାଉନ ଆରମ୍ଭ ହୋଇ ଯାଇଛି। ପ୍ରଧାନମନ୍ତ୍ରୀଙ୍କ ଲକଡାଉନ ଘୋଷଣାକୁ ସବୁ ବର୍ଗରୁ ସମର୍ଥନ ମିଳିଛି। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଲକଡାଉନର ସମର୍ଥନ ଜଣାଇଛନ୍ତି। ଏହା ସହିତ ଅନ୍ତଃରାଜ୍ୟ ଜରୁରୀକାଳୀନ ସାମଗ୍ରୀ ପରିବହନକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଲକଡାଉନକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍ ଦେଇ ଅଣ ଆବଶ୍ୟକ ଉତ୍ପାଦ ଓ ସାମଗ୍ରୀର ଅନ୍ତଃରାଜ୍ୟ ପରିବହନ ଉପରେ ରୋକ୍ ଲଗାଯାଇଛି। ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ସ୍ଵାଗତଯୋଗ୍ୟ। ମାତ୍ର ଏଥିରେ ସମସ୍ୟା ଥିବା ଚିଠିରେ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।ମୁଖ୍ୟମନ୍ତ୍ରୀ ଚିଠିରେ ନିଜର ଅଭିଜ୍ଞତାକୁ ଉଲ୍ଲେଖ କରି କହିଛନ୍ତି ଯେ, ବନ୍ୟା-ବାତ୍ୟା ପ୍ରାକୃତିକ ବିପର୍ୟ୍ୟୟ ସମୟରେ ଓଡିଶା ସରକାର ପୂର୍ବରୁ ମଧ୍ୟ ଅତ୍ୟାବଶ୍ୟକ ଗାଡିର ପରିବହନ ଜାରି ରଖିଥିବା ବେଳେ ଅଣ ଆବଶ୍ୟକ ସାମଗ୍ରୀର ପରିବହନକୁ ରୋକ୍ ଲଗାଇଥିଲେ। ଫଳରେ ଅନ୍ତରାଜ୍ୟ ତନଖି ଫାଟକରେ ଅନେକ କିଲୋମିଟର ପର୍ୟ୍ୟନ୍ତ ରାସ୍ତାରେ ମାଲବାହୀ ଗାଡିର ଲମ୍ବା ଧାଡି ଦେଖିବାକୁ ମିଳିଥିଲା। ଏଥିରେ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ପରିବହନ କରୁଥିବା ମାଲବାହୀ ଗାଡି ମଧ୍ୟ ଫସି ରହିଥିବା ଦେଖିବାକୁ ମିଳିଥିଲା। ଯାହା ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା।ଏବେ ଲକଡାଉନ ସମୟରେ ମଧ୍ୟ ସେମିତି ସ୍ଥିତି ଦେଖିବାକୁ ମିଳିଛି। ତନଖି ଫାଟକରେ ଅନେକ କିଲୋ ମିଟର ପର୍ୟ୍ୟନ୍ତ ମାଲବାହୀ ଗାଡିର ଲମ୍ବା ଧାଡି ଲାଗି ରହିଛି। ଏଥିରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନକାରୀ ଟ୍ରକ ମଧ୍ୟ ରହିଛି। ଫଳରେ ନିଜର ଗାଡିକୁ ପାର କରାଇବା ପାଇଁ ତନଖି ଫାଟକରେ ଅନିୟମିତତା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଏତେ ସଂଖ୍ୟକ ଗାଡି ମଧ୍ୟରୁ କେଉଁଟା ଅତ୍ୟାବଶ୍ୟକ ମାଲବାହୀ ଗାଡିକୁ ଚିହ୍ନଟ କରି ଅନ୍ତଃରାଜ୍ୟ ବର୍ଡରରେ ପରମିଟ୍ ଦେବା ମୁସ୍କିଲ ହୋଇ ପଡିଛି। ଯାହା ଫଳରେ ରାଜ୍ୟଗୁଡିକରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିବାରେ ବିଳମ୍ବ ଘଟୁଛି। ତେଣୁ ପରିବହନ ମଧ୍ୟରେ ଭେଦଭାବ ନକରି ସମସ୍ତ ଉତ୍ପାଦ ଓ ସାମଗ୍ରୀ ପରିବହନ ଗାଡିର ଚଳାଚଳକୁ ଅନୁମତି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଏହି ଦିଗ ପ୍ରତି ତୁରନ୍ତ ଧ୍ୟାନ ଦେଇ ପଦକ୍ଷେପ ନେବାକୁ କହିଛନ୍ତି। ଯଦ୍ଵାରା ଲକଡାଉନର ଏହି ଘଡିସନ୍ଧି ମୁହୂର୍ତ୍ତରେ ପର୍ୟ୍ୟାପ୍ତ ପରିମାଣରେ ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ପାଖକୁ ପହଞ୍ଚିବା ନେଇ ସୁନିଶ୍ଚିତ କରାଯାଇ ପାରିବ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons