୧.୫ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରି ପାରନ୍ତି ପିଏମ ମୋଦୀ, ୧୦ କୋଟି ଜନତାଙ୍କ ଆକାଉଣ୍ଟକୁ ସିଧାସଳଖ ହୋଇପାରେ ଟ୍ରାନ୍ସଫର
ନୂଆଦିଲ୍ଲୀ : କରୋନା ଭୂତାଣୁର ବଢୁଥିବା ମାମଲା ଉପରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ସରକାର ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ହେଲେ ଲକଡାଉନ କାରଣରୁ ଦେଶର ଅର୍ଥବ୍ୟବସ୍ଥା ଉପରେ ପଡିବାକୁ ଥିବା ପ୍ରଭାବକୁ ଦୂର କରିବା ପାଇଁ ମଧ୍ୟ ସରକାର ଅଣ୍ଟା ଭିଡିଛନ୍ତି। କେନ୍ଦ୍ର ସରକାର ଏଥିପାଇଁ ୧.୫ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରି ପାରନ୍ତି। ବିଶ୍ଵସ୍ତ ସୂତ୍ର ଅନୁଯାୟୀ ସରକାର ପ୍ୟାକେଜକୁ ଚୂଡାନ୍ତ ରୂପ ଦେବାକୁ ଯାଉଛନ୍ତି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ୟ୍ୟାଳୟ, ଅର୍ଥ ମନ୍ତ୍ରଣାଳୟ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଆଲୋଚନା ଚାଲିଛି।
ଜୈନକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପ୍ରୋତ୍ସାହନ ପ୍ୟାକେଜ୍ ୨.୩ ଲକ୍ଷ କୋଟି ପର୍ୟ୍ୟନ୍ତ ହୋଇପାରେ। ମାତ୍ର ମୋଟ୍ କେତେ ଅର୍ଥ ଜାରି ହେବ ତାକୁ ନେଇ ଆଲୋଚନା ଜାରି ରହିଛି। ଚଳିତ ସପ୍ତାହ ଶେଷ ସୁଦ୍ଧା ଏହାର ଘୋଷଣା ହୋଇପାରେ। ଅଧିକାରୀ କହିଛନ୍ତି ଯେ, ଏହି ଅର୍ଥକୁ ଦେଶର ୧୦ କୋଟି ଜନତାଙ୍କ ଆକାଉଣ୍ଟକୁ ସିଧାସଳଖ ଟ୍ରାନ୍ସଫର କରାଯିବ। ଏହା ସହିତ ଅର୍ଥର ବିନିଯୋଗ ଲକଡାଉନରେ ସର୍ବାଧିକ ପ୍ରଭାବିତ କାରବାର ପାଇଁ କରାଯାଇପାରେ।
ଭାରତରେ ବୁଧବାରଠୁ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ୍ ଆରମ୍ଭ ହୋଇ ଯାଇଛି। ଏହି ସମୟରେ ଦେଶର ୧୩୦ କୋଟି ଲୋକ ଘରୁ ବାହାରି ପାରିବେ ନାହିଁ। କରୋନା ସଙ୍କଟରୁ ମୁକାବିଲା ପାଇଁ ଏହା ଦୁନିଆର ସବୁଠୁ ମହତ୍ଵାକାଂକ୍ଷୀ ପ୍ରୟାସ। ଭାରତରେ କରୋନା ଭାଇରସ୍ରେ ଏ ପର୍ୟ୍ୟନ୍ତ ୬୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି ଏବଂ ନଅ ଜଣଙ୍କ ମୃତ୍ୟୁ ଘଟି ସାରିଛି।
ଅଧିକାରୀ କହିଛନ୍ତି ଯେ, ସରକାର ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ଋଣ ଆଣିବା ପରିମାଣ ବୃଦ୍ଧି କରି ପାରନ୍ତି। ସରକାର ଆଗାମୀ ଆର୍ଥିକ ବର୍ଷ ପାଇଁ ୭.୮ ଲକ୍ଷ କୋଟି ଟଙ୍କା ଋଣ ଆଣିବାର ଯୋଜନା କରୁଛନ୍ତି। ସେ କହିଛନ୍ତି ସାଂପ୍ରତିକ ସ୍ଥିତି ଉପରେ ନଜର ପକାଇଲେ ଆରବିଆଇକୁ ଦୁନିଆର ଅନ୍ୟ କେନ୍ଦ୍ରୀୟ ବ୍ୟାଙ୍କ ପରି ବଣ୍ଡ କିଣିବାକୁ ପଡିବ।
ଜୈନକ ଅଧିକାରୀ କହିଛନ୍ତି ଯେ, ଯଦି ନଗଦ ଅଭାବ ହୁଏ ତେବେ କେନ୍ଦ୍ର ସରକାର ଆରବିଆଇର ଓ୍ଵେଜ ଆଣ୍ଡ ମିନ୍ସ ସୁବିଧାର ମଧ୍ୟ ଉପଯୋଗ କରିପାରେ, ଯାହା କେନ୍ଦ୍ରୀୟ ବ୍ୟାଙ୍କ ଦ୍ଵାରା ରାଜ୍ୟକୁ ଦିଆଯାଉଥିବା ଏକ ଓଭରଡ୍ରାଫ୍ଟ ଫେସିଲିଟି। ମାତ୍ର ଅର୍ଥ ମନ୍ତ୍ରଣାଳୟ ଏହି ଯୋଜନା ଉପରେ ଟିପ୍ପଣୀ କରିବାକୁ ମନା କରି ଦେଇଛନ୍ତି। ଆରବିଆଇ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛି।


Comments are closed, but trackbacks and pingbacks are open.