ଭୁବନେଶ୍ୱର: କରୋନା ପାଇଁ ଲକଡାଉନ ଲାଗୁ ହୋଇଥିବାରୁ ରାଜ୍ୟ ବାହାରେ ଫସି ରହିଥିବା ଓଡ଼ିଆଙ୍କୁ ସହାୟତା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କରିଛନ୍ତି। ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏକି ଚିଠି ଲେଖି ଫସି ରହିଥିବା ଓଡ଼ିଆଙ୍କୁ ସହାୟତା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି।
ଚିଠିରେ ନବୀନ ଅପିଲ୍ କରିଛନ୍ତି ଯେ, ତାଙ୍କ ରାଜ୍ୟରେ ଫସିଥିବା ଓଡ଼ିଆ ଲୋକଙ୍କୁ ସମ୍ପୃକ୍ତ ରାଜ୍ୟ ସହାୟତାର ହାତ ବଢାଉ । ଏଥିପାଇଁ ଯାହା ଖର୍ଚ୍ଚ ହେବ ତାହା ଓଡିଶା ସରକାର ବହନ କରିବ।
ସେ ଆହୁରି କହିଛନ୍ତି ଯେ, ବାହାର ରାଜ୍ୟରୁ ଆସି ଓଡ଼ିଶାରେ ରହୁଥିବା ଲୋକଙ୍କୁ ସହାୟତା କରାଯାଉଛି। ସେମାନଙ୍କର ସମସ୍ତ ଆନୁଷଙ୍ଗିକ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ବହନ କରୁଛି। ଯଦି କେହି ଓଡ଼ିଶାରେ ଫସିଛନ୍ତି, କେହି ଶୁଣୁ ନାହାନ୍ତି, ମୋତେ ସିଧା ଜଣାନ୍ତୁ ବୋଲି ନବୀନ କହିଛନ୍ତି।
ଲକଡାଉନ ପୂର୍ବରୁ ବିଭିନ୍ନ ରାଜ୍ୟକୁ ଯାଇଥିବା ତୀର୍ଥଯାତ୍ରୀ, ଶ୍ରମିକ, ଛାତ୍ରଛାତ୍ରୀ ଓ ବୃତ୍ତିଧାରୀ ସେଠାରେ ଅଟକି ରହିଛନ୍ତି। ଘରଠାରୁ ଏମାନେ ଦୂରରେ ଥିବା ଓ ଲକଡାଉନ ଲାଗିଥିବାରୁ ସେମାନେ ସମସ୍ୟାରେ ରହୁଥିବେ। ଏପରିକି ଖାଦ୍ୟ ପାନୀୟରେ ବି ସମସ୍ୟା ଉପୁଜୁଥିବ। ଏଣୁ ନିଜ ନିଜ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଇ ଓଡ଼ିଆମାନଙ୍କୁ ସହାୟତା ଯୋଗାଇ ଦେବାକୁ ନବୀନ କହିଛନ୍ତି।
ଗତକାଲି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଫସି ରହିଥିବା ଓଡ଼ିଆଙ୍କୁ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ସେମାନଙ୍କୁ କିପରି ଉଦ୍ଧାର କରାଯାଇପାରିବ ସେଥିପାଇଁ ହେଲ୍ପ ଲାଇନ ନମ୍ବର ଜାରି କରିବାକୁ କହିଥିଲେ।
ସୂଚନାଯୋଗ୍ୟ, କରୋନା ପାଇଁ ପୂରା ଦେଶ ଲକ୍ଡାଉନ୍ ହୋଇଯାଇଛି। ଏହାଫଳରେ କେହି କୁଆଡ଼େ ଯାତାୟାତ କରିପାରୁନାହାନ୍ତି। ଓଡ଼ିଶାର ବହୁ ଓଡ଼ିଆ ଶ୍ରମିକ, ତୀର୍ଥଯାତ୍ରୀ ଓ ଛାତ୍ରଛାତ୍ରୀ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି। ସେମାନେ ସୋଶାଲ ମିଡିଆରେ ଭିଡିଓ ଛାଡ଼ି ଉଦ୍ଧାର କରିବାକୁ ସରକାରଙ୍କୁ ଆକୁଳ ନିବେଦନ କରିଥିଲେ।
Comments are closed, but trackbacks and pingbacks are open.