ଚିନ୍ତା ବଢ଼ାଇ ଦେଲେ ପଞ୍ଚମ କରୋନା ସଂକ୍ରମିତ: ପରିଚୟ ଜାରି, ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଜଣାଇବାକୁ ନିର୍ଦ୍ଦେଶ, ଗୋପବନ୍ଧୁ ଛକରୁ ଶିରିପୁର ଛକ ସିଲ୍

Get real time updates directly on you device, subscribe now.

ଭୁବନେଶ୍ବର : ରାଜ୍ୟର ପଞ୍ଚମ କରୋନା ସଂକ୍ରମିତ ଏବେ ସରକାର ଓ ସାଧାରଣ ଲୋକଙ୍କ ଚିନ୍ତା ବଢାଇ ଦେଇଛନ୍ତି। ବୃହତ୍ତର ଜନସ୍ବାର୍ଥ କାରଣକୁ ଆଖିଆଗରେ ରଖି ରାଜ୍ୟ ସରକାର ପଞ୍ଚମ କରୋନା ପଜିଟିଭ୍‌ ରୋଗୀଙ୍କ ପରିଚୟ ପ୍ରକାଶ କରିଛନ୍ତି । ସେ ରହୁଥିବା ଆଖପାଖ ଅଞ୍ଚଳ ଭାବେ ରାଜଧାନୀର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ସିଲ୍‌ କରିଛନ୍ତି । ଏହା ସହିତ ଅଧିକ ଗୁରୁତ୍ବପୂର୍ଣ୍ମ ପଦକ୍ଷେପ ନେଇ ସଂପୃକ୍ତ ସଂକ୍ରମିତଙ୍କ ସହ ଏକ ମାସ ମଧ୍ୟରେ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ନିଜଆଡୁ ସ୍ବାସ୍ଥ୍ୟ ବିଭାଗକୁ ୧୦୪ ନମ୍ବରରେ ଫୋନ୍‌ କରି ଜଣାଇବାକୁ ଆହ୍ବାନ କରାଯାଇଛି । କାରଣ ସେମାନେ କ୍ବାରେଣ୍ଟାଇନରେ ରହିବା ଜରୁରି ।
ବୁଧବାର ଦିନ ଠାବ ହୋଇଥିବା ରାଜ୍ୟର ପଞ୍ଚମ କରୋନା ପଜିଟିଭ୍ ବ୍ୟକ୍ତି ଜଣକ ହେଲେ ପ୍ରଦୀପ କୁମାର ଦଳ ବେହେରା । ବୟସ ୬୦ ବର୍ଷ । ସେ ଭୁବନେଶ୍ବରର ସୂର୍ୟ୍ୟନଗର ଅଞ୍ଚଳର ବାସିନ୍ଦା । ୪୬ ନମ୍ବର ୱାର୍ଡର ପ୍ଲଟ ନମ୍ବର ୩୭ ରେ ସେ ରୁହନ୍ତି ।ବଡ଼ କଥାଟି ହେଲା ପ୍ରଦୀପ କୁମାର ଦଳବେହେରାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ ।ଅର୍ଥାତ ସେ ରାଜ୍ୟ କିମ୍ବା ଦେଶ ବାହାରକୁ ଯାଇନାହାନ୍ତି ।ତେଣୁ ଏହା ଚିନ୍ତା ବଢାଇ ଦେଇଛି । ପ୍ରାରମ୍ଭିକ ଭାବେ ସେ ୨୧ ଜଣଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଥିଲେ ବି ତାହା ଅନେକ ବେଶି ହେବ ବୋଲି ଏବେ ଆଶଙ୍କା କରାଯାଉଛି ।
ପଞ୍ଚମ କୋଭିଡ୍ ୧୯ ପଜିଟିଭଙ୍କ ସଂସ୍ପର୍ଶରେ ଅଧିକ ଲୋକ ଥିବା ଆଶଙ୍କା କରି ସରକାର କିଛି କଠୋର ପଦକ୍ଷେପ ସହ ସର୍ବସାଧାରଣଙ୍କୁ ମଧ୍ୟ ସହଯୋଗର ଆହ୍ବାନ କରିଛନ୍ତି ।ଗତ ଏକ ମାସ ମଧ୍ୟରେ ପ୍ରଦୀପ କୁମାର ଦଳବେହେରାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ନିଜଆଡୁ ୧୦୪ ନମ୍ବରକୁ ଯୋଗାଯୋଗ କରି ସରକାରଙ୍କୁ ଜଣାଇବାଲାଗି ନିବେଦନ କରାଯାଇଛି ।
ସେମାନେ କ୍ବାରେଣ୍ଟାଇନରେ ରହିବାର ଆବଶ୍ୟକତା ରହିଛି ।ଏହା ସହ ଆଉ ଏକ ବଡ଼ ପଦକ୍ଷେପ ନେଇ ଗୋପବନ୍ଧୁ ଛକରୁ ଏଲଆଇସି ଛକ, ଏଲଆଇସି ଛକରୁ ଗଙ୍ଗନଗର ଛକ, ଗଙ୍ଗନଗର ଛକରୁ ଶିରିପୁର ଛକ ଏବଂ ଶିରିପୁର ଛକରୁ ଗୋପବନ୍ଧୁ ଛକକୁ ସିଲ୍‌ କରିଛନ୍ତି ସରକାର । ଏହି ସବୁ ଅଞ୍ଚଳରେ ପ୍ରବେଶ ଏବଂ ପ୍ରସ୍ଥାନ ଉପରେ ଚେକ୍‌ ଲଗାଯାଇଛି । ସେହି ଅଞ୍ଚଳରେ ଜରରି ଆବଶ୍ୟକତା ସେବାରେ ନିଯୋଜୀତ କର୍ମଚାରୀଙ୍କୁ ମଧ୍ୟ ନିର୍ଦ୍ଦିଷ୍ଟ ନିୟମରେ କାର୍ୟ୍ୟ କରିବାକୁ ସରକାରଙ୍କ ନିୟମ ରହିଛି ।
ଏହା ବ୍ୟତୀତ ଡାକ୍ତରୀ ଟିମ୍‌ ଆବଶ୍ୟକ ସ୍ଥଳରେ ଘରକୁ ଘର ଯାଇ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇବେ ।ଦୈନଦିନ ଭାବେ ସ୍ବାସ୍ଥ୍ୟ ସେବାର ଯତ୍ନ ନିଆଯିବ ।ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ଏହି ବ୍ୟବସ୍ଥା ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।ଏହା ସହ ସଂପୃକ୍ତ କରୋନା ପଜିଟିଭ୍‌ଙ୍କ ନାମ ପ୍ରକାଶ କରାଯାଇଥିବା ବେଳେ ତାଙ୍କ ପ୍ରତି କିମ୍ବା ତାଙ୍କ ପରିବାର ସଦସ୍ୟ ମାନଙ୍କ ପ୍ରତି କୌଣସି ପ୍ରକାର ସାମାଜିକ ବାସନ୍ଦ ବା ଅସୂଯା କିମ୍ବା ସେପରି କିଛି ବ୍ୟବହାର ପ୍ରଦର୍ଶନ କରାଯିବା କୁ ସରକାର ସ୍ପଷ୍ଟ ତଥା କଡାକଡି ଭାବେ ବାରଣ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons