
ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଓଡ଼ିଶା ଜନ୍ମିତ ଆଇଆରଏସ ଅଧିକାରୀ ତଥା ପରୋକ୍ଷ ଟିକସ ଓ ବହିଃଶୁଳ୍କ କେନ୍ଦ୍ରୀୟ ବୋର୍ଡ (ସିବିଆଇସି)ର ଅଧ୍ୟକ୍ଷ ପ୍ରଣବ କୁମାର ଦାସ ବିଶ୍ୱ ବହିଃଶୁଳ୍କ ସଂଗଠନ (ଡବ୍ଲ୍ୟୁସିଓ)ର ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଛନ୍ତି । ସଂଗଠନରେ ତାଙ୍କୁ ୫ ବର୍ଷ ପାଇଁ ଅନୁପାଳନ ଓ ସୁଗମତା ବିଭାଗର ନିର୍ଦ୍ଦେଶକ ଭାବେ ନିର୍ବାଚିତ କରାଯାଇଛି । ଏହି ପଦରେ ଦୁଇଜଣ ଅଧିକାରୀ ଦାବିଦାର ଥିଲେ । କିନ୍ତୁ ତାଙ୍କ ନିକଟତମ ବ୍ରିଟେନ୍ ପ୍ରତିଦ୍ୱନ୍ଦ୍ୱୀ କମ୍ ଭୋଟ୍ ପାଇଥିଲେ । ଦାସକୁ ମୋଟ ୧୦୮ ଭୋଟ୍ ମିଳିଥିଲା ବେଳେ ବ୍ରିଟେନ୍ ପ୍ରାର୍ଥୀଙ୍କୁ ୬୮ ଭୋଟି ମିଳିଥିଲା । ଉଲ୍ଲେଖଯୋଗ୍ୟ, ୨୦୧୮ ଡିସେମ୍ବରରେ ଦାସ ସିବିଆଇସିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ । ଉନ୍ନତ ସେବା ପ୍ରଦାନ ପାଇଁ ତାଙ୍କୁ ୨୦୧୫ରେ ରାଷ୍ଟ୍ରପତି ପୁରସ୍କାର ମିଳିଥିଲା । ସେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ବିଜେବି କଲେଜରୁ ସେ ସ୍ନାତକ ଶେଷ କରିଥିଲେ । ବେଲଜିୟମ୍ର ବ୍ରସେଲ୍ସରେ ଥିବା ଡବ୍ଲ୍ୟୁସିଓ ହେଉଛି ଏକ ଆନ୍ତଃ ସରକାରୀ ସଂଗଠନ, ଯାହାକି ବହିଃଶୁଳ୍କ ସଂକ୍ରାନ୍ତ ଦକ୍ଷତା ବୃଦ୍ଧି ପାଇଁ କାମ କରିଥାଏ ।
Comments are closed, but trackbacks and pingbacks are open.