ଭୁବନେଶ୍ଵର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ। କେନ୍ଦ୍ରାପଡାର ଜଣେ ଯୁବକଙ୍କ ନମୂନା ପରୀକ୍ଷଣରୁ ସେ କୋଭିଡ୍ ୧୯ରେ ଆକ୍ରାନ୍ତ ଥିବା ଜଣା ପଡିଛି। ଯୁବକଙ୍କ ବୟସ ୩୨ ବର୍ଷ। ସେ ଗତ ୨୪ ତାରିଖରେ ଦୁବାଇରୁ ଫେରିଥିଲେ। ସେ ହୋମକ୍ଵାରେଣ୍ଟାଇନରେ ଥିଲେ ନା ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। ତାଙ୍କ ନମୂନା ପରୀକ୍ଷଣ ପାଇଁ ଦିଆଯାଇଥିବା ଏବଂ ତାହା ପଜିଟିଭ୍ ଥିବା ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଟୁଇଟ୍ ଜରିଆରେ ସୂଚନା ଦେଇଛନ୍ତି। ଏହି ଯୁବକ ଜଣକ କରୋନା ପଜିଟିଭ୍ ଜଣା ପଡିବା ପରେ ସେ ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲାର ପ୍ରଥମ କୋଭିଡ୍-୧୯ ପଜିଟିଭ୍ ଚିହ୍ନିତ ବ୍ୟକ୍ତି ହୋଇଛନ୍ତି। ତେବେ ତାଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି।ସୂଚନାଯୋଗ୍ୟ ଯେ, ରବିବାର ରାତି ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ଥିଲା। ଗତକାଲି ଗୋଟିଏ ଦିନରେ ୧୮ ଜଣ କରୋନା ପଜିଟିଭ୍ଙ୍କ ସୂଚନା ମିଳିଥିଲା ଏବଂ ସେଥି ମଧ୍ୟରୁ ଅଧିକାଂଶ ଭୁବନେଶ୍ଵର ବର୍ମିଖାଲର ଗୋଟିଏ ପରିବାରର ସଦସ୍ୟ ବୋଲି ଜଣା ପଡିଥିଲା। ଆଜି ସୁଦ୍ଧା ୧୮୮୮ ନମୂନା ପରୀକ୍ଷଣ ପାଇଁ ଦିଆଯାଇଥିବା ବେଳେ ୩୯ ଜଣଙ୍କ ପଜିଟିଭ୍ ଥିବା ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗ୍ଚୀ ସୂଚନା ଦେଇଥିଲେ। ଏବେ ସେହି ସଂଖ୍ୟା ୪୦କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୪୦ତମ କୋଭିଡ୍ ୧୯ ପଜିଟିଭ୍ ଯୁବକଙ୍କ ସହ କେଉଁ କେଉଁ ମାନେ ସଂସ୍ପର୍ଶରେ ଆସିଛନ୍ତି ତାହାର ଛାନଭିନ୍ ଆରମ୍ଭ ହୋଇଛି। ତାଙ୍କ ପରିବାର ଲୋକଙ୍କୁ ହୋମ୍ ଆଇସୋଲେସନରେ ରଖାଯାଇଥିବା ଜଣା ଯାଇଛି। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଦୁଇ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
୪୦ କରୋନା ସଂକ୍ରମିତଙ୍କ ମଧ୍ୟରେ ଭୁବନେଶ୍ଵରୁ କେବଳ ୩୩ ଜଣ ଅଛନ୍ତି। ଏହି ପରି କଟକରୁ ୧, ପୁରୀରୁ ୧, ଯାଜପୁରରୁ ୧, ଭଦ୍ରକରୁ ୨, କଳାହାଣ୍ଡିରୁ ୧ ଓ କେନ୍ଦ୍ରାପଡାରୁ ୧ ସାମିଲ।
Comments are closed, but trackbacks and pingbacks are open.