ଭୁବନେଶ୍ବର: ରାଜ୍ୟରେ ଅଧିକରୁ ଅଧିକ ସଂଖ୍ୟକ କରୋନା ପରୀକ୍ଷଣ ବଢ଼ାଯାଇଛି। ୧୩ ତାରିଖରେ ୫୬୪ ପରୀକ୍ଷା କରାଯାଇଥିବା ବେଳେ ଗତକାଲି ଏହା ବୃଦ୍ଧି ପାଇଛି ୮୦୩କୁ। ତେବେ ରାଜ୍ୟରେ ସମ୍ପଲ ପରୀକ୍ଷା ତୁଳନାରେ କରୋନା ରୋଗୀଙ୍କ ସଂଖ୍ୟା ୧.୦୮ ପ୍ରତିଶତ ରହିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ସେପଟେ ଭଦ୍ରକରେ କଣ୍ଟେନମେଣ୍ଟ ଜୋନ ପ୍ରତ୍ୟାହାର କରାଯାଇଥିବା ବେଳେ ଭୁବନେଶ୍ବର ସୂର୍ୟ୍ୟନଗରରେ ସୀମା ସଙ୍କୁଚିତ କରାଯାଇଛି।
ସାମ୍ପଲ ଅନୁସାରେ ରୋଗୀ ଚିହ୍ନଟ ହେବାରେ ଓଡ଼ିଶା ସବୁଠାରୁ ତଳେ। କରୋନା ନେଇ ଏମିତି କିଛି ପରିସଂଖ୍ୟାନ ଦେଖାଇଛନ୍ତି ସ୍ବାସ୍ଥ୍ୟ ସଚିବ। ରାଜ୍ୟରେ ୫୫୦୦ ସାମ୍ପଲ ଟେଷ୍ଟ ହୋଇଥିବା ବେଳେ ସେଥିରୁ ମାତ୍ର ୧.୦୮ ପ୍ରତିଶତ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି ଦେଶର ଅନ୍ୟରାଜ୍ୟ ତୁଳନାରେ ସବୁଠାରୁ କମ୍। ସେହିଭଳି ବିନା ଲକ୍ଷଣ ଥାଇ ୩ଶହ ଲୋକଙ୍କ ସାମ୍ପଲ ପରୀକ୍ଷା କରାଯାଇଛି। ଯେଉଁମାନଙ୍କ ମଧ୍ୟରୁ ୪ ଜଣ ପଜିଟିଭ୍ ଆସିଛନ୍ତି। ତେଣୁ ଓଡ଼ିଶାରେ ଏବେ ସୁଦ୍ଧା କରୋନା ସ୍ଥିତି ଅନ୍ୟରାଜ୍ୟଠାରୁ ଭଲ ଥିବା ଆଶ୍ବାସନା ଦେଇ କହିଛନ୍ତି ସ୍ବାସ୍ଥ୍ୟ ସଚିବ।
ଭୁବନେଶ୍ବର ସୂର୍ୟ୍ୟନଗର କଣ୍ଟେନମେଣ୍ଟ ଜୋନର ପରିସୀମା ସଂକୁଚିତ କରାଯାଇଛି । ଏନେଇ ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନ ନୂଆ ମ୍ୟାପ ଜାରି କରିଛି । ଏବେ କଣ୍ଟେନମେଣ୍ଟ ଜୋନ୍ ର ସୀମା ଏନସିସି ଅଫିସଠାରୁ ନାସନାଲ ପ୍ରଡକ୍ଟିଭ୍ କାଉନସିଲ୍ ଭାୟା ମମତାଜ ଅଲ୍ଲୀ ଷ୍ଟ୍ରିଟ୍ , ନାସନାଲ ପ୍ରଡକ୍ଟିଭ୍ କାଉନସିଲ୍ ଠାରୁ ସୂର୍ୟ୍ୟ କମ୍ପ୍ଲେକ୍ସ ଏବଂ ସୂର୍ୟ୍ୟ କମ୍ପ୍ଲେକ୍ସ ଠାରୁ ଏନସିସି ଅଫିସ ପର୍ୟ୍ୟନ୍ତ ରହିବ । ତେବେ ଆଗରୁ ଥିବା କଣ୍ଟେନମେଣ୍ଟ ଜୋନ ସୀମା ଭିତରେ ସର୍ଭେଲାନ୍ସ ଚାଲୁ ରହିବ ବୋଲି ବିଏମସି ନିର୍ଦ୍ଦେଶନାମା ଜାରି କରିଛି । ସେପଟେ ଭଦ୍ରକରୁ କଣ୍ଟେନମେଣ୍ଟ ଜୋନ ମଧ୍ୟ ପ୍ରତ୍ୟାହାର କରିନିଆଯାଇଛି ।
ଏବେ ରାଜ୍ୟରେ ୪୧ ଜଣ ଆକ୍ଟିଭ୍ କରୋନା ରୋଗୀ ଥିବା ବେଳେ ୧୮ ଜଣ ଭଲ ହୋଇ ଘରକୁ ଫେରିଲେଣି। ଜଣେ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି। ସଂକ୍ରମଣ ଦୃଷ୍ଟିରୁ ଭୁବନେଶ୍ବରରେ ୩୪ ଜଣ ଆକ୍ଟିଭ୍ ରୋଗୀ ଥିବା ବେଳେ ୧୨ ଜଣ ଭଲ ହୋଇଛନ୍ତି। କେନ୍ଦ୍ରାପଡ଼ା ଏବଂ ସୁନ୍ଦରଗଡ଼ରେ ୨ ଜଣ ଲେଖାଏଁ ରୋଗୀ ଅଛନ୍ତି। ଏବେ ସୁଦ୍ଧା ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣ ଭିତରେ ନାହିଁ ବୋଲି କୋଭିଡ ମୁଖପାତ୍ର କହିଛନ୍ତି। ସେପଟେ କରୋନା ରୋଗୀଙ୍କୁ ବିଦ୍ବେଷ ନ ରଖିବା ଲାଗି ରାଜ୍ୟ ସରକାର ପୁଣି ପରାମର୍ଶ ଦେଇଛନ୍ତି। ଏଥିସହିତ ଲକ୍ଡାଉନ ନିୟମ କଡ଼ାକଡ଼ି ପାଳନ କରିବା ଲାଗି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।
Comments are closed, but trackbacks and pingbacks are open.