ମୁରାଦାବାଦରେ କରୋନା ଯାଞ୍ଚ କରିବାକୁ ଯାଇଥିବା ଡାକ୍ତରୀ ଦଳ ଉପରେ ଆକ୍ରମଣ, ଯୋଗୀଙ୍କ ଆଦେଶ ତୁରନ୍ତ ଚିହ୍ନଟ କରି ଗିରଫ କର
ଲକ୍ଷ୍ନୌ : ଉତ୍ତର ପ୍ରଦେଶର ମୁରାଦାବାଦରେ କରୋନା ସଂକ୍ରମିତ ରୋଗୀଙ୍କୁ ନେବାକୁ ଯାଇଥିବା ଡାକ୍ତରୀ ଦଳ ଉପରେ ଆକ୍ରମଣ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡା ଆଭିମୁଖ୍ୟ ଆପଣେଇଛନ୍ତି। ସେ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ବିପର୍ୟ୍ୟୟ ନିୟନ୍ତ୍ରଣ ଅଧିନିୟମ ଓ ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମ(NSA) ଆଧାରରେ କାର୍ୟ୍ୟାନୁଷ୍ଠାନ ନେବାକୁ ଆଦେଶ ଦେଇଛନ୍ତି। ଏହା ସହିତ ଭଙ୍ଗାରୁଜା ହୋଇଥିବା ସଂପତ୍ତିର ଭରଣା ଦୋଷୀଙ୍କଠୁ କରାଯିବ ବୋଲି କହିଛନ୍ତି।
ମୁରାଦାବାଦରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିଲା। ମେଡିକାଲ୍ ଟିମ୍ ଏହି ମୃତ୍ୟୁ ପରେ ହାଜି ନେକ୍ ମସଜିଦ୍ ନିକଟରେ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ଵାରେଣ୍ଟାଇନରେ ରଖିବାକୁ ଆଣିବାକୁ ଯାଇଥିଲେ। ଆମ୍ବୁଲାନ୍ସ ଯେମିତି କିଛି ଲୋକଙ୍କ ନେଇ ସେଠାରୁ ବାହାରିଲା, ଅନେକ ଲୋକ ଆମ୍ବୁଲାନ୍ସକୁ ଘେରି ପଥରମାଡ ଆରମ୍ଭ କରିଥିଲେ।
ଆମ୍ବୁଲାନ୍ସରେ ଥିବା ଡଃ. ଏସସି ଅଗ୍ରଓ୍ଵାଲଙ୍କୁ ଟାଣି ଲୋକେ ପିଟିବା ଆରମ୍ଭ କରିଥିଲେ। ଚାରି ଆଡୁ ପଥରମାଡ ହେବାରୁ ସେଠାରେ ଥିବା ପୋଲିସ ସିପାହୀ ମଧ୍ୟ ଜୀବନ ବଞ୍ଚାଇବା ପାଇଁ ପଳାଇଥିଲେ। ମେଡିକାଲ ଷ୍ଟାଫ କହିଛନ୍ତି ଯେ, ଆମକୁ ପିଟିବା ପାଇଁ ଲୋକେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲେ। ଘଟଣାରେ ପୋଲିସ୍ ଗାଡି ଓ ଆମ୍ବୁଲାନ୍ସକୁ କ୍ଷତି କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ କହିଛନ୍ତି ଯେ, ସ୍ଵାସ୍ଥ୍ୟ ବିଭାଗର ଡାକ୍ତର ଓ କର୍ମୀ, ସମସ୍ତ ସଫେଇ କାମରେ ନିୟୋଜିତ ଅଧିକାରୀ/କର୍ମଚାରୀ, ସୁରକ୍ଷା ଦାୟିତ୍ଵରେ ଥିବା ପୋଲିସ ଅଧିକାରୀ ଓ ପୋଲିସକର୍ମୀ ଆଦିଙ୍କ ଉପରେ ଆକ୍ରମଣ ଏକ ଅକ୍ଷମଣୀୟ ଅପରାଧ।
ମୁଖ୍ୟମନ୍ତ୍ରୀ ଆରୋପିଙ୍କ ବିରୋଧରେ ଏନଏସଏ ଆଧାରରେ କାର୍ୟ୍ୟାନୁଷ୍ଠାନ ଓ କ୍ଷତି ଘଟିଥିବା ସଂପତ୍ତିର ଭରଣା ଦୋଷୀଙ୍କଠାରୁ କରିବାକୁ ଆଦେଶ ଦେଇଛନ୍ତି। ସେ ଜିଲ୍ଲା ଓ ପୋଲିସ୍ ପ୍ରଶାସନକୁ ଏମିତି ଉପଦ୍ରବୀ ଲୋକଙ୍କୁ ତତ୍କାଳ ଚିହ୍ନଟ କରି ଗିରଫ କରିବାକୁ ଆଦେଶ ଦେଇଛନ୍ତି।
Comments are closed, but trackbacks and pingbacks are open.