ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାର ରେଡ୍ ଜୋନ୍ର ୫୨ ହଜାର ପରିବାରର ସ୍କ୍ରିନିଂ ସରିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଘରକୁ ଘର ବୁଲି ଡାକ୍ତର, ଆଶାକର୍ମୀ, ଅଙ୍ଗନଓ୍ବାଡୀ କର୍ମୀ ସମସ୍ତଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ସୂଚନା ଆଣିବା ସହ ଆବଶ୍ୟକ ସ୍ଥଳେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବାକୁ ପ୍ରୟାସ କରିଥିଲା ।
ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଝାରସୁଗୁଡା ବ୍ଲକ, ବ୍ରଜରାଜନଗର ମ୍ୟୁନିସିପାଲଟି ଓ ଲଇକେରା ବ୍ଲକକୁ ରେଡ୍ଜୋନ୍ ଭାବେ ଘୋଷଣା କରାଯାଇଥିଲା। ଉପରୋକ୍ତ ଅଞ୍ଚଳକୁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳରୁ ଟ୍ରେନ୍ ଓ ବସ୍ ଯୋଗେ ଲୋକେ ଆସିଥିବା ରିପୋର୍ଟରୁ ଜଣାପଡିଥିଲା ।
ଏଣୁ ଉପରୋକ୍ତ ନିଷ୍ପତ୍ତି ନିଆଯାଇ ଏହି ଅଞ୍ଚଳ ଗୁଡିକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ସ୍ବାସ୍ଥ୍ୟକର୍ମୀ, ଅଙ୍ଗନଓ୍ବାଡି କର୍ମୀ ଓ ଆଶାକର୍ମୀମାନଙ୍କୁ ନିୟୋଜିତ କରି ଗତ ବୁଧବାରଠାରୁ ମାସ୍ ସ୍କ୍ରିନିଂ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଏହି ପ୍ରକ୍ରିୟା ଶେଷ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା
ତଥ୍ୟ ମୁତାବକ ବ୍ରଜରାଜନଗର ମ୍ୟୁନିସିପାଲଟି, ଲଇକେରା ବ୍ଲକ୍ ଓ ଝାରସୁଗୁଡା ବ୍ଲକ୍ ଅଞ୍ଚଳରେ ରହୁଥିବା ୫୨ ହଜାର ୩୯ ପରିବାରକୁ ମାସ ସ୍କ୍ରିନିଂ କରାଯାଇ ସାରିଛି। ଏହି ମାସ୍ ସ୍କ୍ରିନିଂ ବେଳେ ଉପରୋକ୍ତ ପରିବାରର ୧୬୫ ଜଣଙ୍କୁ ଜ୍ବର, ୫୫୧ ଜଣଙ୍କୁ କାଶ, ୩୦୪ଙ୍କୁ ନାକରୁ ପାଣି ବୋହିବା, ୪୦ ଜଣଙ୍କୁ ଗଳା ଜନିତ ସମସ୍ୟା ଓ ୨ ଜଣଙ୍କୁ ଶ୍ବାସକ୍ରିୟା ଜନିତ ସମସ୍ୟା ଥିବା ଜଣାପଡିଛି।
ଉପରୋକ୍ତ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିବାକୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଶ୍ବାସକ୍ରିୟା ଜନିତ ସମସ୍ୟା ଥିବା ୨ ଜଣ ବ୍ୟକ୍ତିଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଏହାସହ ଉପରୋକ୍ତ ସମସ୍ତ ବ୍ୟକ୍ତିଙ୍କୁ ନିଜ ନିଜ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଝାରସୁଗୁଡା ଓ ବେଲପାହାଡ ମ୍ୟୁନିସିପାଲଟି ଅଞ୍ଚଳରେ ଗତକାଲିଠାରୁ ପ୍ରାଥମିକ ସ୍କ୍ରିନିଂ ଆରମ୍ଭ କରାଯାଇ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
Comments are closed, but trackbacks and pingbacks are open.