ଭୁବନେଶ୍ଵର: କରୋନା ଭାଇରସର ମୁକାବିଲା ପାଇଁ କେନ୍ଦ୍ରଠୁ ନେଇ ରାଜ୍ୟ ନିଜ ସ୍ତରରେ ପ୍ରୟାସ ଜାରି ରଖିଛନ୍ତି। ଏହି ଦିଗରେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ଉଠାଇ ରାଜ୍ୟରେ କରୋନା ମନିଟରିଂ ସେଣ୍ଟର ଖୋଲିବାକୁ ନିଷ୍ପତି ନେଇଛନ୍ତି। ଏହା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ କାର୍ୟ୍ୟ କରିବ। ଏଠାରେ କରୋନା ସଂପର୍କିତ ଅଭିଯୋଗର ଶୁଣାଣି ହେବ। ଏ ନେଇ ୯୦ ଜଣ ସହକାରୀ ସେକ୍ସନ ଅଫିସରକୁ ଅସ୍ଥାୟୀ ଦାୟିତ୍ଵ ଦିଆଯାଇଛି।
ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସବୁ ୯୦ ଜଣ ସହକାରୀ ସେକ୍ସନ ଅଫିସର ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ ଆଦେଶ ପର୍ୟ୍ୟନ୍ତ କାର୍ୟ୍ୟ କରିବେ। ମନିଟରିଂ ସେଣ୍ଟରରେ କରୋନା ଅଭିଯୋଗର ନିଦାନ କରାଯିବା ସହ ଏହି ମହାମାରୀ ମୁକାବିଲାରେ ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କରିବ।
ଉଲ୍ଲେଖଯୋଗ୍ୟ, ଆଜି ପର୍ୟ୍ୟନ୍ତ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୬୦ରେ ରହିଛି। ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ବାକି ୩୮ ରୋଗୀଙ୍କ ଚିକିତ୍ସା ଜାରି ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷିତ ହଟସ୍ପଟରେ ରାଜ୍ୟର ଖୋର୍ଦ୍ଧା ଏକ ମାତ୍ର ଜିଲ୍ଲା ରୂପେ ସାମିଲ ରହିଛି। ୭ ଜିଲ୍ଲା ନନ ହଟ୍ସ୍ପଟ୍ ତାଲିକାରେ ଅଛନ୍ତି।
Comments are closed, but trackbacks and pingbacks are open.