ଯାଜପୁର,(ବି.ବି.ନୁ୍ୟଜ୍): ଯାଜପୁର ଜିଲ୍ଲା ଅନ୍ତର୍ଗତ ଯାଜପୁର, କୋରେଇ ଓ ଦଶରଥପୁର ବ୍ଲକ୍ରେ ପୁଣି ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅଦ୍ୟାବଧି ଜିଲ୍ଲାରେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ୬ଜଣଙ୍କ କୋଲକାତା ଲିଙ୍କ୍ ରହିଛି । ଯାଜପୁର ବ୍ଲକରେ ସର୍ବାଧିକ ୪ ଜଣ କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି । କୋଲକାତାରୁ ଫେରୁଥିବା ବହୁ ବ୍ୟକ୍ତି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେଉଥିବାର ଆଶଙ୍କା ପ୍ରକାଶ ପାଇଛି । ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଅବସ୍ଥିତ ଗ୍ରାମ ଓ ବିଶେଷତଃ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ଏବେ କରୋନା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇ କରୋନା ଉତ୍ତପ୍ତ ପରିସର ରୂପ (ହଟ୍ସ୍ପଟ୍) ନେବାକୁ ଯାଉଛି । ଜିଲ୍ଲା ପ୍ରଶାସନ ଜିଲ୍ଲା ସଦର ମହକୁମା ଓ ତଦ୍ ସଂଲଗ୍ନ ଯାଜପୁର ଓ ଦଶରଥପୁର ବ୍ଲକ୍ରେ କରୋନା ମୁକାବିଲା ଅଭିଯାନକୁ ତ୍ୱରିତ କରିବାକୁ ଜିଲ୍ଲା ପ୍ରଶାସନ ଆଜି ବିଶେଷ ପ୍ରସ୍ତୁତି ଆରମ୍ଭ କରିଛି । କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୩୨ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି ।
ସୂଚନା ମୁତାବକ, ୫ଜଣ ଯାକ କରୋନା ଆକ୍ରାନ୍ତ ୨୯ ମାର୍ଚ୍ଚରେ କୋଲକାତାରୁ ଫେରିଛନ୍ତି । ସେହି ଦିନରୁ ପ୍ରଶାସନ ନଜରରେ ସଂଗରୋଧ ଅବସ୍ଥାରେ ସମ୍ପୃକ୍ତ ବ୍ୟକ୍ତି ରହିଛନ୍ତି । ସମସ୍ତଙ୍କ ସାମ୍ପୁଲ୍ ଚଳିତ ମାସ ୧୫ ତାରିଖରେ ସଂଗ୍ରହ କରାଯାଇ ଭୁବନେଶ୍ୱରସ୍ଥିତ ଆର୍ଏମ୍ଆର୍ସିରେ ପରୀକ୍ଷା କରାଯାଇଛି । ଏନ୍ପି ସ୍ୱାବ୍ ଟେଷ୍ଟ ରିପୋର୍ଟ ମୁତାବକ, ପଣସା ଗ୍ରାମ ପଂଚାୟତ ଅନ୍ତର୍ଗତ ବେହେରାପାଟଣା ଗ୍ରାମର ଆକ୍ରାନ୍ତ ବ୍ୟକ୍ତିଙ୍କ ବସୟ ୨୮ବର୍ଷ । ମକୁନ୍ଦପୁର ଗ୍ରାମର ଆକ୍ରାନ୍ତଙ୍କ ବୟସ ୫୦ । ବାସୁଦେବପୁର ପଞ୍ଚାୟତ ଜାଲପୁର ଗ୍ରାମର ଦୁଇଜଣ ଆକ୍ରାନ୍ତଙ୍କ ବୟସ ୬୪ ଓ ୫୮ ଅଟେ । ବିରଜାପୁର ପଞ୍ଚାୟତ କୋଦେଇବାଟି ଗ୍ରାମର ଆକ୍ରାନ୍ତ ବ୍ୟକ୍ତିଙ୍କ ବୟସ ୩୨ବର୍ଷ ।
ମାର୍ଚ୍ଚ ୨୯ ତାରିଖରେ କୋଲକାତାରୁ ଫେରିଥିବା ଯାଜପୁର ବ୍ଲକ୍ ଅନ୍ତର୍ଗତ ଯାଫରପୁର ଗ୍ରାମର ଜନୈକ ବ୍ୟକ୍ତି ଯାଜପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ନିମନ୍ତେ ଯାଇଥିଲେ । ଏହି ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଆଗପଛରେ ଛିଡ଼ା ହୋଇଥିବା ୪ଜଣ ବ୍ୟକ୍ତି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବାର ଦେଖିବାକୁ ମିଳିଛି । ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ବେଳେ ଜଣେ କରୋନା ଆକ୍ରାନ୍ତ ଏହି ଡାକ୍ତରଖାନାର ସଂଗରୋଧ ପ୍ରକୋÂରେ ରହି ଆସିଛନ୍ତି । ସମ୍ପୃକ୍ତ ପ୍ରକୋÂକୁ ସଫା କରିବା ଓ ଅନ୍ୟ କାର୍ଯ୍ୟରେ ବହୁ ସଂଖ୍ୟକ ମେଡିକାଲ କର୍ମଚାରୀ ଯାତାୟାତ କରିଥିବାରୁ ଯାଜପୁର ମେଡିକାଲକୁ କରୋନା ଭୂତାଣୁ ସଂକ୍ରମଣ କରିବାର ଅଧିକ ଆଶଙ୍କା ରହିଛି ।
ଯାଜପୁର ବ୍ଲକ୍ ଅନ୍ତର୍ଗତ ଯାଫରପୁର ପଂଚାୟତ ସାନ ତ୍ରିଲୋଚନପୁର ଗ୍ରାମର କରୋନା ଆକ୍ରାନ୍ତ ଯେତେବେଳେ ଯାଜପୁର ମେଡିକାଲରେ ଧାଡ଼ିରେ ଛିଡ଼ା ହୋଇଥିଲେ, ସେହି ସମୟରେ ଯାଜପୁର ବ୍ଲକ୍ ଅନ୍ତର୍ଗତ ବାସୁଦେବପୁର ଗ୍ରାମର ୨ ଜଣ, ପଣସା ପଂଚାୟତ ଅନ୍ତର୍ଗତ ବେହେରାପାଟଣା ଗ୍ରାମର ଜଣେ, କୋରେଇ ବ୍ଲକ୍ ଅନ୍ତର୍ଗତ ମକୁନ୍ଦପୁର ଗ୍ରାମର ଜଣେ, ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବିରଜାପୁର ଗ୍ରାମ ପଂଚାୟତର ଜଣେ ବ୍ୟକ୍ତି ଆଗପଛ ହୋଇ ମେଡିକାଲ ଆଉଟ୍ ଡୋର ସାମ୍ନାରେ ଛିଡ଼ା ହୋଇ ରହିଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି କୋଲାକାତା ଫେରନ୍ତା ରହିଥିବାରୁ, ମେଡିକାଲରେ କରୋନା ଭୂତାଣୁ ସଂକ୍ରମଣ ହୋଇଛି କି କୋଲକାତାରୁ ଏମାନେ ସଂକ୍ରମିତ ହୋଇଥିଲେ ତାହା ସ୍ପଷ୍ଟ ହୋଇ ପାରୁ ନାହିଁ । ପ୍ରଶାସନ ପକ୍ଷରୁ ଏହି ପଣସା, ବାସୁଦେବପୁର, ବିରଜାପୁର ଓ ମୁକୁନ୍ଦପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ଭାବେ ଘୋଷଣା କରାଯାଇଛି ।
ଯାଜପୁର ଜିଲ୍ଲାର ହଜାର ହଜାର ଶ୍ରମିକ କୋଲାକାତାରୁ ଏବେ ଗାଁ ମୁହାଁ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୨୪ ଜଣଙ୍କ ସ୍ୱାବ୍ ଟେଷ୍ଟ ହୋଇଥିବା ବେଳେ ସମସ୍ତ ରିପୋର୍ଟ ପ୍ରକାଶିତ ହୋଇ ନାହିଁ । କୋଲକାତା ଫେରନ୍ତା ବ୍ୟକ୍ତିଙ୍କୁ ବହୁ ଗ୍ରାମରେ ଖୋଲାଖୋଲି ଘରେ ରହିବାକୁ ସୁଯୋଗ ମିଳି ସାରିଛି । ସମସ୍ତ ସ୍ୱାବ୍ ଟେଷ୍ଟ ରିପୋର୍ଟ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ କରୋନା ଭୂତାଣୁ ସଂକ୍ରମଣ କେଉଁ ଦିଗକୁ ଯିବ ତାହା ସ୍ପଷ୍ଟ ହୋଇ ପାରୁ ନାହିଁ । ଯାଜପୁର ବ୍ଲକ୍ କ୍ରମଶଃ କରୋନା ହଟ୍ସ୍ପଟ୍ର ରୂପ ନେଉଥିବାରୁ ପ୍ରଶାସନର ଚିନ୍ତା ବଢ଼ି ଚାଲିଛି ।
Comments are closed, but trackbacks and pingbacks are open.