ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ (କୋଭିଡ-୧୯) ସଂକ୍ରମଣ କ୍ରମାଗତ ଭାବେ ବଢ଼ିଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୩୩୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮,୯୮୫କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ଭିତରେ ୪୭ ଜଣଙ୍କର ମୃତୁ୍ୟଘଟିଛି । ଦେଶରେ ମୋଟ ମୃତୁ୍ୟସଂଖ୍ୟା ୬୦୩କୁ ବୃଦ୍ଧି ପାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ନୂଆ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ମନ୍ତ୍ରଣାଳୟର ସୂଚନା ଅନୁସାରେ ମୋଟ ୧୮,୯୮୫ ସଂକ୍ରମିତଙ୍କ ମଧ୍ୟରୁ ୧୫,୧୨୨ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ୩,୨୫୯ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଭାରତରେ ଗତ ୩ ଦିନ ହେଲା ଲଗାତାର ନୂଆ ସଂକ୍ରମିତଙ୍କ ସଂଖ୍ୟା ୧,୨୦୦ ଉପରେ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ଭିତରେ ୪୫୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୬୬୯ରେ ପହଞ୍ଚôଥିଲା ବେଳେ ମୃତୁ୍ୟସଂଖ୍ୟା ୨୩୨କୁ ବୃଦ୍ଧି ପାଇଛି । ଗୁଜରାଟରେ ୭୭ ଜଣଙ୍କର ମୃତୁ୍ୟ ଘଟିଥିଲା ବେଳେ ମଧ୍ୟପ୍ରଦେଶରେ ୭୬, ଦିଲ୍ଲୀରେ ୪୭, ରାଜସ୍ଥାନରେ ୨୫, ତେଲଙ୍ଗାନାରେ ୨୩, ଆନ୍ଧ୍ରପ୍ରଦେଶରେ ୨୨, ଉତ୍ତରପ୍ରଦେଶରେ ୨୦, ତାମିଲନାଡୁ ଓ କର୍ଣ୍ଣାଟକରେ ୧୬ ଲେଖାଏ, ପଞ୍ଜାବରେ ୧୬, ପଶ୍ଚିମବଙ୍ଗରେ ୧୨, ଜମ୍ମୁ-କାଶ୍ମୀରରେ ୫, ହରିଆଣା ଓ କେରଳରେ ୩ ଜଣ, ଝାଡ଼ଖଣ୍ଡ ଓ ବିହାରରେ ୨ ଜଣ ଏବଂ ଆସାମ, ହିମାଚଳ ପ୍ରଦେଶ, ମେଘାଳୟ ଓ ଓଡ଼ିଶାରେ ଜଣେ ଲେଖାଏ ରୋଗୀ ପ୍ରାଣ ହରାଇଛନ୍ତି ।
ଅଗ୍ରୱାଲଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୩,୨୫୯ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ସେଥିରୁ ଗତ ୨୪ ଘଣ୍ଟା ଭିତରେ ୭୦୫ ଜଣ ଆରୋଗ୍ୟଲାଭ କରିଛନ୍ତି । ଦେଶରେ ବର୍ତ୍ତମାନ ଆରୋଗ୍ୟ ହାର ବୃଦ୍ଧି ପାଇ ୧୭.୪୮ରେ ରହିଛି । ଏହା ବ୍ୟତୀତ ୨୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅତିରିକ୍ତ ୬୧ଟି ଜିଲ୍ଲାରେ ଗତ ୧୪ ଦିନ ହେଲା ଜଣେ ହେଲେ ନୂଆ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇନାହାନ୍ତି । ଏଥିରେ ମହାରାଷ୍ଟ୍ରର ଆଉ ୪ ନୂଆ ଜିଲ୍ଲା ସାମିଲ ହୋଇଛି । ସେଗୁଡିÿକ ହେଲା ଲାଟୁର, ଓସ୍ମାନାବାଦ, ହିଙ୍ଗୋଲି ଓ ୱାସିମ୍ । ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ରକ୍ତ ଭଣ୍ଡାରରେ ପର୍ଯ୍ୟାପ୍ତ ପରିମାଣର ରକ୍ତ ମହଜୁଦ କରି ରଖିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ସବୁ ରାଜ୍ୟ ସରକାରଙ୍କ ନିକଟକୁ ଚିଠି ଲେଖିଛନ୍ତି । ଏଥିସହ ରକ୍ତଦାନ କରିବା ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଛି । ରକ୍ତଦାନ ଲାଗି ହେଲ୍ପଲାଇନ ନମ୍ବର (୦୧୧ ୨୩୩ ୫୯୩୭୯, ୯୩୧୯୯, ୮୨୧୦୪ ଏବଂ ୯୩୧୯୯ ୮୨୧୦) ମଧ୍ୟ ଜାରି କରାଯାଇଛି । ରକ୍ତ ପାଇଁ ଭାରତୀୟ ରେଡ୍କ୍ରସ ପକ୍ଷରୁ ଦିଲ୍ଲୀରେ ୨୪ ଘଣ୍ଟିଆ କଣ୍ଟେ୍ରାଲ ରୁମ୍ ଖୋଲାଯାଇଛି । ଯେଉଁମାନେ ରକ୍ତ ଆବଶ୍ୟକ କରୁଛନ୍ତି କିମ୍ବା ରକ୍ତଦାନ କରିବାକୁ ଚାହୁଁଛନ୍ତି ସେମାନେ ଏହି ଟେଲିଫୋନ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି । କୋଭିଡ-୧୯କୁ ଫୋକସ୍ରେ ରଖିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ୍ଲାଇନ ଜାରି କରାଯାଇଛି । କିନ୍ତୁ ରୋଗୀଙ୍କୁ ଡାଇଲିସିସ୍, ଏଚ୍ଆଇଭି ଓ କ୍ୟାନସର ଚିକିତ୍ସା ସେବା ଯୋଗାଇ ଦେବାକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରାମର୍ଶ ଦିଆଯାଇଥିବା ସେ କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଭାରତୀୟ ଭେଷଜ ଅନୁସନ୍ଧାନ ପରିଷଦ (ଆଇସିଏମ୍ଆର)ର ଉପମୁଖ୍ୟ ତଥା ମହାମାରୀ ବିଭାଗ ମୁଖ୍ୟ ରମଣ ଗଙ୍ଗାଖେଡକର କହିଛନ୍ତି ଯେ ମଙ୍ଗଳବାର ସୁଦ୍ଧା ୪ ଲକ୍ଷ ୪୯ ହଜାର ୮୧୦ଟି ନମୁନା ପରୀକ୍ଷା କରାଯାଇଛି । ସେଥିରୁ କେବଳ ମଙ୍ଗଳବାର ୩୫ ହଜାର ୮୫୨ ନମୁନା ପରୀକ୍ଷା ହୋଇଛି । ସେଥିରୁ ଆଇସିଏମ୍ଆର ଅଧିନ ୨୦୧ ଲ୍ୟାବରେ ୨୯ ହଜାର ୭୭୬ ଏବଂ ୮୫ ଘରୋଇ ଲ୍ୟାବରେ ୬ ହଜାର ୭୬ଟି ନମୁନା ପରୀକ୍ଷା କରାଯାଇଛି । ସେ କହିଛନ୍ତି ସରକାର ସ୍ୱାସ୍ଥ୍ୟସେବାରେ ନିୟୋଜିତ ବ୍ୟକ୍ତି ଓ ସ୍ୱେଚ୍ଛାସେବୀଙ୍କର ମାଷ୍ଟର ଡାଟବେସ୍କୁ ନେଇ ଏକ ପୋର୍ଟାଲ ପ୍ରସ୍ତୁତ କରିଛନ୍ତି । ଏଥିରେ ୧ କୋଟି ୨୪ ଲକ୍ଷ ବିଭିନ୍ନ ବର୍ଗର ମାନବ ସମ୍ବଳଙ୍କୁ ସାମିଲ କରାଯାଇଛି । କରୋନା ଏକ ନୂଆ ରୋଗ । ଗତ ସାଢେ଼ ୩ ମାସ ଭିତରେ ବିଜ୍ଞାନର ଅଗ୍ରଗତି ହୋଇଛି । ପିସିଆର ଟେଷ୍ଟ ବିକଶିତ କରାଯାଇଛି । ୭୦ଟି ଟିମ୍ ଟିକା ପ୍ରସ୍ତୁତରେ ଲାଗିଛନ୍ତି । ୫ଟି ଟିକା ପ୍ରାଣୀଙ୍କ ଠାରେ ପରୀକ୍ଷା କରାଯାଇଥିଲା ବେଳେ ମଣିଷ ଶରୀରରେ ପରୀକ୍ଷା କରାଯିବା ପର୍ଯ୍ୟାୟରେ ପହଞ୍ଚôଛି । ଅନ୍ୟ କୌଣସି ରୋଗରେ ଏଭଳି ସ୍ଥିତି ଦେଖିବାକୁ ମିଳି ନଥିଲା ।
ଇତିମଧ୍ୟରେ କେନ୍ଦ୍ର ସରକାର କରୋନା ଯୁଦ୍ଧରେ ସାମିଲ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପାରାମେଡିକାଲ କର୍ମଚାରୀ, ଟେକ୍ନିସିଆନଙ୍କୁ ତାଲିମ ପ୍ରଦାନ କରି ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ନିମନ୍ତେ ‘ଆଇଗଟ୍’ ନାମକ ସ୍ୱତନ୍ତ୍ର ଡିଜିଟାଲ ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି । ଏହି ସରକାରୀ ଅନ୍ଲାଇନ ଟ୍ରେନିଂ ପୋର୍ଟାଲରେ କରୋନା ସଂକ୍ରମଣ, ନିୟନ୍ତ୍ରଣ ଓ ନିରାକରଣ, ପିପିଇ (ବ୍ୟକ୍ତିଗତ ସୁରକ୍ଷା ଉପକରଣ), କ୍ୱାରେଣ୍ଟାଇନ ଓ ଆଇସୋଲେସନ, କୋଭିଡ-୧୯ ମାମଲା ପରିଚାଳନା, ଲାବରେଟୋରୀ ନମୁନା ସଂଗ୍ରହ, ଆଇସିୟୁ କେୟାର ଓ ଭେଣ୍ଟିଲେଟର ବ୍ୟବହାର ଆଦି ବିଷୟରେ ତାଲିମ ପ୍ରଦାନ କରାଯିବ । ଏ ସମ୍ପର୍କରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କ ନିକଟକୁ କ୍ଷମତାସମ୍ପନ୍ନ ଗ୍ରୁପ୍-୪ର ଅଧ୍ୟକ୍ଷ ଅରୁଣ କୁମାର ପଣ୍ଡା ଚିଠି ଲେଖିଛନ୍ତି । ସେଥିରେ ସେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନକୁ ନିଜ ନିଜ ଅଞ୍ଚଳରେ ଥିବା କରୋନା ଯୋଦ୍ଧାଙ୍କୁ ଏହି ଅନ୍ଲାଇନ ପୋର୍ଟାଲରୁ ଆବଶ୍ୟକ ତାଲିମ୍ ଦେବାର ବ୍ୟବସ୍ଥା କରାଇବାକୁ କହିଛନ୍ତି ।
ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ‘କୋଭିଡ ଇଣ୍ଡିଆ ସେବା’ ନାମରେ ଯୋଗାଯୋଗ ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି । ସୋସିଆଲ ମିଡିଆ ଟୁଇଟରରେ ଆରମ୍ଭ କରାଯାଇଥିବା ଏହି ପ୍ଲାଟଫର୍ମ ମାଧ୍ୟମରେ ଭାରତର କୋଟି କୋଟି ଲୋକଙ୍କ ସହିତ ସିଧାସଳଖ ଯୋଗାଯୋଗ କରାଯାଇପାରିବ । ଇ-ଗଭର୍ଣ୍ଣାନ୍ସ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା, ଜନତାଙ୍କ ପ୍ରଶ୍ନର ସରଳ ଭାଷାରେ ଉତ୍ତର ଦେବା, କରୋନା ମହାମାରୀ ସମୟରେ ଲୋକମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ଓ ତାହାର ସମାଧାନ ପାଇଁ ବାଟ ବାହାର କରିବା ଲକ୍ଷ୍ୟ ନେଇ ଏହି ପ୍ଲାଟଫର୍ମ ଆାରମ୍ଭ କରାଯାଇଛି । ତାଲିମପ୍ରାପ୍ତ ବିଶେଷଜ୍ଞମାନେ ଏହି ପ୍ଲାଟଫର୍ମ ଜରିଆରେ ଲୋକମାନେ ଚାହୁଁଥିବା ପ୍ରଶ୍ନର ଉତ୍ତର ଦେବେ ।
Comments are closed, but trackbacks and pingbacks are open.