ଭୁବନେଶ୍ୱର,(ବି.ବି.ବୁ୍ୟରୋ): କୋଭିଡ୍-୧୯ ମହାମାରୀ ପାଇଁ ସବୁ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଛି । ଏଭଳି ସମୟରେ ରାଜ୍ୟର ୭୨ହଜାର ୫୮୭ଟି ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରାକ୍-ବିଦ୍ୟାଳୟ ଶିକ୍ଷା ପାଇଁ ୧୬ଲକ୍ଷ ୧୩ହଜାର ୭୭୫ଶିଶୁଙ୍କୁ ବିଭିନ୍ନ ସୃଜନୀୟ କାର୍ଯ୍ୟରେ ନିୟୋଜିତ କରାଯିବ । ଏହାକୁ ଦୃଷ୍ଟିରେ ରଖି ‘ଘରେ ଘରେ ଅରୁଣିମା’ କ୍ୟାଲେଣ୍ଡର ଉନ୍ମୋଚିତ କରାଯାଇଛି । ପିଲାଙ୍କ ମାନସିକ ବିକାଶ ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଓ ୟୁନିସେଫ୍ ସହାୟତାରେ ଏହା କରାଯାଇଛି । ପିତାମାତା, ଜେଜେ-ବାପା ଓ ଜେଜେ-ମା’ଙ୍କ ସହାୟତାରେ ଏହା କାର୍ଯ୍ୟକାରୀ କରାଯିବ । ଏହି କ୍ୟାଲେଣ୍ଡର ଦ୍ୱାରା ଘରେ ରହି ମଧ୍ୟ ପିଲାମାନେ ପ୍ରାକ୍ ଶିକ୍ଷା ଓ ସ୍କୁଲ ଯିବା ପାଇଁ ପ୍ରସ୍ତୁତି ହୋଇପାରିବ ।
ଭିଡିଓ କନ୍ଫରେନ୍ସିଂରେ ଆଜି ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଏହି କ୍ୟାଲେଣ୍ଡରକୁ ଉନ୍ମୋଚିତ କରିଛନ୍ତି । ଲକ୍ଡାଉନ୍ ଏବଂ ସାମାଜିକ ଦୂରତ୍ୱ ପରିପ୍ରେକ୍ଷୀରେ ଏହାକୁ ଅନ୍ଲାଇନ୍ରେ ଅଙ୍ଗନବାଡ଼ି କର୍ମୀମାନଙ୍କ ନିକଟକୁ ପଠାଯିବ । ଯେଉଁଠି ଇଣ୍ଟରନେଟ୍ ସୁବିଧା ନଥିବ ସେଠାରେ ଏହି ପୁସ୍ତିକାକୁ ପିଲାଙ୍କ ଘରେ ପହଞ୍ଚା ଯିବ । କ୍ୟାଲେଣ୍ଡର ମାଧ୍ୟମରେ ଘରେ ପିଲାଙ୍କୁ ବିଭିନ୍ନ ସୃଜନ କାର୍ଯ୍ୟ ଯଥା, ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ଗଳ୍ପକଥନ ଆଦିରେ ନିୟୋଜିତ ରହିବେ । ପ୍ରତ୍ୟେକ ମାସ ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟକ୍ରମକୁ ପ୍ରଦତ୍ତ କ୍ୟାଲେଣ୍ଡରର ସୂଚୀ ଅନୁସାରେ ଅନୁସରଣ କରିବା ଦ୍ୱାରା ଛାତ୍ରଛାତ୍ରୀଙ୍କ ମାନସକିତା ଉପରେ ଅନେକ ସକାରତ୍ମକ ପ୍ରଭାବ ପଡ଼ିବ । ହାତଧୁଆ, ସ୍ୱଚ୍ଛତା, ପରିମଳ, ସାମାଜିକ ଦୂରତ୍ୱ ଉତ୍ତମ ଅଭ୍ୟାସ ସମ୍ପର୍କରେ ମଧ୍ୟ ପିଲାଙ୍କୁ ସଚେତନ କରିବାକୁ ଏହି କ୍ୟାଲେଣ୍ଡରରେ ଅନେକ ବାର୍ତ୍ତା ପ୍ରଦାନ କରାଯାଇଛି । ଏହାଦ୍ୱାରା ପରିବାର ଭିତରେ ଆନ୍ତରକିତା ବୃଦ୍ଧି ପାଇବ ବୋଲି ପ୍ରମୁଖ ଶାସନ ସଚିବ ଆଶା ପ୍ରକଟ କରିଛନ୍ତି । ଆଜିର ଭିଡିଓ କନ୍ଫରେନ୍ସିଂରେ ଡିଏସ୍ଡବ୍ଲୁ୍ୟ ଏବଂ ସିଡିପିଓଙ୍କୁ ଏ ସମ୍ପର୍କରେ ଆବଶ୍ୟକ ତାଲିମ ପ୍ରଦାନ କରାଯାଇଛି ।
Comments are closed, but trackbacks and pingbacks are open.