କଠୋର ହେଲେ ସରକାର: ଡାକ୍ତରଙ୍କୁ ଆକ୍ରମଣ କଲେ ୭ ବର୍ଷ ଜେଲ

Get real time updates directly on you device, subscribe now.

ନୂଆଦିଲ୍ଲୀ: କରୋନା ଭାଇରସ ସହ ସାମ୍ନାରେ ରହି ଲଢ଼େଇ କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ହେଉଥିବା ଆକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର କଠୋର ଆଇନ ପ୍ରଣୟନ କରିଛନ୍ତି। ଏଣିକି ଡାକ୍ତରମାନଙ୍କୁ ଆକ୍ରମଣ କଲେ ସଂପୃକ୍ତ ଦୁର୍ବୃତ୍ତଙ୍କୁ ୭ ବର୍ଷ ଯାଏ ଜେଲ ଦଣ୍ଡ ଓ ଜୋରିମାନା ଆଦାୟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ଏଥିପାଇଁ କେନ୍ଦ୍ର କ୍ୟାବିନେଟ ସ୍ୱତନ୍ତ୍ର ଅଧ୍ୟାଦେଶକୁ ଅନୁମତି ମଧ୍ୟ ପ୍ରଦାଦ କରିଛି। ୧୨୦ ବର୍ଷ ପୁରୁଣା ମହାମାରୀ ଆଇନରେ ସଂଶୋଧନ କରି ସରକାର ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଏହି ଅଧ୍ୟାଦେଶ ଆଣିଛନ୍ତି।
ଅଧ୍ୟାଦେଶ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ସମଗ୍ର ଦେଶବାସୀ କୋଭିଡ-୧୯ ବିରୋଧରେ ଲଢ଼େଇ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ସଲାମ କରୁଛି। ଏଥିସହ ସେମାନେ କରୋନା ଯୋଦ୍ଧା ହୋଇଥିବାରୁ ସମସ୍ତେ ଡାକ୍ତରଙ୍କ ଠାରୁ ଆରମ୍ଭ କରି ନର୍ସ, ଆଶା କର୍ମୀ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ମାନ କରୁଛନ୍ତି।
ହେଲେ କିଛି ଲୋକ ଏହି କରୋନା ଯୋଦ୍ଧାକୁ ଆକ୍ରମଣ କରୁଛନ୍ତି। ଏଭଳି ଆକ୍ରମଣ ବିରୋଧରେ ସରକାର ସର୍ବଦା ଜିରୋ ଟଲରାନ୍ସ ନୀତି ଅବଲମ୍ବନ କରିଛନ୍ତି। ଆକ୍ରମଣକାରୀଙ୍କୁ ସାବାଡ କରିବା ପାଇଁ ଆଜି କେନ୍ଦ୍ର କ୍ୟାବିନେଟ ଏକ ସ୍ୱତନ୍ତ୍ର ଅଧ୍ୟାଦେଶ ପାରିତ କରିଛନ୍ତି।ଏହି ଅଧ୍ୟାଦେଶ ଅନୁଯାୟୀ, ଡାକ୍ତର, ନର୍ସ, ଆଶାକର୍ମୀ ଓ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଏଣିକି ଆକ୍ରମଣ କଲେ ଦୁର୍ବୃତ୍ତମାନଙ୍କୁ ୬ ମାସରୁ ୭ ବର୍ଷ ଯାଏ ଜେଲ ଦଣ୍ଡ ମିଳିବ। ସେହିପରି ଏହାକୁ ଏକ ଜାମିନ ବିହୀନ ମାମଲା ଭାବେ ବିବେଚନା କରାଯିବ।
ସେହିପରି ଦୁର୍ବୃତ୍ତମାନଙ୍କୁ ୫୦,୦୦୦ ୨ ଲକ୍ଷ ଟଙ୍କା ଯାଏ ଫାଇନ ଦେବାକୁ ପଡ଼ିବ। ସାଧାରଣ ମାମଲା ପାଇଁ ଏଭଳି ଦଣ୍ତର ବ୍ୟବସ୍ଥା କରାଯାଇଛି। ଯଦି ମାମଲା ଗୁରୁତର ହୋଇଥାଏ ତା’ହେଲେ ଦଣ୍ଡ ପ୍ରାବଧାନ ମଧ୍ୟ ଅଧିକ କଠୋର କରାଯିବ। ଗୁରୁତର ମାମଲାରେ ଦୁର୍ବୃତ୍ତମାନଙ୍କୁ ୬ ମାସରୁ ୭ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି। ସେହିପରି ଜୋରିମାନା ରାଶି ୧ ଲକ୍ଷ ଟଙ୍କାରୁ ୭ ଲକ୍ଷ ଟଙ୍କା ରହିବ।
କରୋନା ରୋଗୀଙ୍କୁ ଚିକିତ୍ସା କରିବା ବେଳେ ଯଦି କୌଣସି କରୋନା ଯୋଦ୍ଧା ପ୍ରାଣ ହରାନ୍ତି, ତା’ହେଲେ ସେମାନଙ୍କୁ ୫୦ ଲକ୍ଷ ଟଙ୍କାର ବୀମା ରାଶି ସହାୟତା ଯୋଗାଇ ଦିଆଯିବ।
ସ୍ୱାସ୍ଥ୍ୟକର୍ମୀଙ୍କ ଗାଡ଼ି କିମ୍ବା କ୍ଲିନିକ କ୍ଷୟକ୍ଷତି ହେଲେ ଦୁର୍ବୃତ୍ତମାନଙ୍କ ଠାରୁ ଦୁଇ ଗୁଣା ସହାୟତା ରାଶି ଆଦାୟ କରାଯିବ ବୋଲି ସେ କହିଛନ୍ତି।
ଦିନକୁ ଦିନ ଡାକ୍ତରମାନଙ୍କ ଉପରେ ଆକ୍ରମଣ ହେଉଥିବାରୁ ସରକାର ଏଭଳି ଅଧ୍ୟାଦେଶ ଆଣିଛନ୍ତି। ଡାକ୍ତରମାନଙ୍କ ଉପରେ ହେଉଥିବା ଆକ୍ରମଣର ପ୍ରତିବାଦରେ ଆଜି ସମଗ୍ର ଦେଶରେ ପ୍ରତୀକାତ୍ମକ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏପରି କି ଏପ୍ରିଲ ୨୩କୁ କଳାଦିବସ ଭାବେ ପାଳନ କରିବାକୁ ମଧ୍ୟ ଡାକ୍ତରମାନେ ନିଷ୍ପତ୍ତି ନେଇଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons