ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଅପରପକ୍ଷେ ସୋନପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ କାଳବୈଶାଖୀ ବର୍ଷା ସହିତ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ସେହିପରି ସୋନପୁର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହିତ କୁଆପଥର ପଡିବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ଆକଳନ କରିଛି । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ରହିବ । ୨୯ ପରେ ସାମାନ୍ୟ ବଦଳିବ । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସମୂଦ୍ର ଅଶାନ୍ତ ରହିବ । ତେଣୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଭିତରକୁ ଯିବାକୁ ଧୀବରଙ୍କୁ ବାରଣ କରାଯାଇଛି ।
ରାଜ୍ୟରେ ଦୁଇଦିନ ହେବ କାଳବୈଶାଖୀ ବର୍ଷା ଯୋଗୁଁ ଚାଷୀମାନଙ୍କ ଫସଲ ଉଜୁଡି ଯାଇଛି । ତେବେ କେଉଁ ଚାଷୀର କେତେ ଫସଲ କ୍ଷତି ହୋଇଛି ସେ ନେଇ ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଯେତେ ଶୀଘ୍ର ସମ୍ଭବ ରିପୋର୍ଟ ଦେବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସଆରସି) ପ୍ରଦୀପ ଜେନା ଆଜି ଜିଲ୍ଲାପାଳମାନଙ୍କୁ ଏ ନେଇ ଚିଠି ଲେଖିଛନ୍ତି । ତେବେ ଶନିବାର ସକାଳ ୮ଟା ୩୦ ସୁଦ୍ଧା ଫୁଲବାଣୀରେ ୧୨୪ ମିଲିମିଟର ବର୍ଷା ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ୯୨ ମିଲିମିଟର, ଛତ୍ରପୁରରେ ୮୫ ମିଲିମିଟର, ବାଲେଶ୍ୱରରେ ୭୨ ମିଲିମିଟର, ରାଜଧାନୀ ଭୁବନେଶ୍ୱର ଓ ବାରିପଦାରେ ୬୪ ମିଲିମିଟର,ବାରିପଦାରେ ୪୫ ମିଲିମିଟର, ନୟାଗଡ଼ରେ ୪୪ ମିଲିମିଟର, ପାରାଦୀପରେ ୪୩ ମିଲିମିଟର, ଚାନ୍ଦବାଲିରେ ୩୯ ମିଲିମିଟର ଓ କଟକରେ ୩୪ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକଡର଼୍ କରିଛି । ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, କନ୍ଧମାଳ ଆଦି ଜିଲ୍ଲାଗୁଡିକ ପାଇଁ କେନ୍ଦ୍ର ପକ୍ଷରୁ ପ୍ରସ୍ତୁତ ରହିବା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛନ୍ତି । ରାଜ୍ୟର ଅବଶିଷ୍ଟ ଜିଲ୍ଲାଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
ଶନିବାର ସକାଳ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ଆଜି ମଧ୍ୟ ୪୦.୫ ଡିଗ୍ରୀ ସେଲସିୟସ୍ ରହିଥିଲା । ଟିଟିଲାଗଡ଼ର ସର୍ବୋଚ୍ଚ ତାପମାତ୍ର ୧ ଡିଗ୍ରୀ ସେଲସିୟସ୍ ଖସି ଆଜି ୩୯ଂ ସେଲସିୟସ୍ ରହିଥିବା ବେଳେ ଉପକୂଳର ଅଧିକାଂଶ ସ୍ଥାନର ସର୍ବୋଚ୍ଚ ତାପମାତ୍ରା ୩୩ଂ ସେଲସିୟସରୁ କମ ରହିଥିଲା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକଡର଼୍ କରିଛି ।
Comments are closed, but trackbacks and pingbacks are open.