ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜଧାନୀରୁ ନକଲି ଆଇପିଏସ୍ ଗିରଫ ହେବା ପରେ ଆଜି ଜଣେ ନକଲି ଆଇଆଇସି ଗିରଫ ହୋଇଛନ୍ତି । ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ମାମଲା ରଫାଦଫା କରିବାକୁ ଚାପ ପକାଇବା ସହ ପ୍ରେମ ନିବେଦନ କରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଏକ ୱେବ୍ ପୋର୍ଟାଲ ପ୍ରତିନିଧିଙ୍କୁ ଗିରଫ କରିଛି । ତାଙ୍କ ନାମ ମନୋଜ କୁମାର ମହାନ୍ତି(୩୨) । ଘର କୋରାପୁଟ । ସେ ବଡ଼ଗଡ଼ କେନାଲ ବନ୍ଧ ଅଞ୍ଚଳରେ ରହୁଥିଲେ । ମନୋଜଙ୍କ ସହ ତାଙ୍କ ସହଯୋଗୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ତାଙ୍କ ନାମ ରବୀନ୍ଦ୍ର ସାହୁ(୩୦) । ଘର କଳ୍ପନା ଫ୍ଲାଟ୍ ବସ୍ତି । ଆଜି ମନୋଜ ଓ ରବୀନ୍ଦ୍ରଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ପୁଲିସ ସୂଚନା ଅନୁଯାୟୀ, ଡୁମୁଡୁମା ଅଞ୍ଚଳର ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ । ଏନେଇ ଥାନାରେ ଅଭିଯୋଗ ହେବାପରେ ପୁଲିସ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରି ଜେଲ ପଠାଇଥିଲା । ମନୋଜ ନାବାଳିକାଙ୍କ ମୋବାଇଲ ନମ୍ବର ସଂଗ୍ରହ କରି ତାଙ୍କୁ ଫୋନ୍ କରିଥିଲେ । ନିଜକୁ ଖଣ୍ଡଗିରି ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର ବୋଲି ପରିଚୟ ଦେବା ସହ ମାମଲା ରଫାଦଫା କରିବାକୁ ଚାପ ପକାଇଥିଲେ । ନାବାଳିକା ଜଣଙ୍କ ଏନେଇ ଘରେ ଜଣାଇଥିଲେ । ଗତ ୨୨ ତାରିଖରେ ପୁଣି ମନୋଜ ଥାନା ଅଧିକାରୀ ଭାବେ ପରିଚୟ ଦେଇ ନାବାଳିକାକୁ ଫୋନ୍ କରିବା ସହ ତାଙ୍କୁ ରବି ଟକିଜ୍ ଛକକୁ ଡକାଇଥିଲେ । ଏପରିକି ତାଙ୍କୁ ଫୋନ୍ରେ ପ୍ରେମ ନିବେଦନ ମଧ୍ୟ କରିଥିଲେ । ତେଣୁ ନାବାଳିକା ତାଙ୍କ ଅଭିଭାବକଙ୍କୁ ମନୋଜଙ୍କ ଫୋନ ନମ୍ବର ଦେଇଥିଲେ । ମନୋଜ ନାବାଳିକାଙ୍କ ଅଭିଭାବକଙ୍କୁ ମଧ୍ୟ ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର ବୋଲି ପରିଚୟ ଦେଇ ଦୁଷ୍କର୍ମ ମାମଲା ରଫାଦଫା କରିବାକୁ କହିଥିଲେ । ସେ ମନା କରିବାରୁ ମନୋଜ ତାଙ୍କୁ ଓଲଟି ଧମକଚମକ ଦେଇ ତୁମକୁ ଅନ୍ୟ ମାମଲାରେ ଛନ୍ଦି ଜେଲ ପଠାଇ ଦେବି ବୋଲି କହିଥିଲେ । ତେଣୁ ଅଭିଭାବକଙ୍କ ସନେ୍ଦହ ହୋଇଥିଲା । ସେ ନାବାଳିକାକୁ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଏଥିସହ ଉକ୍ତ ଫୋନ୍ ନମ୍ବର ଓ ମୋବାଇଲ୍ର ଭଏସ୍ ରେକର୍ଡି ପୁଲିସକୁ ଶୁଣାଇଥିଲେ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଗତକାଲି ରାତିରେ ପୁଲିସ ମନୋଜ ଓ ସହଯୋଗୀ ରବୀନ୍ଦ୍ରଙ୍କୁ ଗିରଫ କରିଥିଲା ।
Comments are closed, but trackbacks and pingbacks are open.