ସଙ୍ଗରୋଧ କେନ୍ଦ୍ରରେ ଏସିଡ୍ ମାଡ଼

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ୍): କ୍ୱାରେଣ୍ଟାଇନ୍ ସେଣ୍ଟରରେ ଏସିଡ୍ ମାଡ଼ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ବ୍ଲକ୍ କୁମ୍ଭିକୋଟାସ୍ଥିତ କ୍ୱାରେଣ୍ଟାଇନ୍ ସେଣ୍ଟରରେ । ଏସିଡ୍ ମାଡ଼ରେ ଜଣେ ଗୁରୁତର ହୋଇଛନ୍ତି । ଆହତ ବ୍ୟକ୍ତି ହେଲେ ଦିଲ୍ଲୀପ ଶାହା ଓ ଏସିଡ଼ ଫିଙ୍ଗିଥିବା ବ୍ୟକ୍ତି ହେଲେ ବିଘ୍ନେନ ଶାହା ।
ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶରୁ ଝାଡ଼ଖଣ୍ଡକୁ ଯାଉଥିବା ବେଳେ ଗତ ୧ ତାରିଖରେ ୮ ଜଣ ପୁଲିସଙ୍କ ହାତରେ ଧରା ପଡ଼ିଥିଲେ । ସେମାନଙ୍କ ମଧ୍ୟରେ ଦିଲ୍ଲୀପ ଓ ବିଘ୍ନେନ ଥିଲେ । ସେବେଠାରୁ ଦୁହେଁ କୁମ୍ଭିକୋଟାସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ରବିବାର ମଧ୍ୟାନ୍ନରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଗଣ୍ଡଗୋଳ ଲାଗିଥିଲା । ଗଣ୍ଡଗୋଳ ଉଗ୍ର ରୂପ ନେବାରୁ ଦୁହେଁ ହାତାହାତି ହୋଇଥିଲେ । ଏଥିରେ ଉତ୍ୟକ୍ତ ହୋଇ ବିଘ୍ନେନ କୁମ୍ଭିକୋଟାର କୌଣସି ଏକ ସ୍ଥାନରୁ ଏସିଡ୍ÿ ଆଣି ଦିଲ୍ଲୀପଙ୍କ ଉପରେ ଢ଼ାଳି ଦେଇଥିଲେ । ଦିଲ୍ଲୀପ ଏଥିରେ ଗୁରୁତର ହୋଇଥିଲେ । ଦିଲ୍ଲୀପଙ୍କୁ ତୁରନ୍ତ କୁମ୍ଭିକୋଟା ଫାଣ୍ଡି ପୁଲିସ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ତେବେ ଅବସ୍ଥା ଗମ୍ଭୀର ଥିବାରୁ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଦିଲ୍ଲୀପଙ୍କ ଅବସ୍ଥା ସ୍ଥିର ଥିବା ସମ୍ପୃକ୍ତ ଡାକ୍ତର କହିଛନ୍ତି । ତେବେ ବିଘ୍ନେନ କେଉଁଠାରୁ ଆଣିଲେ ତାହା ଜଣାପଡିନି । ଘଟଣାର ତଦନ୍ତ ଜାରି ରହିଥିବା ରାୟଗଡ଼ା ଥାନା ଆଇଆଇସି ନିହାର ରଞ୍ଜନ ପ୍ରଧାନ କହିଛନ୍ତି । ସୂଚନାଯୋଗ୍ୟ, ଜିଲ୍ଲାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି । ବିଭିନ୍ନ କେନ୍ଦ୍ରରୁ ବର୍ତ୍ତମାନ ସୁଦ୍ଧା ୪୩ ଜଣ ଫେରାର ହୋଇଯାଇଛନ୍ତି । ଯାହା ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons