ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ଲକ୍ଡାଉନ କାରଣରୁ ଅନ୍ୟ ରାଜ୍ୟରେ ବହୁ ସଂଖ୍ୟାରେ ଓଡ଼ିଆ ଫସି ରହିଛନ୍ତି । ଛାତ୍ର, ଶ୍ରମଜୀବୀ, ତୀର୍ଥଯାତ୍ରୀ, ରୋଗୀ, ବୃତ୍ତିଧାରୀ ବହୁ ସଂଖ୍ୟାରେ ଲୋକ ଅଟକି ରହିଛନ୍ତି । ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବାକୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଜାତୀୟ ସ୍ତରୀୟ ନୀତି (ଏସ୍ଓପି) ନିର୍ଦ୍ଧାରଣ କରନ୍ତୁ । ଏମିତି ବହୁ ସଂଖ୍ୟାରେ ଭିନ୍ନ ରାଜ୍ୟର ଲୋକ ଭିନ୍ନ ରାଜ୍ୟରେ ଅଟକି ରହିଛନ୍ତି । ସମସ୍ତଙ୍କ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଏ ଦିଗରେ ବିଚାର କରନ୍ତୁ ବୋଲି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି ସରି ଆସୁଥିଲା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂପ୍ରତିକ ସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ । ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟରେ ଫସିଥିବା ଲୋକମାନେ କିଭଳି ନିଜ ରାଜ୍ୟକୁ ଫେରିବେ ସେ ନେଇ ବିଚାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାଛଡ଼ା ଅନ୍ୟ ରାଜ୍ୟରେ ଥିବା ଓଡ଼ିଆ ଶ୍ରମିକମାନଙ୍କର ଯତ୍ନ ନେବାକୁ ସଂପୃକ୍ତ ରାଜ୍ୟ ସରକାରଙ୍କୁ କେନ୍ଦ୍ର ନିଦେ୍ର୍ଧଶ ଦେଉ । ଏହାଛଡ଼ା କିଭଳି ଅଧିକରୁ ଅଧିକ କରୋନା ପରୀକ୍ଷଣ ହୋଇପାରିବ ସେ ଦିଗରେ ଗମ୍ଭୀରତାର ସହ ବିଚାର ବିମର୍ଶ କରିବା ଉପରେ ନବୀନ ଜୋର ଦେଇଛନ୍ତି ।
ନବୀନଙ୍କ ଏ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱର ସହ ଗ୍ରହଣ କରିଥିବା ସୂଚନା ମିଳିଛି । ଓଡ଼ିଶାରେ ଲକ୍ଡାଉନ କଟକଣାକୁ ଠିକଣା ଭାବେ କାର୍ଯ୍ୟକାରୀ କରାଯିବା ସହ କରୋନା ସଂକ୍ରମଣ ଅଟକାଇବାକୁ ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ଅଭିନବ ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିବା ସୂଚନା ମିଳିଛି ।
Comments are closed, but trackbacks and pingbacks are open.