ଚେନ୍ନାଇ: ଦୋସ୍ତି କେବଳ ସୋଲେ ଫିଲ୍ମ ଭଳି ବୀରୁ-ଜୟ ଭଳି ହୋଇନଥାଏ । କିଛି ଲୋକ ମୃତୁ୍ୟ ପରେ ମଧ୍ୟ ଦୋସ୍ତିକୁ ନିଭାଇଥାନ୍ତି । ଚେନ୍ନାଇରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ ସାଙ୍ଗର ମୃତୁ୍ୟ ପରେ ଦ୍ୱିତୀୟ ସାଙ୍ଗ ଜଣକ ୩ ହଜାର କିଲୋମିଟର ଅତିକ୍ରମ କରି ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ।
ସୂଚନା ଅନୁସାରେ ମିଜୋରାମର ରାଜଧାନୀ ଆଇଜଲର ମଡେଲ ବ୍ୟାଙ୍ଗର ବାସିନ୍ଦା ୨୩ ବର୍ଷୀୟ ବିବିୟନ ଲାଲରେମସାଙ୍ଗା ଚେନ୍ନାଇରେ ହୋଟେଲ ମ୍ୟାନେଜମେଣ୍ଟ ପଢ଼ୁଥିଲେ । ପଢ଼ାଶେଷ ହେବା ପରେ ସେ ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରୁଥିଲେ । ଗତ ୨୩ ତାରିଖରେ ତାଙ୍କର ହଠାତ୍ ହୃଦ୍ଘାତରେ ମୃତୁ୍ୟ ଘଟିଥିଲା । ଦେଶବ୍ୟାପୀ ଲକ୍ଡାଉନ ଚାଲିଥିବାରୁ ତାଙ୍କ ମୃତଦେହ ପ୍ରାୟ ୩ ହଜାର କିଲୋମିଟର ଦୂର ଆଇଜଲରେ ପହଞ୍ଚାଇବା ଅସମ୍ଭବ ଥିଲା । ତେଣୁ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ବିବିୟନଙ୍କ ପାଖରେ ରହୁଥିବା ତାଙ୍କର ଜଣେ ସାଙ୍ଗ ଏବିଏଲ୍ ମାଲଛନିମାଙ୍କୁ ହସ୍ତାନ୍ତର କରାଯାଇଥିଲା । ଡାକ୍ତର ଓ ହସ୍ପିଟାଲର କର୍ମଚାରୀମାନେ ଚେନ୍ନାଇରେ ଅନ୍ତିମ ସଂସ୍କାର କରିଦେବାକୁ ମାଲ୍ଛନିମାଙ୍କୁ ପରାମର୍ଶ ଦେଇଥିଲେ । କିନ୍ତୁ ପରିବାର ଲୋକଙ୍କ ଶେଷ ଦର୍ଶନ ତଥା ନିଜ ଗାଁ ମାଟିରେ ଅନ୍ତିମ ସଂସ୍କାର କରାଇବା ଉଦେ୍ଧଶ୍ୟରେ ବିବିୟନଙ୍କ ମୃତଦେହକୁ ତାଙ୍କ ଗାଁରେ ପହଞ୍ଚାଇବା ଲାଗି ମାଲଛନିମା ପଣ କରିଥିଲେ । ତାଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିଥିଲା ସ୍ଥାନୀୟ ମିଜୋ ୱେଲଫେୟାର ଆସୋସିଏସନ । ଆସୋସିଏସନ ମୃତଦେହ ନେବା ଲାଗି ଏକ ଆମ୍ବୁଲାନ୍ସ ଯୋଗାଡ କରିଥିଲା । କିନ୍ତୁ ଡ୍ରାଇଭର ଯୋଗାଡ ହୋଇପାରି ନଥିଲା । କାରଣ ଏତେଦୂର ଗାଡି ଚଳାଇ ଯିବାକୁ କୌଣସି ଡ୍ରାଇଭର ଆଗ୍ରହ ପ୍ରକାଶ କରିନଥିଲେ ।
ଶେଷରେ ଦୁଇଜଣ ଡ୍ରାଇଭର ଜେୟନ୍ତିଜରନ ଏବଂ ଚିନ୍ନାଥମ୍ବି ଏ ଦିଗରେ ସହାୟତାର ହାତ ବଢ଼ାଇଥିଲେ । ସେମାନେ ମିଜୋରାମର ବାସିନ୍ଦା ହୋଇଥିଲା ବେଳେ ଚେନ୍ନାଇରେ ବହୁଦିନ ହେଲା ରହି ଗାଡି ଚଳାଉଥିଲେ । ଶେଷରେ ଶୁକ୍ରବାର ଦିନ ୩ ଜଣ ଯାକ ମୃତଦେହ ଧରି ଚେନ୍ନାଇରୁ ଆଇଜଲ ବାହାରିଥିଲେ । ସେମାନେ ବାଟରେ ମାତ୍ର ୧୦ଟି ସ୍ଥାନରେ ଅଟକି ଥିଲେ । ଚାରି ଦିନ ଓ ଚାରି ରାତି ଭିତରେ ସେମାନେ ୪ଟି ସହର ଯାତ୍ରା କରିବା ପରେ ମଙ୍ଗଳବାର ବିବିୟନଙ୍କ ନିଜ ଗ୍ରାମରେ ପହଞ୍ଚôଥିଲେ ଓ ତାଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲେ । ସାମାଜିକ ଦୂରତା ବଜାୟ ରଖି ବିବିୟନଙ୍କ ଅନ୍ତିମ ସଂସ୍କାର ମଧ୍ୟ ସେଠାରେ ସମ୍ପନ୍ନ କରାଯାଇଥିଲା । ମାଲଛନିମା ଓ ଆମ୍ବୁଲାନ୍ସର ଦୁଇ ଡ୍ରାଇଭରଙ୍କୁ ସେଠାରେ ବିପୁଳ ସ୍ୱାଗତ କରାଯାଇଥିଲା । ସ୍ଥାନୀୟ ଲୋକମାନେ ତାଳି ବଜାଇ ଉଭୟ ଡ୍ରାଇଭର ଓ ମାଲଛନିମାଙ୍କ ଏଭଳି ମହନୀୟ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ବିବିୟନଙ୍କ ମା ମଧ୍ୟ ଦୁଇ ଡ୍ରାଇଭରଙ୍କୁ ପ୍ରଶଂସା କରିଥିଲେ ଓ ସେମାନଙ୍କ ହାତଧରି କାନ୍ଦି ପକାଇଥିଲେ । ଡ୍ରାଇଭର ଦ୍ୱୟ ମଧ୍ୟ ସେଠାରେ ଭାବବିହ୍ୱଳ ହୋଇଯାଇଥିଲେ । ଏହା ପରେ ୩ ଜଣ ଯାକ ସେଠାରୁ ଚେନ୍ନାଇ ଅଭିମୁଖେ ଯାତ୍ରା କରିଛନ୍ତି ।
ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଡ୍ରାଇଭର ଦ୍ୱୟଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଏଥିସହିତ ପ୍ରତ୍ୟେକଙ୍କୁ ୨ ହଜାର ଟଙ୍କା ଲେଖାଏ ସହାୟତା ମଧ୍ୟ ଦେଇଛନ୍ତି । ଟୁଇଟ୍ କରି ସେ ଲେଖିଛନ୍ତି ଯେ ମିଜୋରାମ ଏଭଳି ବାସ୍ତବ ହିରୋଙ୍କୁ ସ୍ୱାଗତ କରେ । କାରଣ ଆମେ ମାନବତା ଓ ରାଷ୍ଟ୍ରୀୟତାକୁ ଖୁବ ବିଶ୍ୱାସ କରୁ । ମାଲଛନିମା ଓ ଆମ୍ବୁଲାନ୍ସ ସହ ଡ୍ରାଇଭର ଦ୍ୱୟଙ୍କ ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ସେମାନଙ୍କୁ ରିୟଲ ହିରୋ ଭାବେ ପ୍ରଶଂସା କରାଯାଇଛି ।
Comments are closed, but trackbacks and pingbacks are open.